ବାଙ୍ଗାଲୋର,୧୫।୧୧: କ’ଣ ଆପଣ କେବେ ଦୋସା ଖାଇଛନ୍ତି ? ଆମକୁ ଆଶା ଯେ, ନିଶ୍ଚୟ ଖାଇଥିବେ। ଯଦି ଆପଣଙ୍କୁ ଦୋସା ପସନ୍ଦ ତେବେ ଏହି ଭାଇରାଲ ଭିଡିଓ ଦେଖନ୍ତୁ। ଭାଇରାଲ ଭିଡିଓଟି ବେଙ୍ଗାଲୁରର ବୋଲି କୁହାଯାଉଛି। ଏହି ଭିଡିଓ ଦେଖିବା ପରେ ନିହାତି ଖାଇବା ଆଗରୁ ଟିକେ ଏହାର ସ୍ବଚ୍ଛତା ନେଇ ଭାବିବେ। କାରଣ ଭିଡିଓରେ ଦୋସା ତିଆରି କରୁଥିବା ବ୍ୟକ୍ତି ଝାଡୁରେ ଦୋସା ତାଓ୍ବାକୁ ସଫା କରୁଥିବାର ଦେଖାଯାଉଛନ୍ତି। ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ ଏହି ଭାଇରାଲ ଭିଡିଓକୁ ୧୬ ମିଲିୟନ ଭ୍ୟୁ ମିଳିସାରିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଦୋସା ତିଆରି କରିବା ପୂର୍ବରୁ ଜଣେ ବ୍ୟକ୍ତି ତାଓ୍ବାକୁ ପାଣିରେ ଧୋଇ ତାକୁ ଝାଡୁରେ ସଫା କରୁଛନ୍ତି। ଏହାପରେ ସେହି ତାଓ୍ବାରେ ଦୋସା ପୁଣିଥରେ ତିଆରି କରୁଛନ୍ତି। ତା ଉପରେ ଖୁବ୍ ଅଧିକ ତେଲ ପକାଉଛନ୍ତି। ପରେ ସେହି ଦୋସାକୁ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ସବୁଠାରୁ ବଡ କଥା ହେଲା ସେହି ଦୋସା ଖାଇବାକୁ ସେଠାରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳୁଛି।
ଏହି ଭିଡିଓକୁ ଫେସବୁକ୍ରେ Thefoodiebae ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଭିଡିଓର କ୍ୟାପସନ୍ରେ ଲେଖିଛନ୍ତି ‘ବାଙ୍ଗାଲୋରର ସବୁଠାରୁ ହାଇଟେକ୍ ଦୋସା ପାଇଁ କ୍ରେଜି ରସ୍’। ତାଙ୍କର ଏହି ଭିଡିଓ ଉପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି। ତେବେ ଜଣେ ୟୁଜର ଲେଖିଛନ୍ତି ଏହା ତ କେଜ୍ରିଓ୍ବାଲ ଦୋସା।’ ତେବେ ସେ କେଜ୍ରଓ୍ବାଲ ଦୋସା କହିବାର କାରଣ ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଦଳ ଆମ ଆଦମୀ ପାର୍ଟିର ଚିହ୍ନ ହେଲା ଝାଡୁ।