ନୂଆଦିଲ୍ଲୀ,୨୪/୮: ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ମୃତ ଡାକ୍ତରୀ ଛାତ୍ରୀଙ୍କ ୪ଜଣ ସହକର୍ମୀ ଓ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କର ଲାଏ-ଡିଟେକ୍ଟସନ ଟେଷ୍ଟ କରିବ‘ସିବିଆଇ’ । ଜେରା ବେଳେ ଏମାନଙ୍କ ବିବୃତ୍ତିରେ ତାଳମେଳ ନ ରହିବାରୁ ବଢିଛି ସନ୍ଦେହ । ଏଥିମଧ୍ୟରେ ଦୁଇଜଣ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ, ଜଣେ ଇଣ୍ଟର୍ଣ୍ଣ ଓ ଜଣେ ହାଉସ ସର୍ଜନ ରହିଛନ୍ତି ।
ତେବେ କେନ୍ଦ୍ରୀୟ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, ଏହି ଚାରିଜଣ ଡାକ୍ତର ଅପରାଧରେ ସମ୍ପୃକ୍ତ ଥିବା ପରି ଜଣାପଡୁ ନାହିଁ, ମାତ୍ର ଏମାନେ ଘଟଣା ସମ୍ପର୍କରେ ଜାଣିଥାଇ ପାରନ୍ତି ଓ ପ୍ରମାଣ ନଷ୍ଟ କରି ଘଟଣାକୁ ଭିନ୍ନ ମୋଡ ଦେବାରେ ସେମାନଙ୍କର ଭୂମିକା ଥାଇପାରେ ବୋଲି ସନ୍ଦେହ କରାଯାଉଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସୂତ୍ରାନୁଯାୟୀ, ପୀଡିତାଙ୍କ ମୃତଦେହ ମିଳିଥିବା ହସ୍ପିଟାଲ ବିଲ୍ଡିଂର ତୃତୀୟ ମହଲା ସେମିନାର ରୁମରେ ଏହି ଚାରିଜଣ ଡାକ୍ତରଙ୍କ ମଧ୍ୟରୁ ଦୁଇଜଣଙ୍କ ଫିଙ୍ଗର ପ୍ରିଣ୍ଟ ମିଳିଛି । ସେହିଦିନ ରାତିରେ ପ୍ରଥମ ମହଲାରୁ ତୃତୀୟ ମହଲାକୁ ଯାଉଥିବା ବେଳେ ହାଉସ୍ ସର୍ଜନ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛନ୍ତି । ସେ ସେହି ଦିନ ବିଳମ୍ବିତ ରାତିରେ ତୃତୀୟ ମହଲାକୁ ଯାଇଥିଲେ ।
ସୂଚନାନୁସାରେ, ପୀଡିତା ଏବଂ ଦୁଇଜଣ ପ୍ରଥମ ବର୍ଷର ସ୍ନାତକୋତ୍ତର ଟ୍ରେନି ଡାକ୍ତର ପ୍ରାୟ ମଧ୍ୟରାତ୍ରିରେ ଏକାଠୀ ରାତ୍ରୀଭୋଜନ କରିଥିଲେ । ତା’ପରେ ସେମାନେ ସେମିନାର ରୁମକୁ ଯାଇ କିଛି ସମୟ ବିଶ୍ରାମ କରିଥିଲେ । ସେଠାରେ ସେମାନେ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଇଭେଣ୍ଟ ଦେଖିଥିଲେ । ରାତି ପ୍ରାୟ ୨ଟା ସମୟରେ ଦୁଇ ସହକର୍ମୀ ସେମିନାର ହଲରୁ ଶୟନ କୋଠରୀକୁ ଯାଇଥିଲେ । ସେଠାରେ ସେମାନେ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ବିଶ୍ରାମ ପାଇଁ ଥିବା ପ୍ରକୋଷ୍ଠରେ ବିଶ୍ରାମ କରିଥିଲେ । କିନ୍ତୁ ପୀଡିତା ସେମିନାର ରୁମରେ ରହିଥିଲେ ।
ହେଲେ ପର ଦିନ ସକାଳ ପ୍ରାୟ 9.30 ସମୟରେ ପୀଡିତାଙ୍କ ସହ ରାତ୍ରିଭୋଜନ କରିଥିବା ଜଣେ ଟ୍ରେନି ଡାକ୍ତର ସେମିନାର ହଲକୁ ଯାଇଥିବାବେଳେ ସେଠାରେ ପୀଡିତାଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଥିଲା । ପରଦିନ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଥିଲା । ସନ୍ଦୀପ ଘୋଷ ତୁରନ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ କିଛି ଘଣ୍ଟା ବ୍ୟବଧାନରେ ଆଉ ଏକ ସରକାରୀ ମେଡିକାଲ ପ୍ରତିଷ୍ଠାନ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଆଉ ଏବେ ପ୍ରମାଣ ନଷ୍ଟ କିମ୍ବା ମାମଲାକୁ ଦବାଇ ଦେବାକୁ ଉଦ୍ୟମ କରାଯାଉଥିବା ନେଇ ବିବାଦ ଜୋର ଧରିଛି ।