ନୂଆଦିଲ୍ଲୀ, ୧୦/୦୯: କୋଲକାତା ଆର୍ଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ସୋମବାର ପୁନଃ ଶୁଣାଣି କରିଛନ୍ତି । ଶୁଣାଣିବେଳେ ସୁପ୍ରିମକୋର୍ଟ ରାଜ୍ୟରେ ଆନ୍ଦୋଳନରତ ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ କାମ ହେଉଛି ରୋଗୀଙ୍କ ସେବା କରିବା । ଡାକ୍ତର ଆନ୍ଦୋଳନରେ ରହିବା ଦ୍ୱାରା ବହୁସଂଖ୍ୟାରେ ରୋଗୀ ଦୁର୍ଦ୍ଦଶା ଭୋଗୁଛନ୍ତି । ତେଣୁ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ଡାକ୍ତରମାନେ ଡ୍ୟୁଟିରେ ଯୋଗ ନ ଦେଲେ ତାଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ଏବଂ ତାହାକୁ ରୋକାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଅନ୍ୟପକ୍ଷରେ ମୃତା ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ସହ ପଠାଯାଇଥିବା ‘ଚାଲାଣ’ ଦାଖଲ କରିବାକୁ ପଶ୍ଚିମବଙ୍ଗ ପୁଲିସକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚାଲାଣରୁ ଶବ ସହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ସାମଗ୍ରୀ ତଥା ଉପକରଣ ବାବଦରେ ଜଣାପଡ଼ିବ । ପୀଡ଼ିତା ଡାକ୍ତରଙ୍କ ପୋଷାକକୁ ବ୍ୟବଚ୍ଛେଦ ସମୟରେ ସିଲ୍ କରାଯାଇ ପୋଷ୍ଟମର୍ଟମ ଟିମ୍କୁ ପଠାଯାଇ ନ ଥିବା କଥା ସୁପ୍ରିମକୋର୍ଟରେ ଉଠିବା ପରେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ଏହି ଦସ୍ତାବିଜ୍ ଗାଏବ ଅଛି ତେବେ ନିଶ୍ଚିତ ଏଥିରେ କିଛି ଗଡ଼ବଡ଼ ରହିଛି । ଏଫ୍ଆଇଆର୍ରେ ୧୪ ଘଣ୍ଟା ବିଳମ୍ବ ହେବା ଉପରେ ମଧ୍ୟ ସୁପ୍ରିମକୋର୍ଟ ସନ୍ଦେହ ବ୍ୟକ୍ତ କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ, ଉକ୍ତ ଦସ୍ତାବିଜ୍ କୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିବା ଦସ୍ତାବିଜ୍ଗୁଡ଼ିକ ମଧ୍ୟରେ ନାହିଁ । ତେଣୁ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିବେଳେ ରାଜ୍ୟ ସରକାର ଉକ୍ତ ଚାଲାଣ ଦାଖଲ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ସିବିଆଇ ଏବଂ କୋଲକାତା ପୁଲିସ ଦ୍ୱାରା ଦାୟର ଷ୍ଟାଟସ୍ ରିପୋର୍ଟର ଅବଲୋକନ କରିଥିଲେ ।
ସିବିଆଇ ନୂଆ ଘଟଣାକ୍ରମକୁ ରେଖାଙ୍କିତ କରିବା ସହ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ କରୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି କୋଲକାତା ପୁଲିସ ୨୭ ମିନିଟ୍ର ସିସିଟିଭି ଫୁଟେଜର ୪ଟି କ୍ଲିପ୍ ପ୍ରଦାନ କରିଥିବା କଥା ସିବିଆଇ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା । ସଲିସିଟର ଜେନେରାଲ ତୁଷାର ମେହତା ଫରେନ୍ସିକ୍ ରିପୋର୍ଟ ଉପରେ ସନ୍ଦେହ ବ୍ୟକ୍ତ କରିଥିଲେ । ନମୁନାକୁ ସିବିଆଇ ପଶ୍ଚିମବଙ୍ଗ ବାହାରେ ଏମ୍ସ ଏବଂ ଅନ୍ୟ ଲାବରେଟୋରିକୁ ପଠାଇବାକୁ ନିଷ୍ପତ୍ତି ନେଇଥିବା ମେହତା କହିଥିଲେ । ସଲିସିଟର ଜେନେରାଲ ଆହୁରି କହିଥିଲେ ଯେ, ସକାଳ ସାଢ଼େ ୯ଟାରେ ଡାକ୍ତରଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ମିଳିଥିଲା । ଶରୀରରେ ଆଘାତ ଚିହ୍ନ ଥିଲା । ନମୁନା ସଂଗ୍ରହ ପରେ ପଶ୍ଚିମବଙ୍ଗରେ ଥିବା କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବ୍(ସିଏଫ୍ଏସ୍ଏଲ୍) କୁ ପଠାଯାଇଥିଲା । ଏବେ ସିବିଆଇ ନମୁନାକୁ ଏମ୍ସ ଏବଂ ଅନ୍ୟ ସିଏଫ୍ଏସ୍ଏଲ୍କୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ଯେଉଁ ବ୍ୟକ୍ତି ନମୁନା ସଂଗ୍ରହ କରିଥିଲେ ସେ ଏବେ ବେଶ୍ ପ୍ରାସଙ୍ଗିକ ।
ସେହିପରି ରାଜ୍ୟରେ ସିଆଇଏସ୍ଏଫ୍ ଯବାନଙ୍କ ସୁବିଧା ପାଇଁ ସେମାନଙ୍କ ରହିବା ଲାଗି ଘର ଯୋଗାଇଦେବାକୁ ସୁପ୍ରିମକୋର୍ଟ ରାଜ୍ୟର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଯବାନମାନେ ହସ୍ପିଟାଲରେ ମୁତୟନ ହୋଇଛନ୍ତି ସେମାନଙ୍କୁ ଅତିରିକ୍ତ ସୁରକ୍ଷା ଉପକରଣ ଯୋଗାଇଦେବାକୁ ମଧ୍ୟ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।