ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭୦ ସିଟ୍‌ରେ ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ, ଭୋଟ ଭିଡ଼ିବାକୁ ବିଜେଡି ଓ ବିଜେପିର କସରତ

Image source:

ଭୁବନେଶ୍ୱର ୨୦/୦୪( ରାମଜୀବନ ଗୋଛାୟତ): ରାଜ୍ୟରେ ଏବେ ବି କଂଗ୍ରେସର ରହିଛି ଭୋଟବ୍ୟାଙ୍କ । ଆଖିଦୃଶିଆ ଆସନରେ ଦଳ ଜିତିନପାରେ । ମାତ୍ର ରାଜ୍ୟରେ ୭୦ରୁ ଅଧିକ ସିଟ୍‌ରେ ଦଳ ଯେ ନିର୍ଣ୍ଣାୟକ ଭୂମିକା ନେବ ତାହା କହୁଛି ଭୋଟ୍‌ ଗଣିତ । ୨୦୧୯ ଭୋଟ ଫଳାଫଳ ଓ କଂଗ୍ରେସର ଭୋଟ ହାରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଚଳିତ ନିର୍ବାଚନରେ ମଧ୍ୟ କଂଗ୍ରେସ ହାରଜିତ୍‌ରେ ତୁଲାଇବ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

୨୦୧୯ରେ କଂଗ୍ରେସ ଖାତାକୁ ଆସିଥିଲା ୯ ବିଧାନସଭା ସିଟ୍‌ । ଦଳ କିନ୍ତୁ ପ୍ରାୟ ୬୨ଟି ସିଟ୍‌ରେ ଭଲ ଭୋଟ୍‌ ପାଇଥିଲା । ସେଥିରୁ ୩୧ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା ।  ଗତଥର ତଗଡ଼ା ଲଢ଼େଇ ଲଢ଼ିଥିବା ଆସନରେ ଏଥର କଂଗ୍ରେସ ବିଜୟ ବାନା ଉଡ଼ାଇବାକୁ ଯଥାସମ୍ଭବ ଉଦ୍ୟମ କରୁଛି । ଭୋଟ ବିଶାରଦଙ୍କ ଯୁକ୍ତି ହେଉଛି, ଏ ସମସ୍ତ ସିଟ୍‌ରେ କଂଗ୍ରେସ ଜିତିନପାରେ । ମାତ୍ର ହାତର ଭୋଟବ୍ୟାଙ୍କ ଅନ୍ୟ ଦଳର ପ୍ରାର୍ଥୀଙ୍କ ଜୟ ପରାଜୟର ବଡ଼ କାରଣ ପାଲଟିବ । ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ଭୋଟ ହାରକୁ କଂଗ୍ରେସର ଭୋଟ ଅନେକାଂଶରେ ପ୍ରଭାବିତ କରିବ । 

ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦ୍ୱିମୁଖୀ ଲଢେଇ ହେଉଥିବା ଆସନରେ ବିଜେପି ଲାଭରେ ରହୁଥିବା ବେଳେ ତ୍ରିମୁଖୀ ଲଢେଇ ସିଟ୍‌ ଗୁଡିକରେ ବିଜେଡି ସାଧାରଣତଃ ଫାଇଦା ନେଇଥାଏ । ସରକାର ବିରୋଧୀ ଭୋଟଗୁଡ଼ିକ ବିଜେପି ଓ କଂଗ୍ରେସ ମଧ୍ୟରେ ବିଭାଜନ ହୋଇଥାଏ । ତେବେ ଆସନ୍ତା ନିର୍ବାଚନରେ ଏହି ଭୋଟ୍‌ ବିଭାଜନରୁ କଂଗ୍ରେସ ଲାଭବାନ ହେବ କି ବିଜେପି ସେଗୁଡିକୁ ଅଧିକ ହାତେଇପାରିବ, ତାହା ସେମାନଙ୍କ ରଣନୀତି ଉପରେ ନିର୍ଭର କରୁଛି । କଂଗ୍ରେସର ପାରମ୍ପରିକ ଭୋଟ ଅକ୍ତିଆର କରିବାକୁ ବିଜେଡି ଓ ବିଜେପି ରଣକୌଶଳ ଆଦରିଛନ୍ତି ।

୨୦୧୯ରେ କଂଗ୍ରେସ ଜିତିଥିବା ୯ଜଣ ବିଧାୟକ ମଧ୍ୟରୁ ଦଳ ଛାଡି ବିଜେଡିରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ।  କଂଗ୍ରେସ ଗତ ନିର୍ବାଚନରେ ୫୯ ହଜାରରୁ ଅଧିକ ଭୋଟ ପାଇଥିଲା । କଂଗ୍ରେସର ଏହି ନିର୍ବାଚନମଣ୍ଡଳୀରେ ଏକ ଆଖିଦୃଶିଆ ଭୋଟ୍‌ ବ୍ୟାଙ୍କ ରହିଛି । ଏଥର ଏଠି କଂଗ୍ରେସର ପାରମ୍ପରିକ ଭୋଟରୁ ଯିଏ ଅଧିକ ଭିଡ଼ିପାରିବ ରାୟ ତାଙ୍କ ସପକ୍ଷକୁ ଯାଇପାରେ । 

ଜଟଣୀରେ ସମାନ ଅବସ୍ଥା । ବିଧାୟକ ସୁରେଶ ରାଉତରାୟ ଏଥର ଲଢୁନାହାନ୍ତି । ଦଳ ମଧ୍ୟ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ତେବେ ଜଟଣୀରେ କଂଗ୍ରେସର ବିଶାଳ ଭୋଟ ବ୍ୟାଙ୍କ ରହିଛି । ୨୦୧୯ରେ ସୁର ପ୍ରାର୍ଥୀ ହେବା ସହିତ ୬୮ହଜାରରୁ ଅଧିକ ଭୋଟ ପାଇଥିଲେ । ତେଣୁ ଏହି ନିର୍ବାଚନଣ୍ଡଳୀର କଂଗ୍ରେସ ଭୋଟ୍‌ ଉଭୟ ଜଟଣୀ ବିଧାନସଭା ଆସନ ଓ ଭୁବନେଶ୍ୱର ଲୋକସଭା ପାଇଁ ନିର୍ଣ୍ଣାୟକ ହେବ । 

ବଲାଙ୍ଗୀରରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରାର୍ଥୀ ନହୋଇ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ପ୍ରାର୍ଥୀ ହୋଇଛନ୍ତି । ୨୦୧୪ ଓ ୨୦୧୯ରେ ନରସିଂହ ଲଗାତର ଦୁଇ ଥର ଜିତିଛନ୍ତି । ୨୦୧୪ରେ ୬୧ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ୨୦୧୯ ବେଳକୁ ୭୧ ହଜାରରୁ ଅଧିକ ଭୋଟ ପାଇଥିଲେ । ତେବେ ଏଥର ନରସିଂହ ନିଜେ ଛିଡ଼ା ହୋଇନଥିଲେ ବି ତାଙ୍କ ପୁଅ ସମରେନ୍ଦ୍ର ଆସନକୁ ନିଜ ଅକ୍ତିଆରରେ ରଖିପାରିବେ କି ନାହିଁ ତାହା କହିବ ଭୋଟ ଫଳ ।

ଜୟପୁର ବିଧାନସଭା ଆସନରେ ୨୦୧୯ରେ ତାରା ବାହିନୀପତି ୫୯ ହଜାରରୁ ଅଧିକ ଭୋଟ୍‌ ପାଇ ଜିତିଥିଲେ । ଏହି ସିଟ୍‌ରେ କଂଗ୍ରେସ ପୁଣି ଦବଦବା ବଜାୟ ରଖିବ ବୋଲି ଚର୍ଚ୍ଚା ହେଉଛି । ଗଜପତି ଜିଲ୍ଲାର ମୋହନାରେ ମଧ୍ୟ କଂଗ୍ରେସ ୬ଥର ଜିତିଛି । ସାନଖେମୁଣ୍ଡିରେ ରମେଶ ଜେନା ମଧ୍ୟ ୨୦୦୯ ଓ ୨୦୧୯ରେ ଦୁଇଥର କଂଗ୍ରେସରୁ ଜିତିଛନ୍ତି । ଚଳିତଥର ପୁଣି ପ୍ରାର୍ଥୀ ହୋଇଛନ୍ତି । ରାଜଗାଙ୍ଗପୁରରୁ କଂଗ୍ରେସ ୬ ଥର ଜିତିବା ସହିତ ୨୦୧୯ରେ ଜିତିଥିବା ସି ଏସ୍‌ ରାଜନ ଏକା ପୁଣି ପ୍ରାର୍ଥୀ ହୋଇଛନ୍ତି । 

କଣ୍ଟାବାଞ୍ଜି ଆସନ ଏଥର ଦେଖିବ ଭିନ୍ନ ଲଢ଼େଇ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଆସନରୁ ପ୍ରାର୍ଥୀ ହେଉଛନ୍ତି । କଂଗ୍ରେସର ଗଡ଼ ଭାବେ ପରିଚିତ ଏ ଆସନରୁ ସନ୍ତୋଷ ସିଂ ସାଲୁଜା ୪ଥର ଜିତିଛନ୍ତି । ମାତ୍ର ଏଥର ଏହି ସିଟ୍‌ କଂଗ୍ରେସ ହାତରେ ରହିବ, ନା ଖସିବ ତାହା ସମ୍ମାନର ପ୍ରଶ୍ନ ।

ସେହିଭଳି ୨୦୧୯ରେ କଂଗ୍ରେସ କଟକ ବାରବାଟି ଆସନ ଦଖଲ କରିଥିଲା । ଏହାଛଡ଼ା ବାସୁଦେବପୁର, ଭଣ୍ଡାରିପୋଖରୀ, ସୋରୋ, ଭୋଗରାଇ, ବସ୍ତା, ବାଙ୍କି, କେନ୍ଦ୍ରାପଡ଼ା, ଆଳି, ରାଜନଗର, ପାରାଦୀପ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା, ବେଗୁନିଆ, ବିଶମ କଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, କୋରାପୁଟ, ପଟ୍ଟାଙ୍ଗୀ, ବୀରମହାରାଜପୁର, ଲୋଇସିଂଙ୍ଗା, ପାଟଣାଗଡ଼, ଟିଟିଲାଗଡ଼, ନୂଆପଡ଼ା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଧର୍ମଗଡ଼, ଜୁନାଗଡ଼, ଭବାନିପାଟଣା, ନର୍ଲା, ବାଲିଗୁଡ଼ା, ଜି ଉଦୟଗିରି, ମାଲକାନଗିରି, ଚିତ୍ରକୋଣ୍ଡା, ତଲସରା ପ୍ରମୁଖ ବହୁ ଆସନରେ କଂଗ୍ରେସ ୩୦ ହଜାରରୁ ଅଧିକ ଭୋଟ ପାଇଥିଲା । କିଛି ଆସନରେ ଦଳ ଖୁବ କମ ବ୍ୟବଧାନରେ ପରାଜୟ ବରଣ ମଧ୍ୟ କରିଥିଲା । ତେଣୁ ଏଥର ମଧ୍ୟ ଦଳ ଏହି ଆସନଗୁଡ଼ିକୁ ଦଖଲ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ । ଦଳ ବିଜେତା ହେଉ ବା ନ ହେଉ, ଭୋଟ ଫଳାଫଳରେ କିନ୍ତୁ ନେବ ପ୍ରମୁଖ ଭୂମିକା ।

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.