ନୂଆଦିଲ୍ଲୀ,୧୬/୦୯: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆହୁରି ଅଧିକ ପାରଦର୍ଶୀ ହେବ । ସେଥିପାଇଁ ବସ୍ତୁନିଷ୍ଠ ମାନଦଣ୍ଡ ପ୍ରସ୍ତୁତ କରାଯିବ ବୋଲି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି । ନୂଆଦିଲ୍ଲୀ ଠାରେ ରାମଜେଠ ମାଲାନୀ ସ୍ମାରକୀ ବକ୍ତୃତାରେ ଯୋଗଦେବା ଅବସରରେ ସେ କହିଛନ୍ତି ସେଣ୍ଟର ଫର ପ୍ଲାନିଂ ଆଣ୍ଡ ରିସର୍ଚ୍ଚ ଦେଶରେ ନିଯୁକ୍ତି ଯୋଗ୍ୟ ବିଚାରପତିଙ୍କ ଉପରେ ଆକଳନ କରିବା ଲାଗି ଏକ ବ୍ୟାପକ ମଞ୍ଚ ପ୍ରସ୍ତୁତ କରିବା କାର୍ଯ୍ୟରେ ଲାଗିଛି । ବିଚାରପତିଙ୍କ ଅଭିଜ୍ଞତା ଓ ରାୟ ପ୍ରଦାନର ମାପକାଠି ଆଧାରରେ ସେମାନଙ୍କ ନିଯୁକ୍ତି ହେବ । ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ଦେଶର ପ୍ରମୁଖ ୫୦ ଜଣ ବିଚାରପତିଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଇ ସେମାନଙ୍କ ଦକ୍ଷତା ଓ କାର୍ଯ୍ୟର ବିଶ୍ଳେଷଣ କରାଯିବ ।
ସେହିଭଳି ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି ନିଯୁକ୍ତି ଲାଗି ପ୍ରାର୍ଥୀଙ୍କ ମୂଲ୍ୟାଙ୍କନ କରିବା ସଂକ୍ରାନ୍ତ ତଥ୍ୟ କଲେଜିୟମ ପାଖରେ ରହୁନଥିବା ବୋଲି ଯେଉଁ ଅଭିଯୋଗ ହେଉଛି ତାକୁ ପ୍ରଧାନ ବିଚାରପତି ଖଣ୍ଡନ କରିଛନ୍ତି । କହିଛନ୍ତି ଦେଶର ୫୦ ଜଣ ପ୍ରମୁଖ ବିଚାରପତିଙ୍କୁ ନେଇ କଲେଜିୟମ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିଛି । ସେହି ବିଚାରପତିଙ୍କ ଦକ୍ଷତା ଆକଳନ କରାଯାଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି ।