ବନ୍ତଳା,୦୧/୦୪: ବନ ବିଭାଗର ଅପାରଗତା ଓ ଅଦୂରଦର୍ଶିତା ପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଫେଲ୍ ମାରିବା ପରେ ଅନିଶ୍ଚିତତା ମଧ୍ୟରେ ରହିଥିବା ଦୁଇ କୁମ୍କୀ ହାତୀ ‘ମହେନ୍ଦ୍ର’ ଓ ‘ରାଜକୁମାର’ ଶିମିଳିପାଳ ଫେରିବା ନିଷ୍ପତ୍ତି ହୋଇଛି । ଚଳିତ ମାସ ୧୫ ତାରିଖ ପରେ ଦୁଇ ହାତୀଙ୍କ ବାହୁଡ଼ିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସାତକୋଶିଆ ଡିଏଫ୍ଓ ଡ. ସରୋଜ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
୨୦୧୯ ଜାନୁଆରୀ ୨୭ ତାରିଖରେ ଶିମିଳିପାଳ ଅଭୟାରଣ୍ୟରୁ ଦୁଇ କୁମ୍କୀ ହାତୀ ‘ମହେନ୍ଦ୍ର’ ଓ ‘ରାଜକୁମାର’ଙ୍କୁ ସାତକୋଶିଆ ସ୍ଥାନାନ୍ତର କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ମଣିଷ ମରା ବାଘୁଣୀ ‘ସୁନ୍ଦରୀ’ର ଗତିବିଧି ଉପରେ ନଜର ରଖିବା ସହ ସୁରକ୍ଷା ଦେବା । ହେଲେ ବେକାକୁ ମହାବଳ ବାଘୁଣୀ ‘ସୁନ୍ଦରୀ’ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରିଯିବା ପରେ ଦୁଇ କୁମ୍କୀ ହାତୀ ଯେଉଁ ଉଦ୍ଦେଶ୍ୟରେ ସ୍ଥାନାନ୍ତର ହୋଇଥିଲେ କାମରେ ଆସିଲା ନାହିଁ । ୪ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲାଣି ସାତକୋଶିଆ ବନଖଣ୍ଡରେ କାଁ ଭାଁ ପାଟ୍ରୋଲିଂ କରିବା ସହିତ ରାଇଗୁଡ଼ା ହାତୀଶାଳରେ ବନ୍ଧା ହୋଇ ରହୁଛନ୍ତି । ସେମାନଙ୍କ ଦାୟିତ୍ୱରେ ୪ ଜଣ ମାହୁନ୍ତ ଓ ୪ ଜଣ ଗାର୍ଡ୍ ନିୟୋଜିତ ହୋଇଛନ୍ତି । ବନଖଣ୍ଡ ଅଧିକାରୀ ଡ. ପଣ୍ଡାଙ୍କ କହିବା ଅନୁଯାୟୀ, ଓଡ଼ିଶାର ଦୁଇଟି ସ୍ଥାନ-ଚନ୍ଦକା ଓ ଶିମିଳିପାଳରେ କୁମୁକି ହାତୀଙ୍କୁ ତାଲିମ୍ ଦିଆଯାଉଛି । ଯେହେତୁ ରାଜକୁମାର ଓ ମହେନ୍ଦ୍ର ଶିମିଳିପାଳରୁ ଆସିଥିଲେ ତେଣୁ ସେମାନଙ୍କୁ ଶିମିଳିପାଳ ପ୍ରଶିକ୍ଷଣ କେନ୍ଦ୍ରକୁ ପଠାଯିବ । ସଂପ୍ରତୀ ହାତୀଙ୍କ ମିଳନ ସମୟ । ଏହି ସମୟରେ ସ୍ଥାନାନ୍ତର ବେଳେ ଅଘଟଣ ଆଶଙ୍କା ରହିଥିବାରୁ ଚଳିତ ମାସ ୧୫ ତାରିଖ ପରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ । ତାଲିମ ଶେଷ ହେବା ପରେ ଉଭୟଙ୍କୁ ସାତକୋଶିଆ ଅଣାଯିବ ବୋଲି ଡ. ପଣ୍ଡା କହିଛନ୍ତି ।