ପୁରୀ,୨୭/୦୯(ରାଜଶ୍ରୀ ସାହୁ): ବିଶାଳ ବେଳାଭୂମି । ପ୍ରଶସ୍ତ ବାଲୁକା ଶଯ୍ୟା । ନଦୀ ଓ ସମୁଦ୍ରର ମିଳନସ୍ଥଳୀ । ଏସବୁକୁ ନେଇ ଜଳକ୍ରୀଡ଼ା ମାଧ୍ୟମରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଓ ରୋମାଞ୍ଚ ଯୋଗାଇ ଦେବାକୁ ପୁରୀରେ ପର୍ଯ୍ୟାପ୍ତ ସୁଯୋଗ ଅଛି । ହେଲେ ଏହି ସୁଯୋଗର ସୁବିନିଯୋଗ ହେଉନି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସମୁଦ୍ରରେ ଭସା ପୋଲ, ଅଣ୍ଡର ୱାଟର ଆକ୍ୱାରିୟମ୍, ମୂଷା ନଦୀରେ ବୋଟିଂ, ମଙ୍ଗଳା ମୁହାଣରେ ପାର୍ସେଲିଂ ଭଳି ଅନେକ ବ୍ୟବସ୍ଥା ହେବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ପ୍ରୋତ୍ସାହନ ଅଭାବରୁ ଏସବୁ ହୋଇପାରିନି ।
ସମୁଦ୍ରରେ ଭସାପୋଲ ନିର୍ମାଣ କରି ଏହା ମଧ୍ୟରେ ବାନାନା ବୋଟ୍, ଜେଟ୍ ସ୍କି, ସର୍ଫିଙ୍ଗ, ପାରାସେଲିଂ, ୱାଟର୍ ସ୍କେଟିଂ, ଡାଇଭିଂ ଆଦି କ୍ରୀଡ଼ାର ବ୍ୟବସ୍ଥା କରିବାକୁ ୨୦୨୨ରେ ଯୋଜନା ହୋଇଥିଲା । ଏହାଦ୍ୱାରା ଏକାସାଙ୍ଗରେ ୩୦୦୦ ପର୍ଯ୍ୟଟକ ଜେଟି ମାଧ୍ୟମରେ ଯାଇ ମଝି ସମୁଦ୍ରରେ ଜଳକ୍ରୀଡ଼ାର ମଜା ନେଇଥାନ୍ତେ । ଲାଇଟ୍ ହାଉସ୍ଠାରୁ ମଙ୍ଗଳା ମୁହାଣ ମଧ୍ୟରେ ଥିବା ପୁରୀ ସିପସରୁବାଲି ସମୁଦ୍ରରେ ଏଭଳି ବୃହତ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ଏହି ପରିକଳ୍ପନା ବାସ୍ତବତାର ରୂପ ନେଇଥାନ୍ତା । ତେବେ ଏହି ପରିକଳ୍ପନା ଆଉ ଆଗକୁ ବଢ଼ିପାରିନି । ଜିଲ୍ଲା ପ୍ରଶାସନର ଜଳକ୍ରୀଡ଼ା କମିଟି ଏହି ପ୍ରକଳ୍ପକୁ ଅନୁମୋଦନ ଦେଇ ସାରିଥିଲା । ହେଲେ ଏହା ପରେ ପର୍ଯ୍ୟଟନ ବିଭାଗ ନିଜ ଆଡୁ ଆଗ୍ରହ ଦେଖାଇଲାନି । ପ୍ରକଳ୍ପର ଦାୟିତ୍ୱ ସଂପୂର୍ଣ୍ଣ ରୂପେ ଘରୋଇ ସଂସ୍ଥା ଉପରେ ଛାଡ଼ି ଦିଆଗଲା । ସମୁଦ୍ରର ଅସ୍ଥିର ଜଳରାଶୀରେ ଜେଟି ପ୍ରସ୍ତୁତ କରି ଜଳକ୍ରୀଡ଼ା କରିବା ବିପଦପୂର୍ଣ୍ଣ ହୋଇଥିବାରୁ ପ୍ରଶାସନର ସହଯୋଗ ବିନା ଏହି କାମ ଆଗେଇପାରିଲାନି । ଏହାଛଡ଼ା ଏଥିପାଇଁ ଏନ୍ଓସି ଆଣିବା କଷ୍ଟକର ହୋଇଥିବାରୁ ପ୍ରକଳ୍ପ କେବଳ ପରିକଳ୍ପନାରେ ହିଁ ସୀମିତ ରହିଯାଇଥିବା ଏଥିପାଇଁ ଆଗ୍ରହ ଦେଖାଇଥିବା ସଂସ୍ଥା ପ୍ରକାଶ କରିଛି ।
ବର୍ତ୍ତମାନ ପୁରୀ ସମୁଦ୍ରରେ ଜଳ କ୍ରୀଡ଼ା ନାମରେ କେବଳ ଜେଟ୍ ସ୍କି ଓ ସ୍ପିଡ୍ ବୋଟ୍ ଚାଲୁଛି । ତାହା ପୁଣି ବର୍ଷକରେ ଅଧା ଦିନ ବନ୍ଦ ରହୁଛି । ପ୍ରଶାସନର କଟକଣା ଖୁବ୍ ଅଧିକ ରହିଥିବାରୁ ଏଠାରେ ଜଳ କ୍ରୀଡ଼ା କଷ୍ଟକର ହେଉଥିବା ଏହାକୁ ଚଲାଉଥିବା ଚେତରାଜ ମାରିନା ପ୍ରାଇଭେଟ ଲିମିଟେଡ୍ର ମୁଖ୍ୟ ଚେତ୍ରାଜ ଦାସ ପ୍ରକାଶ କରିଛନ୍ତି । ଚେତରାଜ କହିଛନ୍ତି, ଏତେ ବିସ୍ତୃତ ବେଳାଭୂମି ଥିଲେ ମଧ୍ୟ ଜଳକ୍ରୀଡ଼ା ପାଇଁ ପ୍ରଶାସନ ପକ୍ଷରୁ ମାତ୍ର ୫ଟି ସ୍ଥାନ ଚିହ୍ନଟ ହୋଇଛି । ଏହି ୫ଟି ସ୍ଥାନରେ ସ୍ପିଡ୍ ବୋଟ୍ ଓ ଜେଟ୍ ସ୍କି ଚାଲୁଛି । ନିର୍ଦ୍ଧିଷ୍ଟ ସ୍ଥାନ ଥିବାରୁ ଅଧିକ ସଂସ୍ଥା ପୁରୀକୁ ଆସି ଜଳକ୍ରୀଡ଼ାରେ ନିବେଶ କରିପାରୁନାହାନ୍ତି । ଏହା ଛଡ଼ା ଅଧିକାଂଶ ସମୟରେ କଟକଣା ଲାଗୁ କରାଯାଉଛି । ଯାହାଦ୍ୱାରା ବର୍ଷକରେ ଅଧାଦିନ ଜଳକ୍ରୀଡ଼ା ବନ୍ଦ ରହୁଛି । ଫଳରେ ଜଳକ୍ରୀଡ଼ାରେ ନିବେଶ କରୁଥିବା କଂପାନୀ କ୍ଷତି ସହୁଛନ୍ତି । ଏଣୁ ଅଧିକ ସଂସ୍ଥା ଏଥିପାଇଁ ଆଗ୍ରହ ଦେଖାଉନାହାନ୍ତି । ନୂଆ ନୂଆ ୱାଟର ଗେମ୍ ଆଣିବାକୁ ମଧ୍ୟ ସଂସ୍ଥା ଭୟ କରୁଛନ୍ତି । ପର୍ଯ୍ୟଟନ ବିଭାଗ ୱାଟର ସ୍ପୋର୍ଟର ପ୍ରଚାର ପ୍ରସାର ମଧ୍ୟ କରୁନି । ଯାହା ଫଳରେ କେଉଁଠାରେ ଜଳକ୍ରୀଡ଼ା ଉପଲବ୍ଧ ରହୁଛି ପର୍ଯ୍ୟଟକ ଜାଣି ପାରୁନାହାନ୍ତି । ଏଣୁ ଜଳକ୍ରୀଡ଼ା କ୍ଷେତ୍ରରେ ଥିବା ନିୟମ କୋହଳ ହେଲେ ଜଳକ୍ରୀଡ଼ାର ଅଭିବୃଦ୍ଧି ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।
କେବଳ ବେଳାଭୂମି ନୁହେଁ ପୁରୀର ମୂଷା ନଦୀ ଓ ମଙ୍ଗଳା ନଦୀରେ ମଧ୍ୟ ଜଳକ୍ରୀଡ଼ାର ବିକାଶ ହେବ ବୋଲି ଘୋଷଣା ହୋଇଥିଲା । ମୂଷା ନଦୀ ଥେମ୍ସ୍ ନଦୀ ଭଳି ଚମକିବ ଏହା ମଧ୍ୟରେ ବୋଟିଂ କରି ପର୍ଯ୍ୟଟକ ପୁରୀର ବିଭିନ୍ନ ସ୍ଥାନକୁ ଜଳ ରାସ୍ତାରେ ଦେଖିପାରିବେ ବୋଲି କୁହାଯାଇଥିଲା । ଅବଡ଼ା ଯୋଜନାରେ ଏଥିପାଇଁ ବ୍ୟୟ ବରାଦ ମଧ୍ୟ ହୋଇଥିଲା । ହେଲେ ମୂଷା ନଦୀ ପୁନରୁଦ୍ଧାର ଅଧାରେ ଅଟକି ଯିବା ସହ ଏହି ଘୋଷଣା ମଧ୍ୟ ସ୍ୱପ୍ନ ପାଲଟିଛି । ସେହିଭଳି ମଙ୍ଗଳା ମୁହାଣର ବିକାଶ ହୋଇ ଏଠାରେ ବୋଟିଂର ସୁବିଧା ପ୍ରଦାନ କରାଯିବା ସହ ପାରାସେଲିଂ ଓ ଅନ୍ୟାନ୍ୟ ଜଳକ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ ବୋଲି ପାଖାପାଖି ୧୫ ବର୍ଷ ତଳେ ଘୋଷଣା କରାଯାଇଥିଲା । ହେଲେ ଭୂମି ଅଧିଗ୍ରହଣରେ ସମସ୍ୟା ହେବାରୁ ସେ ପ୍ରକଳ୍ପ ମଧ୍ୟ ଆଗେଇ ପାରିନଥିଲା ।
ସୂଚନାଥାଉକି, ଗୋଆ ପର୍ଯ୍ୟଟନ ଶିଳ୍ପର ୪୦ ଭାଗ ଆୟ ଜଳକ୍ରୀଡ଼ା ଦ୍ୱାରା ହେଉଛି । କିନ୍ତୁ ଓଡ଼ିଶାରେ ଜଳକ୍ରୀଡ଼ା ସେତେଟା ସମୃଦ୍ଧ ହୋଇନଥିବାରୁ ସାମୁଦ୍ରିକ ପର୍ଯ୍ୟଟନ କ୍ଷେତ୍ରରେ ଆମ ରାଜ୍ୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇପାରୁନାହିଁ । ଏଣୁ ପୁରୀ ସମୁଦ୍ରରେ ଏଭଳି ବ୍ୟବସ୍ଥା ରାଜ୍ୟ ପର୍ଯ୍ୟଟନକୁ ଶୀର୍ଷରେ ପହଞ୍ଚାଇ ପାରିବ ବୋଲି ଅଭିପ୍ସା ପାତ୍ର ନାମକ ଜଣେ ଭ୍ରମଣ ପ୍ରେମୀ ମତପ୍ରକାଶ କରିଛନ୍ତି । ପୁରୀ ବେଳାଭୂମିରେ କାର୍ଯ୍ୟରତ ଲାଇଫ୍ଗାର୍ଡ ଡି ସୁରେନ୍ଦ୍ର କହିଛନ୍ତି, ପ୍ରତିକୂଳ ପାଣିପାଗ ଯୋଗୁ ପୁରୀରେ ଜଳକ୍ରୀଡ଼ା କେବଳ ଜେଟ୍ ସ୍କି ଚାଳନା ଓ ସ୍ପିଡ୍ ବୋଟ୍ରେ ସୀମିତ ରହିଯାଇଛି । ଅନ୍ୟ ଜଳକ୍ରୀଡ଼ା ପାଇଁ ଏନ୍ଆଇଡବ୍ଲ୍ୟୁଏସ୍(ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ୍) ଅଧିକାଂଶ ସମୟରେ ଅନୁମତି ଦେଉନାହିଁ । ଯାହା ପର୍ଯ୍ୟଟକଙ୍କୁ ରୋମାଞ୍ଚ ଦେଉନି । କିନ୍ତୁ ଫ୍ଲୋଟିଂ ଜେଟ୍ଟି ବା ଭସା ପୋଲ ହେବା ପରେ ମଝି ସମୁଦ୍ରରେ ଜଳ କ୍ରୀଡ଼ା ହୋଇଥାନ୍ତା । ଏଣୁ ମଝି ସମୁଦ୍ରର ସ୍ଥିର ପାଣିରେ ଜଳକ୍ରୀଡ଼ା ପାଇଁ ସେତେଟା ସମସ୍ୟା ହେବନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତ