ବେଙ୍ଗାଲୁର,୨୬।୯: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନିଜ ପଦବୀରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ମହୀଶୂର ସହର ବିକାଶ ପ୍ରାଧିକରଣ(MUDA) ପକ୍ଷରୁ ତାଙ୍କ ପତ୍ନୀଙ୍କୁ ୧୪ ଟି ଜମି ଆବଣ୍ଟିତ କରାଯିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଭୁଲ। ଏହା କେବଳ ବିଜେପିର ଷଡଯନ୍ତ୍ର ବୋଲି ସେ କହିଛନ୍ତି।
ସୋମବାର ହାଇକୋର୍ଟର ସିଙ୍ଗିଲ ବେଞ୍ଚଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ ଦେବା ପାଇଁ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକ ହାଇକୋର୍ଟଙ୍କ ଡବଲ ବେଞ୍ଚରେ ଆବେଦନ କରିପାରନ୍ତି। ସିଙ୍ଗିଲ ବେଞ୍ଚ ମୁଖ୍ୟମନ୍ତ୍ରୀଙ୍କ ଉପରେ ମକୋଦ୍ଦମା ଚଳାଇବା ପାଇଁ ରାଜ୍ୟପାଳଙ୍କୁ ସବୁଜ ସଙ୍କେତ ଦେଇଥିଲେ। ଏହାପରେ ବୁଧବାର ବେଙ୍ଗାଲୁରର ଏକ ସ୍ବତନ୍ତ୍ର କୋର୍ଟ MUDA ଭୂମି ଆବଣ୍ଟନ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମହୀଶୂରରେ ଲୋକାୟୁକ୍ତ ପୋଲିସ ପକ୍ଷରୁ ଯାଞ୍ଚ କରିବାର ନିର୍ଦେଶ ଦେଇଥିଲେ। ଏହା ସହ ତାଙ୍କ ବିରୋଧରେ ଏଫ୍ଆଇର ରୁଜୁ କରିବାର ରାସ୍ତା ମଧ୍ୟ ସଫା ହୋଇଯାଇଛି।
ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ମଧ୍ୟ ସିଦ୍ଧରମେୟାଙ୍କ ଇସ୍ତଫା ସମ୍ଭାବନାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷେ ଗୁରୁବାର ବିରୋଧି ବିଜେପି ସିଦ୍ଧରମେୟାଙ୍କ ଇସ୍ତଫା ଦାବି କରି ବିଧାନସୌଧରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଆଗରେ ଧାରଣା ଦେଇଥିଲା। ବିଧାନସଭା ଓ ବିଧାନ ପରିଷଦରେ ବିରୋଧି ନେତା ଆର ଅଶୋକ ଓ ଚାଲାଓ୍ବାଡି ନାରାୟଣ ସ୍ବାମୀଙ୍କ ନେତୃତ୍ବରେ ବହୁ ପାର୍ଟି ବିଧାୟକ ଓ ନେତା ଏହାକୁ ବିରୋଧ କରି ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।