ଚଣ୍ଡିଗଡ଼, ୬।୧୨: ପାକିସ୍ତାନ କରାଚୀର ବାସିନ୍ଦା ଜାଭେରିଆ ଖାନୁମ୍ ମଙ୍ଗଳବାର ବିବାହ କରିବା ଲାଗି ଅଟ୍ଟାରୀ ଅନ୍ତର୍ଜାତୀୟ ସୀମା ଦେଇ ଭାରତ ଆସିଛନ୍ତି । କୋଲକାତାର ବ୍ୟବସାୟୀ ଅହମ୍ମଦ କମାଲ ଖାନ୍ଙ୍କ ପୁଅ ସମୀରଙ୍କୁ ସେ ବାହା ହେବେ । ଜାଭେରିଆ ଅଟ୍ଟାରୀ ସୀମାରେ ପହଞ୍ଚିବା ପରେ ଶ୍ୱଶୁର ଘର ଲୋକେ ଆଜି ତାଙ୍କୁ ଢୋଲର ତାଳେ ତାଳେ ଜୋରଦାର ସ୍ୱାଗତ କରିଥିଲେ । ପରିବାର ଲୋକଙ୍କ ସହିତ ଜାଭେରିଆଙ୍କୁ ସ୍ୱାଗତ ପାଇଁ ପହଞ୍ଚିଥିବା ସମୀର କହିଛନ୍ତି, ମୁଁ ଜର୍ମାନୀରେ ୫ ବର୍ଷ ପଢିଥିଲି । ସେଠାରେ ମୋ ମା’ଙ୍କର ସଂପର୍କୀୟ ପାକିସ୍ତାନର ଜାଭେରିଆ ମଧ୍ୟ ପଢ଼ିବାକୁ ଆସିଥିଲେ ।
୨୦୧୮ରେ ଆମେ ପରସ୍ପରର ନିକଟତର ହେବାପରେ ବିବାହ ଲାଗି ନିଷ୍ପତ୍ତି ନେଇଥିଲୁ । ଉଭୟଙ୍କ ପରିବାର ଲୋକେ ଏଥିଲାଗି ରାଜି ଥିବାବେଳେ କରୋନାର ପ୍ରକୋପ ଆରମ୍ଭ ହୋଇଯାଇଥିଲା । ତେଣୁ ଆମେ ନିଜ ନିଜ ଦେଶକୁ ଫେରିଥିଲୁ । କୋଭିଡ୍ ସମୟ ସରିବା ପରେ ଭିସା ପାଇଁ ଉଦ୍ୟମ ଚାଲିଥିଲା । ଦୁଇ ଥର ଆବେଦନ ନାକଚ ହେବାପରେ ଏବେ କେବଳ ଜାଭେରିଆଙ୍କୁ ଭିସା ମିଳିଛି । ତେଣୁ ସେ ଏକୁଟିଆ ବିବାହ ଲାଗି ଭାରତ ଆସିଛନ୍ତି । ଦୁଇ ଦିନ ମଧ୍ୟରେ ବିବାହ ହେବ । ଜାନୁଆରୀ ପ୍ରଥମ ସପ୍ତାହରେ ରିସେପସନ୍ ରହିଛି । ଜାଭେରିଆଙ୍କୁ ଏବେ ୪୫ ଦିନର ଭିସା ମିଳିଥିବାବେଳେ ବିବାହ ପରେ ସେ ଭିସା ଅବଧି ବଢ଼ାଇବାକୁ ଆବେଦନ କରିବେ । ଜାଭେରିଆ କହିଛନ୍ତି, ଦୁଇ ଦେଶକୁ ବିବାହ ଭିସା ଆରମ୍ଭ କରିବା ଆବଶ୍ୟକ । ମୁଁ ସୀମା ପାର କରି ଏକୁଟିଆ ଭାରତ ଆସିଛି । ମୋ ପରିବାର ଲୋକେ ବିବାହରେ ଅନୁପସ୍ଥିତ ରହିବେ । ଯଦି ବିବାହ ଭିସା ଭଳି କୌଣସି ପ୍ରାବଧାନ ଥାଆନ୍ତା ତା ହେଲେ ମୋର ପୂରା ପରିବାର ଏଠାରେ ଥାଆନ୍ତା । ସେହିପରି ସମୀର କହିଛନ୍ତି, ଏହା ଦୁଇ ଦେଶ ଲାଗି ସୁରକ୍ଷାର ପ୍ରସଙ୍ଗ, ମୁଁ ଏହାର ସମ୍ମାନ କରୁଛି । କିନ୍ତୁ ଦୁଇ ଦେଶକୁ ଏ ସଂପର୍କରେ ବିଚାର କରିବା ଆବଶ୍ୟକ ।