ସୋନପୁର ୦୯/୨: ତାଙ୍କ ପାଇଁ ଟାହିଟାପରା ଦେହସୁହା ହୋଇଯାଇଥିଲା । ବେଳେବେଳେ ମାନସିକ ଯାତନାରେ ଅତିଷ୍ଠ ହେବାକୁ ପଡ଼ୁଥିଲା । କିନ୍ତୁ ଜୀବନଯାତ୍ରାରେ ପରିବାରର ସମ୍ଭାଳିବାର ଦାୟିତ୍ୱ ବି ଥିଲା । ମୁଷ୍ଟିମେୟ ଲୋକଙ୍କ ନିକୃଷ୍ଟ ମାନସିକତା ପାଇଁ ନିଜକୁ କାହିଁକି ନିର୍ଯାତନା ଦେବେ ବୋଲି ଚିନ୍ତାକଲେ । ତାଳିମାରି ନାଚିବାକୁ, ଭିକ ମାଗିବାକୁ ମନ ବଳିଲାନି । ଲୋକଙ୍କ ଟାହିଟାପରାକୁ ଖାତିର ନକରି ରୋଜଗାର କରିବାକୁ ରାଜରାସ୍ତାକୁ ବାହାରିଲେ । ଛୋଟ ବ୍ୟବସାୟରୁ ଆରମ୍ଭ କଲେ ବେପାର । ମୋଚି ସମ୍ପ୍ରଦାୟର ହୋଇଥିବାରୁ ଯାନବାହନର ସିଟ୍ କଭର ସିଲାଇ ଏବଂ ଚମଡା ଯୋତା ଚପଲ ତିଆରି କାମ ଆରମ୍ଭ କରିଥିଲେ । ଏବେ ସେ ଜଣେ କ୍ଷୁଦ୍ର ବ୍ୟବସାୟୀ ଭାବେ ସୁପରିଚତ । ସେ ହେଉଛନ୍ତି ସୋନପୁରର ତୃତୀୟଲିଙ୍ଗୀ ଈଶ୍ୱର ଅଜଗର ।
ସୋନପୁର ପୌରାଞ୍ଚଳ ଅନ୍ତର୍ଗତ ଚମାରପଡ଼ା ବସିନ୍ଦା ଚଞ୍ଚଳ ଅଜଗରଙ୍କ ପୁଅ ଈଶ୍ୱର ତୃତୀୟଲିଙ୍ଗୀ ବୋଲି ପିଲାବେଳୁ ଜଣାପଡ଼ିଥିଲା । ସ୍କୁଲ ଯିବା ସମୟରେ ସାଙ୍ଗମାନଙ୍କ ଟାହିଟାପରାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଆର୍ଥିକ ଅନଟନ ଓ ଲିଙ୍ଗଗତ ବିଭେଦ ଯୋଗୁ ଅଷ୍ଟମ ଶ୍ରେଣୀପରେ ପାଠପଢ଼ାରେ ଡୋରି ଲାଗିଲା । ଏହାସତ୍ତେ୍ୱ ମନୋବଳ ଦୃଢ଼ ହୋଇଥିବାରୁ ଅନ୍ୟମାନଙ୍କ ଅଜ୍ଞତା ଯୋଗୁ ହେଉଥିବା ଅପବାଦ ସମ୍ମୁଖରେ ହାରିନଯାଇ ନିଜେ ମୁଣ୍ଡ ଟେକିଥିଲେ । ଲୋକ ଲଜ୍ଜାକୁ ଅଣଦେଖାକରି କୋମଳ ବୟସରେ ନିଜ ପରିବାର ସମ୍ଭାଳିବା ପାଇଁ ବାହରିଥିଲେ । ସୋନପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା କଡ଼ରେ ଏକ ଛୋଟିଆ ଦୋକାନ କରି ଭଲ ରୋଜଗାର କରୁଥିବା କହିଛନ୍ତି । ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ବା କିରାଣି ଯେତିକି ରୋଜଗାର କରିବେ ତାହାଠାରୁ ଈଶ୍ୱର ଅଧିକ ରୋଜଗାର କରୁଥିବା କହିଛନ୍ତି ।
ନିଜେ ବ୍ୟବସାୟରେ ସଫଳ ହେବାପରେ ଇତିମଧ୍ୟରେ ନିଜର ଦୁଇ ଭଉଣୀଙ୍କୁ ବିବାହ କରାଇ ସାରିଲେଣି । ମନଭିତରେ ପାଠ ପଢ଼ିନପାରିବାର ଅବସୋର ଥିବାରୁ ନିଜ ଭାଇଙ୍କୁ ଉଚ୍ଚ ଶିକ୍ଷିତ କରିବା ଲକ୍ଷ୍ୟରେ ଈଶ୍ୱର ତାକୁ ପାଠ ପଢ଼ାଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୨୧ଜଣ ତୃତୀୟଲିଙ୍ଗୀ ପଞ୍ଜୀକୃତ ହୋଇଥିବା ବେଳେ ସମାଜିକ ସୁରକ୍ଷା ଯୋଜନାରେ ପଞ୍ଜିୀକୃତ ତୃତୀୟଲିଙ୍ଗୀଙ୍କୁ ସରକାରଙ୍କ ତରଫରୁ ଭତ୍ତାର ବ୍ୟବସ୍ଥା ରହିଛି । ମାତ୍ର ସେ ଏଯାବତ୍ ଭତ୍ତା ନେଇନଥିବା କହିଛନ୍ତି । ଇଶ୍ୱରଙ୍କ କହିବାନୁଯାୟୀ ତୃତୀୟଲିଙ୍ଗୀମାନେ ରାସ୍ତା କଡ଼ରେ ବସ୍ଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଲୋକଙ୍କଠାରୁ ଟଙ୍କା ପଇସା ମାଗିବା ଘଟଣା ଖୁବ୍ କଷ୍ଟକର । ସେମାନେ ସବୁ ନିଜେ ରୋଜଗାରକ୍ଷମ ହେବା ସହିତ ସ୍ୱାବଲମ୍ବୀ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି