ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ସ୍ଥାପନ ହେବ ଅତ୍ୟାଧୁନିକ ଆଇଟି ଟାୱାର; ଫୋକସ୍‌ରେ ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା

ଭୁବନେଶ୍ୱର, ୨୦।୩: ରାଜ୍ୟ ଅଭିବୃଦ୍ଧିରେ ଏକ ପ୍ରମୁଖ ଯୋଗଦାନକାରୀ ଭାବେ ଉଭା ହୋଇଛି ଆଇଟି କ୍ଷେତ୍ର । ବିଶ୍ୱ ସ୍ତରୀୟ କମ୍ପାନିଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆଇଟି କ୍ଷେତ୍ର ଅଭିବୃଦ୍ଧିକୁ ଆଉ ପାଦେ ଆଗେଇ ନେବାକୁ ଭୁବନେଶ୍ୱର ବାଦ୍‌ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଛି । ଫୋକସରେ ଭୁବନେଶ୍ୱର ସହ ବ୍ରହ୍ମପୁର ଓ ରାଉରକେଲା । ଏସବୁ ସ୍ଥାନରେ ଆଇଟି ଓ କର୍ପୋରେଟ କ୍ଷେତ୍ର ଲାଗି ସ୍ଥାପନ ହେବାକୁ ଯାଉଛି ବିଶ୍ୱ ସ୍ତରୀୟ ଟାୱାର । ଏଥିରେ ନିବେଶ ହେବ ୧୦୬୫.୫ କୋଟି । 

ଶିଳ୍ପ ବିଭାଗ ସୂଚନା ମୁତାବକ, ଏଭଳି ଭିତ୍ତିଭୂମି ଦ୍ୱାରା ଆଇଟି, ଷ୍ଟାର୍ଟଅପ୍‌, ଗ୍ଲୋବାଲ ଏମ୍‌ଏନ୍‌ସି ଏବଂ ଅନ୍ୟ କର୍ପୋରେଟ କ୍ଷେତ୍ର କମ୍ପାନିଗୁଡିକୁ ଅଫିସ ସ୍ଥାପନ ପାଇଁ ସୁଯୋଗ ମିଳିବ । ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ୨.୧୭ ଏକର ପରିମିତ ସ୍ଥାନରେ ୩ ବେସ୍‌ମେଣ୍ଟ, ଗ୍ରାଉଣ୍ଡ୍‌ ସହ ୧୫ ମହଲା ବିଶିଷ୍ଟ ସୁଉଚ୍ଚ ଟାୱାର ସ୍ଥାପନ ହେବ । ଏଥିପାଇଁ ୬୦୮ କୋଟି ଟଙ୍କା ବିନିଯୋଗ କରିବେ ରାଜ୍ୟ ସରକାର । ଏହି ଟାୱାରରେ ଡାଟା ସେଣ୍ଟର, କାର୍ଯ୍ୟସ୍ଥଳ, ରୁଫଟପ୍‌ ରେଷ୍ଟୁରାଷ୍ଟ ସହ ଅନ୍ୟ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ବିଲ୍ଡିଂ ଗୁଡିକ ପରିବେଶ ଉପଯୋଗୀ କରାଯିବ । ଏଠାରେ ଏକା ସହ ୫୪୦ କାର୍‌ ପାର୍କିଂ ହୋଇପାରିବ । ଇଣ୍ଟେଲିଜେଣ୍ଟ ପାର୍କିଂ ମ୍ୟାନେଜମେଣ୍ଟ ସୁବିଧା ମଧ୍ୟ ରହିବ । ଅଗ୍ନି ନିରୋଧୀ, ଷ୍ଟେୟାରକେସ ଏବଂ ସହଜରେ ଯିବା ଆସିବା କରିବାକୁ ଏଲିଭେଟର ମଧ୍ୟ ରହିବ । ଏହାବାଦ ଦୃଢ଼ ଇଲେକ୍ଟ୍ରିକାଲ ସିଷ୍ଟମ, ଶକ୍ତି ଓ ଜଳ ସଂରକ୍ଷଣ, ସବୁଜ ଶକ୍ତି ବ୍ୟବହାର ଏବଂ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ମଧ୍ୟ ଏଠାରେ ଗୁରୁତ୍ୱ ଦିଆଯିବ । 

ସେହିଭଳି ବ୍ରହ୍ମପୁରରେ ପ୍ରସ୍ତାବିତ ଆଇଟି ଟାୱାର ପ୍ରକଳ୍ପ ଲାଗି ଇଡ୍‌କୋ ୩.୭୩ ଏକର ଜମି ଚିହ୍ନଟ କରିଛି । ଏସ୍‌ଟିପିଆଇ ବ୍ରହ୍ମପୁରକୁ ଲାଗି ଏହାର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି । ଏହାର ପ୍ରଥମ ଫ୍ଲୋର ବେସ୍‌ମେଣ୍ଟ, ଗ୍ରାଉଣ୍ଡ ସହ ୧୧ଟି ମହଲା ଏଥିରେ ରହିବ । ୨୯,୬୦୭ ବର୍ଗ ମିଟରର ବିଲ୍ଟ ଅପ୍‌ ଏରିଆ ରହିବ । ବଜାର ଚାହିଦାକୁ ନଜରରେ ରଖି ଏଠାରେ ଉଭୟ ବାଣିଜ୍ୟିକ ଓ ଅଫିସ ସ୍ପେଶ ରହିବ । ଅଭିନବ ଓ ଗ୍ରୀନ ଟେକ୍ନୋଲୋଜି ସହ ୨୦୩.୫୪ କୋଟି ଟଙ୍କାରେ ପ୍ରକଳ୍ପ ସ୍ଥାପନ ଲକ୍ଷ୍ୟ ରଖାଯାଇଛି । ଏଠାରେ ପାର୍କିଂ ବେସ୍‌ମେଣ୍ଟ, ଗ୍ରାଉଣ୍ଡଫ୍ଲୋର ସ୍ପେଶ, କାଫେଟେରିଆ, କମନ ରିସେପସନ ଏବଂ ସ୍ମାର୍ଟ ବିଲ୍ଡିଂ ଫିଚରକୁ ଗୁରୁତ୍ୱ ଦିଆଯାଉଛି । ସେହିଭଳି ରାଉରକେଲାରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୨୫୩.୯୬ କୋଟି ବ୍ୟୟ ଅଟକଳ ରଖାଯାଇଛି । ଆର୍‌ସିସି କନଷ୍ଟ୍ରକସନ ଆଣ୍ଡ ଟେକ୍ନୋଲୋଜି ଆଧାରରେ ଏହି ଟାୱାର ନିର୍ମାଣ ହେବ । ଏଥିଲାଗି ୨.୯୦ ଏକରର ସ୍ଥାନ ଚିହ୍ନଟ କରିଛି ଇଡ୍‌କୋ । ବେସ୍‌ମେଣ୍ଟ, ଗ୍ରାଉଣ୍ଡ ସହ ୭ ମହଲା ଏଠାରେ ରହିବ । ମୋଟ ୩୮,୧୬୭ ବର୍ଗ ମିଟର ସ୍ଥାନରେ ଏହାର ସ୍ଥାପନ କରାଯିବ । ଏଠାରେ ରହିବ ଉଭୟ କମର୍ସିଆଲ ଓ ଅଫିସ ସ୍ପେଶ । 

ଇଡ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଇଟି କ୍ଷେତ୍ର ଅଭିବୃଦ୍ଧିକୁ ଆଉପାଦେ ଆଗକୁ ନେବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ରାଜ୍ୟର ଅନ୍ୟ ପ୍ରାନ୍ତ ଗୁଡିକରେ ଆଉ କିଛି ଆଇଟି ପାର୍କ ଆଣିବା ପ୍ରସ୍ତାବ ରହିଛି । ଚୂଡାନ୍ତ ନିଷ୍ପତ୍ତି ପରେ ପାର୍କ ଗୁଡିକ ସମ୍ପର୍କରେ ଘୋଷଣା କରାଯିବ । ଏହାବାଦ ପ୍ରସ୍ତାବିତ ଆଇଟି ଟାୱାର ଗୁଡିକରେ ଆବଶ୍ୟକୀୟ ସର୍ଭିସ ଏରିଆ, ରିସେପ୍‌ସନ, ସେଣ୍ଟ୍ରାଲାଇଜ ଆକ୍‌ସେସ, ୱେଟିଂ ଲାଉଞ୍ଜ, କାଫେଟେରିଆ, ଓପନ ସ୍ପେଶ, ଫ୍ରେଶଏୟାର ଏରିଆ ଏବଂ କମନ ହଲ୍‌ ରହିବାର ଯୋଜନା ରହିଛି । ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଦେଶର ନୂଆ ଆଇଟି ହବ୍‌ ଭାବେ ଉଭା ହୋଇଛି । ୨୦୧୯ ପରଠୁ ଓଡ଼ିଶା ଆସିଲେଣି ୫୦ରୁ ଊଦ୍ଧ୍ୱର୍ ଆଇଟି ସଂସ୍ଥା । ଯୁବବର୍ଗଙ୍କ ପାଇଁ ଏହି ସବୁ କମ୍ପାନି ସୃଷ୍ଟି କରିଛନ୍ତି ୩୦ ହଜାର କର୍ମନିଯୁକ୍ତି । ଆକସେନ୍‌ଞ୍ଚର, ଆଇବିଏମ୍‌, କଗ୍ନିଜାଣ୍ଟ, ପିଡବ୍ଲ୍ୟୁସି, ଡେଲଏଟ, ସିନୋପ୍‌ସିସ ଏବଂ ଇୱାଇ ଭଳି କମ୍ପାନି ପ୍ରମୁଖ କମ୍ପାନି ନିଜର ଉପସ୍ଥିତି ବଢ଼ାଇଛନ୍ତି । ସେହିଭଳି ଟିସିଏସ୍‌, ଇନଫୋସିସ, ୱିପ୍ରୋ ଭଳି କମ୍ପାନି ମଧ୍ୟ ନିଜର ୟୁନିଟ ସ୍ଥାପନ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.