ମୁମ୍ବାଇ: ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ଏମଏଲସି (ବିଧାନ ପରିଷଦ) ପାଇଁ ଭୋଟିଂ ହୋଇଛି । ସନ୍ଧ୍ୟା ପର୍ଯ୍ୟନ୍ତ ହୋଇଥିବା ଶତପ୍ରତିଶତ ଭୋଟିଂର ଫଳାଫଳ ଆସିଛି । ଏନଡିଏର ସବୁ ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଉଛି, କଂଗ୍ରେସର ୭ରୁ ୮ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ସେପଟେ ଶରଦ ପାଓ୍ବାର ଏବଂ ଅଜିତ ପାଓ୍ବାରଙ୍କ ଏନସିପିରେ ଭୋଟ ବିଭାଜନ ହୋଇନାହିଁ । ସେହିଭଳି ଉଦ୍ଧବ ଠାକରେଙ୍କ ଶିବସେନା ଏକାନାଥ ସିନ୍ଦେଙ୍କ ଶିବିରରୁ ଭୋଟ ଆଣିପାରି ନାହିଁ । ଆଜି ଏମଏଲସି ନିର୍ବାଚନରେ ମହାୟୁତି ବନାମ ମହାଅଘାଡ଼ି ଫାଇଟ ହୋଇଥିଲା । କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ମହାୟୁତିର ସମସ୍ତ ୯ ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ ଶରଦ ପାଓ୍ବାରଙ୍କ ଏନସିପିକୁ ଶକ୍ତ ଧକ୍କା ଲାଗିଛି ।
ମହାରାଷ୍ଟ୍ର ବିଧାନ ପରିଷଦର ୧୧ ଆସନରେ ହୋଇଥିବା ନିର୍ବାଚନ ଫଳାଫଳ ସାମନାକୁ ଆସିଛି । ଏନଡିଏର ସମସ୍ତ ୯ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଥିରେ ବିଜେପିର ୫, ଶିବସେନା (ସିନ୍ଦେ ଗୋଷ୍ଠୀ)ର ୨ ଏବଂ ଏନସିପି (ଅଜିତ୍ ପାୱାର ଗୋଷ୍ଠୀ)ର ୨ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅନ୍ୟପଟେ କଂଗ୍ରେସର ଜଣେ ପ୍ରାର୍ଥୀ ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ଜଣେ ପ୍ରାର୍ଥୀ ଜିତିଛନ୍ତି । ଶରଦ ପାୱାର ଏବଂ ମହାବିକାଶ ଅଘାଡିର ତୃତୀୟ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି । ଶରଦ ପାୱାରଙ୍କ ଏନସିପି ସମର୍ଥିତ ପ୍ରାର୍ଥୀ ନିର୍ବାଚନରେ ପରାଜିତ ହୋଇଛନ୍ତି । କିଷାନ ଜୟନ୍ତ ପାଟିଲ ଏମଏଲସି ନିର୍ବାଚନ ହାରିଛନ୍ତି । ଶରଦ ପାୱାର ଏନସିପି ସମର୍ଥିତ ଜୟନ୍ତ ପାଟିଲଙ୍କ ପାଇଁ ଆବଶ୍ୟକୀୟ ଭୋଟ ଏକାଠି କରିପାରି ନଥିଲା । କଂଗ୍ରସର ୭ରୁ ୮ ବିଧାୟକ କ୍ରସ ଭୋଟିଂ କରିଛନ୍ତି ଯାହା ଫଳରେ ଭୋଟ ବାଣ୍ଟି ହୋଇଯାଇଛି । ଏହି କାରଣରୁ ନିର୍ବାଚନରେ ଜୟନ୍ତ ପାଟିଲଙ୍କୁ ପରାଜୟର ସାମନା କରିବାକୁ ପଡ଼ିଛି ।
ବିଜେପି ପ୍ରାର୍ଥୀ ପଙ୍କଜା ମୁଣ୍ଡେ, ପରିଣୟ ଫୁକେ, ସଦାଭାଉ ଖୋତ, ଅମିତ୍ ଗୋରଖେ, ଯୋଗେଶ ଟିଲେକର ବିଜୀୟ ହୋଇଛନ୍ତି । ଏନସିପି (ଅଜିତ୍ ପାୱାର) ପାର୍ଟିର ଶିବାଜୀରାଓ ଗର୍ଜେ, ରାଜେଶ ବିଟେକର ଜିତିଛନ୍ତି । ଶିବସେନା (ସିନ୍ଦେ ଗୋଷ୍ଠୀ)ରୁ କୃପାଲ ତୁମନେ-ଭାବନା ଗଭଲି, କଂଗ୍ରେସରୁ ପ୍ରଜ୍ଞା ସାଟଭ, ଶିବସେନା (ୟୁବିଟି)ରୁ ମିଲିନ୍ଦ ନାର୍ଭେକର ବିଜୟୀ ହୋଇଛନ୍ତି । ଅନ୍ୟପଟେ ଏନସିପି (ଶରଦ ପାୱାର)ର ଜୟନ୍ତ ପାଟିଲ ପରାଜିତ ହୋଇଛନ୍ତି ।