ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିକ୍ଷା ବିଭାଗରେ ଚାଉଳ ଘୋଟାଲା, ଖାଇଗଲେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ଚାଉଳ

ଅନୁଗୁଳ, ୦୩/୦୪ : ଶିକ୍ଷା ବିଭାଗରେ ଏକ ବଡ଼ଧରଣର ଚାଉଳ ଘୋଟାଲା ପଦାକୁ ଆସିଛି । ଗତ ଆର୍ଥିକ ବର୍ଷର ଶେଷ ତିନି ମାସରେ ଛେଣ୍ଡିପଦା ବ୍ଲକ୍‌ରେ ଅଧିକାଂଶ ସ୍କୁଲକୁ ଯୋଗାଣ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହଡ଼ପ କରାଯାଇଥିବା ବିଭାଗୀୟ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଚାଲାଣ ଅନୁଯାୟୀ ଏଫ୍‌ସିଆଇ ଗୋଦାମରୁ ଉଠାଣ ହୋଇଥିଲେ ମଧ୍ୟ ସ୍କୁଲକୁ ବିତରଣ ହୋଇନାହିଁ³ ଅନ୍ୟତ୍ର ବିକି ଦିଆଯାଇଛି । ଏଭଳି ଏକ ସାଂଘାତିକ ଗଫଲତି ପ୍ରସଙ୍ଗରେ ବିଭାଗ ପକ୍ଷରୁ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଏଯାବତ୍‌ ଗ୍ରହଣ କରାଯାଇନାହିଁ । ହଡ଼ପକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ କୁଆଡ଼େ ଜଣେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ଚାପରେ ମାମଲା ଚାପିଦେବାକୁ ଯତ୍‌ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ୍‌ରେ ଗତ ଜାନୁଆରି, ଫେବ୍ରୁଆରୀ ଓ ମାର୍ଚ୍ଚ ମାସର ଚାଉଳ ଅଧିକାଂଶ ସ୍କୁଲକୁ ଯୋଗାଣ ହୋଇନାହିଁ । ଏକ ଗୋଷ୍ଠୀ ଯୋଜନାବଦ୍ଧ ଭାବରେ ଚାଉଳକୁ ଅନ୍ୟତ୍ର ବିକ୍ରି ଟଙ୍କା ହଡ଼ପ କରିଥିବା ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହେବା ପରେ ଗତ ସପ୍ତାହରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ କରାଯାଇଥିଲା । ଏପରିକି ଯାଦୃଚ୍ଛିକ ପର୍ଯ୍ୟବେକ୍ଷଣ (ରାଣ୍ଡମ୍‌ ଅବଜର୍ଭେସନ୍‌) କରିବାକୁ ବ୍ଲକ୍‌ର ବିଭିନ୍ନ ଇଲାକାରୁ ୭ଟି ସ୍କୁଲର କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଡକାଯାଇଥିଲା । ମଧ୍ୟାହ୍ନ ଭୋଜନ କାଗଜାତ୍‌ ଯାଞ୍ଚ ବେଳେ ଯେଉଁ ତଥ୍ୟ ମିଳିଲା ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ଘୂରେଇ ଯାଇଥିଲା । ୬ଟି ସ୍କୁଲକୁ ଚାଉଳ ଆଦୌ ଯୋଗାଣ ହୋଇନଥିବା ବେଳେ ଜାଲ୍‌ ଦସ୍ତଖତରେ ଯୋଗାଇ ଦିଆଯାଇଥିବା ଦର୍ଶାଯାଇଥିବା ଧରାପଡ଼ିଥିଲା । ଗୋଟିଏ ସ୍କୁଲକୁ ଯେତିକି ଚାଉଳ ଯୋଗାଣ ହୋଇଛି ତା’ଠୁ ଅଧିକ କିନ୍ତୁ ଉଠାଣ ହୋଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା । ଚାଉଳ ଯୋଗାଣ ହୋଇନଥିବା ପ୍ରଧାନଶିକ୍ଷକ ରୋକ୍‌ଠୋକ୍‌ ଭାବେ ଜଣାଇବା ସହ ଦସ୍ତଖତ ଜାଲ୍‌ କରାଯାଇଥିବା ଅଭିଯୋଗ କରିଥିଲେ । କେବଳ ୭ଟି ସ୍କୁଲରେ ଯଦି ଅବସ୍ଥା ଏମିତି, ତେବେ ଅନ୍ୟ ସ୍କୁଲଗୁଡ଼ିକର ସ୍ଥିତି କ’ଣ ହୋଇଥିବ! ଏଭଳି ଏକ ସଙ୍ଗୀନ ମାମଲାରେ କିନ୍ତୁ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । 

ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କୁଆଡ଼େ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅଲିଖିତ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ମଧ୍ୟାହ୍ନ ଭୋଜନ ବିତରଣରେ ସାମାନ୍ୟ ବ୍ୟତିକ୍ରମ ହେଲେ ଶିକ୍ଷକ, କର୍ମଚାରୀଙ୍କ ଉପରେ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ୩ ମାସର ଚାଉଳ ଲୁଟିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନର ଦୋମୁହାଁ ନୀତିକୁ ବିରୋଧ କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନହିଁ । ସୂଚନାଯୋଗ୍ୟ, ବର୍ଷକ ତଳେ ଛେଣ୍ଡିପଦା ବ୍ଲକ୍‌ ଶିକ୍ଷା ବିଭାଗରେ ସରକାରୀ ଅନୁଦାନର ୟୁସି (ବିନିଯୋଗ ପ୍ରମାଣପତ୍ର) ଦାଖଲ ବେଳେ ପିସି ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ୩ ପ୍ରତିଶତ ପିସି ନଦେଲେ ୟୁସି ଗ୍ରହଣ କରାନଯାଇ ପରୋକ୍ଷରେ ହଇରାଣ କରାଯିବ ବୋଲି ଧମକ ପରେ ପିସି ଅର୍ଥ ନଗଦ ଆକାରରେ ଗଣିଥିଲେ ବୋଲି ନାମ ଗୋପନ ରଖିବା ସର୍ତ୍ତରେ ଅନେକ ଶିକ୍ଷକ ପ୍ରକାଶ କରିଥିଲେ । ମୁହଁ ଖୋଲି ବିରୋଧ କରିବା କି ବାହାରେ ପ୍ରଘଟ କରିବାକୁ ଶିକ୍ଷକମାନେ ସାହସ କୁଳାଇ ପାରିନଥିବା ବେଳେ ଜିଲ୍ଲାପାଳ ଏ ଦିଗରେ ତଦନ୍ତ କରି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ ନିଜ ଆଡ଼ୁ ଅନୁସନ୍ଧାନ କରି ସତ୍ୟତା ଜାଣିଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.