କୋଲକାତା,୧୯/୦୮: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତରଙ୍କ ପ୍ରଦର୍ଶନ ସୋମବାର ମଧ୍ୟ ଜାରି ରହିଛି। ଦେଶର ବିଭିନ୍ନ ସ୍ଥାନରେ ଡାକ୍ତରମାନେ ବିରୋଧ କରୁଛନ୍ତି ଏବଂ ନିରାପଦ ଅଞ୍ଚଳ ତଥା ଡାକ୍ତରଖାନାର ସୁରକ୍ଷା ପାଇଁ ଆଇନ ଲାଗୁ କରିବାକୁ ଦାବି ରହିଛି। ଏସବୁ ମଧ୍ୟରେ ରାଜନୀତି ମଧ୍ୟ ଜୋରସୋରରେ ଚାଲିଛି। 'ରେସିଡେଣ୍ଟ ଡାକ୍ତର ଆସୋସିଏସନ, ଏମ୍ସ କହିଛି ଯେ, ଏମ୍ସ ଏବଂ ଦିଲ୍ଲୀର ଅନ୍ୟାନ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ଅଗଷ୍ଟ ୧୯ ରୁ ନିର୍ମାଣ ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାମ୍ନା ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଦେବେ, ଯେପର୍ଯ୍ୟନ୍ତ ଆମେ କେନ୍ଦ୍ରୀୟ ସୁରକ୍ଷା ଆଇନ ମାଧ୍ୟମରେ ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ନପାଇଛୁ, ସେପର୍ଯ୍ୟନ୍ତ ଏହା ଚାଲିବ।
ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫାକୁ ନେଇ ବିଜେପି ପୁଣି ଥରେ ଦାବି କରିଛି। ଦଳର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ କୋଲକାତା ମାମଲାରେ ପୀଡିତାଙ୍କ ପିତାମାତାଙ୍କ ବିବୃତ୍ତି ପରେ ଯଦି ମମତା ବାନାର୍ଜୀଙ୍କର ସାମାନ୍ୟତମ ନୈତିକତା ବାକି ଅଛି, ତେବେ ସେ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ। ଝିଅମାନଙ୍କୁ ବଞ୍ଚାଇବାକୁ ମମତା ସରକାର ଆଗ୍ରହୀ ନୁହଁନ୍ତି। ବିଜେପି ନେତା କହିଛନ୍ତି ଯେ ଅପରାଧୀଙ୍କୁ ବଞ୍ଚାଇବା, ପ୍ରମାଣ ନଷ୍ଟ କରିବା ଏବଂ ସତ୍ୟକୁ ଲୁଚାଇବା ମମତା ସରକାରଙ୍କ ପ୍ରାଥମିକତା। ରାଜ୍ୟ ସରକାର ପୀଡିତାଙ୍କ ପିତାମାତାଙ୍କଠାରୁ କେଉଁ ସତ୍ୟକୁ ଲୁଚାଉଛନ୍ତି ଯେ ସେମାନଙ୍କୁ ପ୍ରଥମ ଦିନରୁ ଭ୍ରମିତ କରାଯାଉଛି। ମମତା ଇସ୍ତଫା ଦେବା ଉଚିତ।
କୋଲକାତାର ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଏହି ଜଘନ୍ୟ ଅପରାଧକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ଅଦାଲତର ୱେବସାଇଟରେ ଅପଲୋଡ୍ ହୋଇଥିବା ସୂଚୀ ଅନୁଯାୟୀ ଅଗଷ୍ଟ ୨୦ ତାରିଖ ମଙ୍ଗଳବାର ଦିନ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ଅନ୍ୟପକ୍ଷରେ ୭୦ ପଦ୍ମ ପୁରସ୍କାର ବିଜେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ହସ୍ତକ୍ଷେପ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ମହିଳା, ବାଳିକା ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହେଉଥିବା ହିଂସାକୁ ମୁକାବିଲା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେପଟେ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରାଜ ଭବନ ସୂତ୍ରରୁ ଜଣାଯାଇଛି ଯେ ଆର.ଜି କର ମେଡିକାଲରେ ହୋଇଥିବା ଜଘନ୍ୟ କାମକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହିତ ବୈଠକ କରିବାକୁ ସମୟ ମାଗିଛନ୍ତି।