ସୋର, ୧୮/୧୧ : ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ଲୁଟ୍। ୩ ଲକ୍ଷ ୭୦ ହଜାର ଟଙ୍କା ସହ ସୁନାଗହଣା ଏବଂ ଗାଡ଼ି ଲୁଟିନେଲେ ୪ ଦୁର୍ବୃତ୍ତ। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ରସାଳପୁର ଗୋପାଳପୁର ସଲଟ ରୋଡ଼ର କାନକଟା ଅଣ୍ଟିଆଚିରା ପୋଲ ନିକଟରେ ବନ୍ଧୁକ ମୁନରେ ଜଣେ ସିମେଣ୍ଟ ଗୋଦାମ କର୍ମଚାରୀଙ୍କ ନିକଟରୁ ଲୁଟ୍ ହୋଇଥିବା ନେଇ ଖନ୍ତାପଡ଼ା ଥାନାରେ ଲିଖତ ଅଭିଯୋଗ ହୋଇଛି।
ଖବର ଅନୁସାରେ, ସୋର ସ୍ଥିତ ଓଁ ନମଃ ଶିବାୟ ଏଣ୍ଟରପ୍ରାଇଜେସ୍ ସିମେଣ୍ଟ ଦୋକାନର କର୍ମଚାରୀ ଦିଲ୍ଲୀପ କୁମାର ଦାସ ବାକି ଟଙ୍କା କଲେକ୍ସନ ପାଇଁ ଯାଇଥିଲେ। ଟଙ୍କା କଲେକ୍ସନ ସାରି ବିଳମ୍ବିତ ରାତିରେ ନିଜ ବାଇକ ଯୋଗେ ସୋର ଅଭିମୁଖେ ଫେରୁଥିଲେ। ଏତିକି ବେଳେ ଖନ୍ତାପଡ଼ା ଥାନା କାନକଟା କଣ୍ଟିଆଚିରା ପୋଲ ନିକଟରେ ୨ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ଅଟକାଇଥିଲେ। ଜଣେ ଦୁର୍ବୃତ୍ତ ଦିଲ୍ଲୀପଙ୍କ ବାଇକରେ ବସି ପଛରୁ ବନ୍ଧୁକ ଲଗାଇ ରାସ୍ତା ପାର୍ଶ୍ବରେ ଥିବା ପୋଲ ନିକଟରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକ ରଖିଥିଲେ । ପରେ ଦୁର୍ବୃତ୍ତମାନେ ତାଙ୍କ ନିକଟରୁ ମୋବାଇଲ ଫୋନ, ୨ଟି ସୁନା ମୁଦି ଏବଂ କଲେକ୍ସନ କରି ଆଣିଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ଫୋନ କରି ଅନ୍ୟ ୨ ଦୁର୍ବୃତ୍ତଙ୍କୁ ଡକାଇ ଛଡ଼ାଇ ନେଇଥିବା ସମସ୍ତ ଜିନିଷକୁ ତାଙ୍କୁ ଦେଇ ଦେଇଥିଲେ। ପରେ ଦୋକାନ କର୍ମଚାରୀଙ୍କ ବାଇକକୁ ନେଇ ଫେରାର ହୋଇଯାଇଥିଲେ। ଏନେଇ ଖନ୍ତାପଡ଼ା ଥାନାରେ ଲିଖତ ଅଭିଯୋଗ ହୋଇଛି। ପୋଲିସ ଛାନଭିନ୍ ଜାରି ରଖିଛି।