ୱାଶିଂଟନ୍,୦୯/୦୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜର ୪ ବର୍ଷରୁ କମ୍ ଅବଧିର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ଦେଢ଼ ବର୍ଷ ଅର୍ଥାତ୍ ୫୩୨ ଦିନ ଛୁଟି ନେଇଛନ୍ତି । ୮୧ ବର୍ଷୀୟ ବାଇଡେନ୍ ରାଷ୍ଟ୍ରପତି ପଦ ଭାର ଗ୍ରହଣ କରିବାର ଅଦ୍ୟାବଧି ୧୩୨୬ ଦିନ ହୋଇସାରିଛି । ସେଥିମଧ୍ୟରୁ ୪୦ ପ୍ରତିଶତ ଦିନ ସେ ଛୁଟି ନେଇଛନ୍ତି । ମାତ୍ର ୭୯୪ ଦିନ କାମ କରିଛନ୍ତି । ହିସାବ କଲେ ଜଣାପଡ଼ୁଛି ବର୍ଷକୁ ସେ ପ୍ରାୟ ୧୩୩ ଦିନ ଛୁଟି ନେଇଛନ୍ତି ।
ଅପରପକ୍ଷରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଷେତ୍ରରେ ଦେଖିବା, ସେ ବିଗତ ୨୩ ବର୍ଷ ମଧ୍ୟରେ ସେ ଗୋଟିଏ ବି ଛୁଟି ନେଇନାହାନ୍ତି । ୨୦୦୧ ମସିହାରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏବଂ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ସେ ଦିନଟିଏ ଛୁଟି ନେଇ ନଥିବା କିଛି ଦିନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ । ମୋଦି ଦିନକୁ ୧୮ ଘଣ୍ଟା କାମ କରୁଥିବା ବେଳେ ବଳକା ୬ ଘଣ୍ଟାରେ ନିଜ କାମ କରିଥାନ୍ତି ।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ, ପ୍ରତି ୧୦ ଦିନରେ ସେ ୪ ଦିନ ଛୁଟି ନେଉଛନ୍ତି । ଆମେରିକାରେ ଜଣେ ବ୍ୟକ୍ତିଙ୍କୁ ପ୍ରତିବର୍ଷ ହାରାହାରି ୧୧ଟି ଛୁଟି ମିଳିଥାଏ । ସେହି ହିସାବରେ ଦେଖିବାକୁ ଗଲେ ବାଇଡେନ୍ ୪ ବର୍ଷ ମଧ୍ୟରେ ଯେତିକି ଛୁଟି ନେଇଛନ୍ତି ସେତିକି ଛୁଟି ନେବାକୁ ଜଣେ ସାଧାରଣ ଆମେରିକୀୟଙ୍କୁ ୪୮ ବର୍ଷ ସମୟ ଲାଗିବ । ବାଇଡେନ୍ ଆମେରିକା ଇତିହାସରେ ସବୁଠୁ ଅଧିକ ଛୁଟି ନେଇଥିବା ରାଷ୍ଟ୍ରପତି ବୋଲି କୁହାଯାଉଛି । ତାଙ୍କ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିଜର କାର୍ଯ୍ୟକାଳ ସମୟରେ ୨୬ ପ୍ରତିଶତ ଅର୍ଥାତ୍ ୧୪୬୧ରୁ ୩୮୧ ଦିନ ଛୁଟି ନେଇଥିଲେ । ସେହିପରି ବାରାକ୍ ଓବାମା ଓ ରୋନାଲ୍ଡ ରେଗାନ୍ ନିଜର କାର୍ଯ୍ୟକାଳ ମଧ୍ୟରେ ମାତ୍ର ୧୧ ପ୍ରତିଶତ ଦିନ ଛୁଟିରେ ଥିଲେ । ଜିମି କାର୍ଟର ତ ରାଷ୍ଟ୍ରପତି ଭାବେ ମାତ୍ର ୭୯ ଦିନ ଛୁଟି ନେଇଥିଲେ ।
ବାଇଡେନ୍ଙ୍କର ଏହି ଅଧିକ ଛୁଟି ନେବାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟ୍ ହାଉସ୍ର ପରାମର୍ଶଦାତା ଥିବା ମାର୍କ ପାଓଲେଟା କହିଛନ୍ତି, ଦେଶର ଏକ ବେଳାଭୂମିରେ ଚେୟାର ଉପରେ ଆରାମ କରୁଥିବା ବାଇଡେନ୍ଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆମେରିକା ଓ ସାରା ବିଶ୍ୱରେ ହଚଚମଟ ଜାରି ଥିବାବେଳେ ତାଙ୍କର ଏହି ଆରାମ କରିବା ରାଷ୍ଟ୍ରପତି ଭାବେ ତାଙ୍କର କାର୍ଯ୍ୟକାଳକୁ ପରିଭାଷିତ କରିବ ।
ସେପଟେ ତାଙ୍କର ସହଯୋଗୀମାନେ କହିଛନ୍ତି, ଛୁଟିରେ ଯାଇଥିବା ସମୟରେ ବି ବାଇଡେନ ସବୁବେଳେ ନିଜ କାମ ସହ ଜଡି଼ତ ରହୁଥିଲେ । ସେ ଲଗାତର ଜରୁରି କଲ୍ ରିସିଭ୍ କରୁଥିଲେ । ତାଙ୍କ ସହ ସହଜରେ ଯୋଗାଯୋଗ ହୋଇପାରୁଥିଲା । ସୂଚନାଥାଉକି, ଆମେରିକାର ରାଷ୍ଟ୍ରପତି ପଦ ସମ୍ଭାଳିବାରେ ବାଇଡେନ୍ ସବୁଠୁ ବୟସ୍କ ନେତା । ଡେମୋକ୍ରାଟ୍ ବାଇଡେନ୍ ୨୦୨୧ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ସେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ କ୍ଷମତା ହାସଲ କରିଥିଲେ ।