ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଡଦାଣ୍ଡରେ ମିଳୁନି ସୁସ୍ୱାଦୁ ଖଜା, ନିରାଶରେ ଫେରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ପୁରୀ,୦୧/୦୨: ବଡଦାଣ୍ଡରେ ମିଳୁନି  ଆଉ ସୁସ୍ୱାଦୁ ଖଜା । ଖଜା ଘରକୁ ନେବା ଲାଗି ଶ୍ରଦ୍ଧାଳୁମାନେ ଏଣେତେଣେ ବୁଲି କଲବଲ ହେଉଛନ୍ତି । ଏପରିକି ସେମାନେ କେଉଁଠାରୁ ଭଲ ଖଜା ପାଇବେ ତାହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଗତ କିଛି ସପ୍ତାହ ହେବ ବଡଦାଣ୍ଡରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ମହାପ୍ରଭୁଙ୍କୁ ଦର୍ଶନ  ଲାଗି ପୁରୀରେ ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଥାଏ ।  ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ପାଇଁ ଖଜା ନେବାକୁ  ଖୋଜିଥାନ୍ତି । ହେଲେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ବଡ଼ଦାଣ୍ଡକୁ ଉଠଦୋକାନୀ ମୁକ୍ତ କରିଥିଲା  ପ୍ରଶାସନ । ସେବେଠାରୁ ବଡ଼ଦାଣ୍ଡରେ ଆଉ ଖଜା ଦୋକାନ ଦେଖିବାକୁ ମିଳୁନାହିଁ । 

ଯାଜପୁରର ଆସିଥିବା ଜଣେ ଭକ୍ତ ଚକ୍ରଧର ପ୍ରତିହାରୀଙ୍କ କହିବା ଅନୁସାରେ ପୂର୍ବରୁ ପୁରୀକୁ  ଆସିଲେ ବିଭିନ୍ନ ପ୍ରକାର ଖଜା ବଡଦାଣ୍ଡରୁ ନେଇଥାଉ । କିନ୍ତୁ ଏବେ ଏଠି ଖଜା ମିଳୁନାହିଁ ।  ବଡ ଦାଣ୍ଡରେ ଆଉ ଦୋକାନ ବି ଦେଖିବାକୁ  ମିଳୁନାହିଁ । ତେବେ କେଉଁଠାରେ ଏହି ଖଜା ମିଳିବ ତାହା ଜଣାପଡୁନି । ମୁଁ ଏକୁଟିଆ ନୁହେଁ ମୋ’ ଭଳି ଅନେକ ଲୋକ ନିରାଶରେ ଫେରୁଛନ୍ତି ।  

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଶ୍ରଦ୍ଧାଳୁଙ୍କ ବେଶୀ ଭିଡ ଜମୁଛି ବଡଦାଣ୍ଡରେ ।  ସେହିପରି ରାଜ୍ୟ ସରକାର ପ୍ରତ୍ୟେକ ଦିନ ୧୦ହଜାର ଶ୍ରଦ୍ଧାଳଙ୍କୁ ପୁରୀ ଆଣୁଛନ୍ତି । ସେମାନେ  ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା  ପ୍ରକଳ୍ପ ପ୍ରଦକ୍ଷିଣ କରୁଛନ୍ତି । ନରେଶ ମହାନ୍ତି ନାମକ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ପୁରୀର ଖଜାର  ସ୍ୱତନ୍ତ୍ରତା ରହିଛି । 

ଶ୍ରଦ୍ଧାଳୁଙ୍କ ନିମନ୍ତେ ଏକ ସ୍ଥାନରେ  ଖଜା ଦୋକାନ ଖୋଲିବା ଆବଶ୍ୟକ। ଫଳରେ  ଶ୍ରଦ୍ଧାଳୁମାନେ କଲବଲ ନ ହୋଇ ସୁବିଧାରେ  ଖଜା ପାଇପାରନ୍ତେ । ଏସମ୍ପର୍କରେ ପୌରପାଳିକା  କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ  କୁହନ୍ତି, ଖଜା ବ୍ୟବସାୟମାନଙ୍କୁ ବସିବା ଲାଗି  କୌଣସି ଚିନ୍ତା କରାଯାଇନାହିଁ । ସେ ନେଇ ଜିଲ୍ଲାର  ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା  ପରେ ନିଷ୍ପତ୍ତି ଗ୍ରହଣ କରାଯିବ । 

ସୂଚନାଥାଉକି, ସିଂହଦ୍ୱାରଠାରୁ ମେଡିକାଲ  ଛକ ପର୍ଯ୍ୟନ୍ତ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ରହିଥିବା  ସମସ୍ତ ଉଠାଦୋକାନୀକୁ ଉଚ୍ଛେଦ କରାଯାଇଥିଲା ।  ଏପରିକି ସେମାନଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ  କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲା । ଉଚ୍ଛେଦ  ପରେ ବଡଦାଣ୍ଡର ଖଜା ବ୍ୟବସାୟୀମାନେ ବିଭିନ୍ନ  ଗଳିକନ୍ଦି ଓ ବାଟମଙ୍ଗଳା ନିକଟସ୍ଥ ରାସ୍ତା ଉପରେ  ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ହେଲେ  ପର୍ଯ୍ୟଟକମାନେ ତାହା ଜାଣି ପାରୁନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.