ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଏକକର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଷ୍ଟାର ସଟ୍ଲର୍ ଲକ୍ଷ୍ୟ ସେନ୍ । ଲକ୍ଷ୍ୟ ସେନ୍ଙ୍କ ଜବରଦସ୍ତ ପ୍ରଦର୍ଶନରେ ପଦକ ଆଶା ଉଜ୍ଜୀବିତ ହୋଇଛି । ଅଲିମ୍ପିକ୍ସ ୨୦୨୪ରେ ପୁରୁଷ ଏକକ ବ୍ୟାଡମିଣ୍ଟନ ସେମିଫାଇଲାରେ ପ୍ରବେଶ କରିବା ସହ ଇତିହାସ ରଚିଛନ୍ତି ଲକ୍ଷ୍ୟ ସେନ୍ । ଅଲିମ୍ପିକ୍ସ ଇତିହାସରେ ସେମିଫାଇନାଲରେ ପହଞ୍ଚିବାରେ ସେ ପ୍ରଥମ ଭାରତୀୟ ପୁରୁଷ ସଟ୍ଲର୍ ହୋଇଛନ୍ତି । ଲକ୍ଷ୍ୟ ସେନ୍ ନିଜର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ପଛରେ ରହିବା ପରେ ଜୋରଦାର କମ୍ବ୍ୟାକ୍ କରିଥିଲେ । ତାଇୱାନର ସଟ୍ଲର୍ଙ୍କୁ ୧୯-୨୧, ୨୧-୧୫ ଏବଂ ୨୧-୧୨ ଗେମ୍ରେ ପରାସ୍ତ କରିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରୁ ପଦକ ପାଇଁ ଲକ୍ଷ୍ୟ ସେନ୍ ଭାରତର ଏକମାତ୍ର ଆଶା । କ୍ୱାର୍ଟରରେ ଲକ୍ଷ୍ୟଙ୍କ ସାମନାରେ ବଡ଼ ଚ୍ୟାଲେଞ୍ଜ ଥିଲା । ତାଇୱାନର ଖେଳାଳି ଚାଉ ଟିଏନ ଚେନଙ୍କ ବିପକ୍ଷରେ ଖେଳିଥିବା ୪ ମୁକାବିଲାରେ ଲକ୍ଷ୍ୟ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲେ । ଆଜିର ମ୍ୟାଚ୍ ଆରମ୍ଭ ମଧ୍ୟ ଭଲ ନଥିଲା ଏବଂ ପ୍ରଥମ ଗେମ୍କୁ ତାଇୱାନ୍ ଖେଳାଳି ୨୧-୧୯ରେ ଗେମ୍ ଜିତିଥିଲେ । କିନ୍ତୁ ଏହାପରେ ଲକ୍ଷ୍ୟ ସେନ୍ ଜୋରଦାର କମ୍ବ୍ୟାକ୍ କରିଥିଲେ ଏବଂ ଚାଉଙ୍କୁ ପୂରା ମ୍ୟାଚ୍ରେ ବ୍ୟାକ୍ଫୁଟ୍ରେ ରଖିଥିଲେ । ଲକ୍ଷ୍ୟ ସେନ୍ ପରବର୍ତ୍ତୀ ଦୁଇଟି ଗେମ୍ରେ ଅତି ଚମତ୍କାର ସ୍ମାସ୍ ଏବଂ ଡ୍ରପ୍ ସଟ୍ସ ଖେଳି ୨୧-୧୫ ଏବଂ ୨୧-୧୨ର ବଡ଼ ବ୍ୟବଧାନରେ ନିଜ ନାଁରେ କରିଥିଲେ ।
ତାଙ୍କ ପୂର୍ବରୁ କେ.ଶ୍ରୀକାନ୍ତ (୨୦୧୬) ଏବଂ ପାରୁପଲ୍ଲୀ କଶ୍ୟପ (୨୦୧୨) ଅଲିମ୍ପିକ୍ସରେ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ନିଜ ଯାତ୍ରା ଶେଷ କରିଥିଲେ । ଏବେ ସାରା ଦେଶ ଲକ୍ଷ୍ୟ ସେନ୍ ପଦକ ଜିଣିବେ ବୋଲି ବେଶ ଆଶବାଦୀ ରହିଛି ।