ଭୁବନେଶ୍ୱର: “ସାମ୍ବାଦିକ ଭାବେ କାର୍ଯ୍ୟରତ ଥିବାବେଳେ ସମ୍ବିଧାନର ପ୍ରଥମ ସଂଶୋଧନ ଆଧାରରେ ସୁରକ୍ଷିତ ବର୍ଗୀକୃତ ତଥ୍ୟ ପ୍ରଦାନ କରିବା ପାଇଁ ମୋର ଉତ୍ସକୁ ପ୍ରୋତ୍ସାହିତ କରିଥିଲି । ମୋର ବିଶ୍ୱାସ, ସମ୍ବିଧାନର ପ୍ରଥମ ସଂଶୋଧନ ଏବଂ ଗୁପ୍ତଚର ଆଇନ ପରସ୍ପର ବିରୋଧୀ ଅଟନ୍ତି । "ଜାତୀୟ ସୁରକ୍ଷା ଆଇନ' ଉଲ୍ଲଙ୍ଘନ ଅଭିଯୋଗ ଆଧାରରେ ମୁଁ ଦୋଷୀ ଅଟେ” । ଚଳିତ ବର୍ଷ ଜୁନ ୨୬ ତାରିଖରେ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଆମେରିକାର ଉତ୍ତର ମାରିଆନା ଦ୍ୱୀପପୁଞ୍ଜର ରାଜଧାନୀ ସାଇପାନର ଏକ ଜିଲ୍ଲା ଅଦାଲତରେ ଜୁଲିଆନ୍ ଆସେଞ୍ଜ ଏହି ମର୍ମରେ ଦୋଷ ସ୍ୱୀକାର କରିବା ପରେ ଜିଲ୍ଲା ଜଜ୍ ରାମୋନା ମାଗ୍ଲୋନା, ଜୁଲିଆନ ଆସେଞ୍ଜଙ୍କୁ ମୁକ୍ତ ଘୋଷଣା କରି ତାଙ୍କ ଉଦ୍ଦେଶ୍ୟରେ କହିଥିଲେ "ଆପଣ ବ୍ରିଟିଶ ଜେଲ୍ରେ ଯେଉଁ ୬୨ମାସ ବିତାଇଛନ୍ତି, ଆପଣଙ୍କ ଅପରାଧ ଆଧାରରେ ତାହା ଯଥାର୍ଥ ଓ ଯୁକ୍ତିଯୁକ୍ତ । ଆପଣ ଏହି ଅଦାଲତରୁ ଜଣେ ମୁକ୍ତ ମଣିଷ ଭାବେ ପ୍ରସ୍ଥାନ କରିବେ ।'
ଜୁଲିଆନ୍ ଆସେଞ୍ଜ ମୁକ୍ତହେବା ପୂର୍ବରୁ ଲଣ୍ଡନର କଡ଼ା ସୁରକ୍ଷା ବଳୟରେ ଥିବା ବେଲମର୍ଶ ବନ୍ଦୀଶାଳାରେ ଦୁର୍ଦ୍ଧର୍ଷ ଅପରାଧୀଙ୍କ ସହିତ ଦୀର୍ଘ ୫ବର୍ଷ (ମଇ ୨୦୧୯ରୁ ଜୁନ୍ ୨୦୨୪) ଏବଂ ଲଣ୍ଡନରେ ଅବସ୍ଥିତ ଇକୁଏଡର ଦୂତାବାସରେ ୭ବର୍ଷ (ଜୁନ୍ ୨୦୧୨ରୁ ମଇ ୨୦୧୯) ଶରଣାର୍ଥୀର ଜୀବନ ବିତାଇଥିଲେ । ୨୦୧୯ ମସିହା ମଇ ମାସରେ ଆମେରିକାର ଫେଡେରାଲ ଗ୍ରାଣ୍ଡ ଜୁରୀ ଆସେଞ୍ଜଙ୍କ ବିରୋଧରେ ଗୁପ୍ତଚର ଆଇନର ୧୮ଟି ଉଲ୍ଲଙ୍ଘନ ଅଭିଯୋଗ ଆଣି ତାଙ୍କୁ ଆମେରିକା ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡକୁ ଅନୁରୋଧ କରିଥିଲେ । ସେହି ଅପରାଧ ଆଧାରରେ ଆସେଞ୍ଜଙ୍କୁ ଆମେରିକାରେ ୧୭୫ବର୍ଷ ଜେଲଦଣ୍ଡ ସହିତ କେତେ ନିର୍ଯାତନା ଭୋଗିବାକୁ ପଡ଼ିଥାନ୍ତା, ତାହାର ଆକଳନ ସହଜ ନୁହେଁ । ୨୦୨୧ ମସିହା ଜାନୁଆରୀ ମାସରେ ଇଂଲଣ୍ଡର ଏକ ଅଦାଲତ ଆସେଞ୍ଜଙ୍କ ଦୁର୍ବଳ ମାନସିକ ସ୍ଥିତି ଏବଂ ଆମେରିକାରେ ଆସେଞ୍ଜଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଏହି ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଡିସେମ୍ବର ମାସରେ ସେଥି ନିମନ୍ତେ ଅନୁମତି ଦେଇଥିଲେ । ଫଳରେ ୨୦୨୨ ମସିହା ଜାନୁଆରୀରେ ଇଂଲଣ୍ଡ ସରକାର ଜୁଲିଆନ୍ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଦେଲେ । କିନ୍ତୁ ଏହି ନିର୍ଦ୍ଦେଶନାମା ଆଇନ-ଜାଲରେ ଛନ୍ଦି ହୋଇଗଲା ।
୨୦୨୪ ମସିହା ମଇ ମାସରେ ଇଂଲଣ୍ଡର ଉଚ୍ଚତମ ନ୍ୟାୟାଳୟ ଆମେରିକା ପ୍ରତ୍ୟର୍ପଣ ବିରୋଧରେ ଅପିଲ କରିବା ପାଇଁ ଆସେଞ୍ଜଙ୍କୁ ଅନୁମତି ଦେବାରୁ ଆମେରିକାର ସ୍ଥିତି ଦୁର୍ବଳ ହୋଇପଡ଼ିଲା । ଫଳରେ ଆମେରିକା ସରକାର ଜୁଲିଆନ ଆସେଞ୍ଜଙ୍କ ସହ ସନ୍ଧି-ଚୁକ୍ତିନାମା ପ୍ରସ୍ତୁତ କରିବା ପାଇଁ ବାଧ୍ୟ ହେଲେ । ଏହି ଚୁକ୍ତିନାମା ଆଧାରରେ ଆସେଞ୍ଜଙ୍କ ଉପରୁ ଗୋଟିଏ ଅପରାଧକୁ ବାଦ୍ ଦେଇ ୧୭ଟି ଅଭିଯୋଗ ପ୍ରତ୍ୟାହାର କରି ନିଆଗଲା ଏବଂ ସେ ଯଦି ଆମେରିକାର କୌଣସି ଏକ ଅଦାଲତରେ ଦୋଷ ସ୍ୱୀକାର କରନ୍ତି, ତାଙ୍କୁ ମୁକ୍ତ ଘୋଷଣା କରାଯିବ ବୋଲି ସର୍ତ୍ତ ରହିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ: ଜୁଲିଆନ ଆସେଞ୍ଜ ଅଷ୍ଟ୍ରେଲିଆର ନାଗରିକ ହୋଇଥିବାରୁ ତାଙ୍କ ମୁକ୍ତି ନିମନ୍ତେ ସେ ଦେଶର ପାର୍ଲାମେଣ୍ଟରେ ଗୃହୀତ ପ୍ରସ୍ତାବ ଏବଂ ମିଳିତ ଜାତିସଂଘ ସମେତ ମୁକ୍ତ ଗଣମାଧ୍ୟମରେ ବିଶ୍ୱାସ ରଖୁଥିବା ବିଶ୍ୱ-ଜନତାଙ୍କ ଚାପ ଫଳରେ ଆମେରିକା ସରକାର ଆସେଞ୍ଜଙ୍କୁ ମୁକ୍ତ କରିବା ପାଇଁ ବାଧ୍ୟ ହୋଇଥିଲେ ।
ଜୁଲିଆନ୍ ଆସେଞ୍ଜଙ୍କ ଅପରାଧ କ'ଣ? କାହିଁକି ସେ ଇଂଲଣ୍ଡର କଡ଼ା ସୁରକ୍ଷା ବଳୟରେ ଥିବା ବେଲମର୍ଶ ବନ୍ଦୀଶାଳାରେ କ୍ଳାନ୍ତ ବିଷଣ୍ଣ ଜୀବନ ବିତାଇଥିଲେ? କାହିଁକି ଆମେରିକାର ଗ୍ରାଣ୍ଡ ଜୁରୀ ତାଙ୍କୁ ୧୭୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ? ସରଳ ଭାଷାରେ କହିଲେ ତାଙ୍କର ଅପରାଧ ହେଉଛି- ଆମେରିକା ସମେତ ବହୁ ଶକ୍ତିଶାଳୀ ରାଷ୍ଟ୍ର ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କର ଗୁମର ସେ ପଦାରେ ପକାଇଛନ୍ତି । ତେଣୁ ସେମାନେ କ୍ଷୁବ୍ଧ ହେବା ସ୍ୱାଭାବିକ । ୨୦୦୬ ମସିହାରେ ଜୁଲିଆନ୍ ଆସେଞ୍ଜ ‘ୱାକିଲିକ୍ସ’ ପ୍ରତିଷ୍ଠା କରିଥିଲେ । ୨୦୧୦ ମସିହାରେ ଏହାର ଖ୍ୟାତି ସାରାବିଶ୍ୱରେ ବ୍ୟାପିଗଲା । ସେହି ବର୍ଷ ୱାକିଲିକ୍ସ ଜରିଆରେ ଆମେରିକାର "ତିନୋଟି ମହା ଗୁପ୍ତତଥ୍ୟ' ପ୍ରକାଶ ପାଇଥିଲା । ଚେଲସି ମାନିଂ ନାମ୍ନୀ ଜଣେ ମହିଳା ପ୍ରତିରକ୍ଷା ବିଶେଷଜ୍ଞଙ୍କ ତଥ୍ୟ ଆଧାରରେ ଇରାକ-ଆଫଗାନିସ୍ତାନ ଯୁଦ୍ଧର ୭,୦୦,୦୦୦ ଗୁପ୍ତ କାହାଣୀ, ଆମେରିକା ଦୂତାବାସଗୁଡ଼ିକର ୨,୫୧,୨୮୭ ଗୋପନୀୟ ତଥ୍ୟ ଏବଂ ପ୍ରତିରକ୍ଷା ସଂପର୍କୀୟ ୪,୮୨,୨୩୨ ଦସ୍ତାବିଜ ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ଚହଳ ପଡ଼ିଗଲା । ୱାକିଲିକ୍ସ’ର ନିଜସ୍ୱ ପ୍ରସାରଣ ସଂସ୍ଥା ନାହିଁ । ପ୍ରଥମ ଦଫାରେ ପାଞ୍ଚଟି ଅତ୍ୟନ୍ତ ଭରସାଯୋଗ୍ୟ ସମ୍ବାଦପତ୍ର- ଆମେରିକାର ନିଉୟର୍କ ଟାଇମ୍ସ, ଇଂଲଣ୍ଡର ଗାର୍ଡିଆନ, ଫ୍ରାନ୍ସର ଲେ ମଣ୍ଡ, ସ୍ପେନ୍ର ଏଲ୍ ପାଏସ୍ ଏବଂ ଜର୍ମାନର ସାପ୍ତାହିକ ପତ୍ରିକା ଦେର୍ ସ୍ପାଇଜେଲ୍ ଜରିଆରେ ତଥ୍ୟ ପ୍ରକାଶ ପାଇଲା । ପ୍ରଥମ ଦଫା ଖବର ପ୍ରକାଶ ପାଇବା ପରେ ଆମେରିକା ତରଫରୁ ତାହା "ମିଥ୍ୟା' ବୋଲି ପ୍ରତିବାଦ କରାଗଲା ନାହିଁ, ବରଂ ପ୍ରତିରକ୍ଷା ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପେଣ୍ଟାଗନ ତରଫରୁ ୱାକିଲିକ୍ସକୁ ଧମକପୂର୍ଣ୍ଣ ଚେତାବନୀ ଆସିଲା "ତୁରନ୍ତ ସମସ୍ତ ତଥ୍ୟ ଫେରସ୍ତ କରିଦେବା ସହିତ କମ୍ପ୍ୟୁଟରରୁ ନଷ୍ଟ କରିଦିଅ, ନଚେତ୍ ଆମେରିକା ବାଧ୍ୟ ହୋଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବ' । ସବୁଠାରୁ ପ୍ରଭାବଶାଳୀ ଭିଡିଓ ଥିଲା "ଅନୁପ୍ରାସଙ୍ଗିକ ହତ୍ୟା' (କୋଲାଟେରାଲ ମର୍ଡର) । ଏଥିରେ ଆମେରିକା ଯୁଦ୍ଧ-ହେଲିକେପ୍ଟରରୁ ନିରସ୍ତ୍ର ଇରାକୀ ଜନତାଙ୍କ ଉପରେ ଗୁଳିବର୍ଷଣ କରାଯିବା ସହିତ ଦୁଇଜଣ ରଏଟର ସାମ୍ବାଦିକଙ୍କୁ କିପରି ହତ୍ୟା କରାଯାଉଛି, ତାହାର ଚିତ୍ର ପରିବେଷଣ କରାଯାଇଥିଲା । ଆହୁରି ମଧ୍ୟ ପ୍ରକାଶ ପାଇଲା: ଯୁଦ୍ଧ ସମୟରେ ସମୁଦାୟ ୬୬,୦୦୦ ଇରାକର ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଥିଲା, ଯାହା ଏଡ଼ାଇ ଦିଆଯାଇ ପାରିଥାନ୍ତା । ସରକାରୀ ତଥ୍ୟରେ ପ୍ରଥମେ କମ୍ ବ୍ୟକ୍ତିଙ୍କ ନାମ ମୃତ ଘୋଷଣା କରାଯାଇଥିଲା, ପରେ ୱାକିଲିକ୍ସ ଆଧାରରେ ସେଥିରେ ସଂଶୋଧନ କରାଗଲା ।
ଆଉ ଦୁଇଟି ଦୃଷ୍ଟାନ୍ତ ନେବା- ଭିନ୍ନକ୍ଷମ ବ୍ୟକ୍ତିଙ୍କ କର୍ମନିଯୁକ୍ତି ନିମନ୍ତେ ଆମେରିକା ସରକାରଙ୍କର ଗୋଟିଏ ବିଭାଗ ରହିଛି "ଆବିଲିଟି ୱାନ୍' । ରାଷ୍ଟ୍ରପତି ଏହି ବିଭାଗର ମୁଖ୍ୟଙ୍କୁ ନିଯୁକ୍ତି ଦିଅନ୍ତି । ଏହାର ବାର୍ଷିକ ବଜେଟ୍ ୩ ବିଲିୟନ ଡଲାର । ଏମାନେ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଅନ୍ତି । ସେହିଭଳି ଗୋଟିଏ ସଂସ୍ଥା ହେଉଛି- ସୋର୍ସ ଆମେରିକା । ଜର୍ଜ ବୁଶ୍ ଦ୍ୱିତୀୟ ଏବଂ ବାରାକ୍ ଓବାମା- ଏହି ଦୁଇ ରାଷ୍ଟ୍ରପତିଙ୍କ ଆଠବର୍ଷ ଶାସନ କାଳରେ ଏହି ଦୁଇ ସଂସ୍ଥାର ମୁଖ୍ୟ, ମିଥ୍ୟା ନିଯୁକ୍ତି ଦେଖାଇ ଆନୁମାନିକ ୧୫ ବିଲିୟନ ଡଲାର ଅର୍ଥ ହଡ଼ପ କରିଥିଲେ । ୨୦୧୫ ମସିହା ନଭେମ୍ବର ୧୬ ତାରିଖରେ ୱାକିଲିକ୍ସ ତରଫରୁ ଏହି ଦୁଇ ସଂସ୍ଥାର ମୁଖ୍ୟଙ୍କ ଗୋପନୀୟ ବାର୍ତ୍ତାଳାପ ଟେପ୍ରେ ପ୍ରକାଶ ପାଇଲା । ସରକାର ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲେ ।
ଆମେରିକା ସରକାର ନିଜର ଆଧିପତ୍ୟ ବିସ୍ତାର ନିମନ୍ତେ ସିଆଇଏ ସଂସ୍ଥାକୁ ନିୟୋଜିତ କରିଥାନ୍ତି । ଏହି ସଂସ୍ଥା କେମିତି ଗୋପନରେ ତଥ୍ୟ ସଂଗ୍ରହ କରିଥାଏ, ସେହି ସଂପର୍କରେ ୨୦୧୭ ମସିହା ଏପ୍ରିଲ ମାସରେ ୱାକିଲିକ୍ସ ତରଫରୁ ୩୧ପୃଷ୍ଠା ସମ୍ବଳିତ ଏକ ଆଚମ୍ବିତ ବିସ୍ତୃତ ଖବର ପ୍ରକାଶ ପାଇଲା । "ଉଇପିଙ୍ଗ୍ ଆଞ୍ଜେଲ' ନାମକ ଏକ ଉପକରଣ ଟିଭିରେ ଲଗାଇଦେଲେ, ଟିଭିର ନିଜସ୍ୱ ମାଇକ୍ରୋଫୋନ୍ ସାହାଯ୍ୟରେ ସାମନାରେ ଥିବା ବ୍ୟକ୍ତିଙ୍କର ବାର୍ତ୍ତାଳାପ ରେକର୍ଡ ହୋଇପାରିବ । ଆମେରିକା ସର୍ବଦା ବ୍ୟକ୍ତି ସ୍ୱାଧୀନତାର ଦ୍ୱାହି ଦେଉଥିବା ବେଳେ ଏ କାର୍ଯ୍ୟଧାରା କେତେ ଭୟଙ୍କର, ତାହା ଆକଳନ କରାଯାଇପାରେ । ୱାକିଲିକ୍ସ ସଂପର୍କରେ ଆମେରିକାର ଆଟର୍ଣ୍ଣି ଜେନେରାଲ ଜେଫ୍ ସେସନ୍ସ କ୍ଷୁବ୍ଧ ହୋଇ ମନ୍ତବ୍ୟ ରଖିଥିଲେ "ଜୁଲିଆନ୍ ଆସେଞ୍ଜ ସୀମା ଅତିକ୍ରମ କରିଯାଇଛନ୍ତି' ।
୨୦୧୦ ଅଗଷ୍ଟ ୧୦ ତାରିଖରେ ଗୋଟିଏ କନ୍ଫରେନ୍ସରେ ଯୋଗଦେବା ପାଇଁ ଜୁଲିଆନ୍ ଆସେଞ୍ଜ ସ୍ୱେଡେନ ଆସିଥିଲେ । ସେହି ସମୟରେ ଦୁଇଜଣ ମହିଳାଙ୍କ ସହିତ ଯୌନକ୍ରିୟାରେ ଲିପ୍ତ ଥିଲେ । ଅଗଷ୍ଟ ୨୦ ତାରିଖରେ ସେହି ଦୁଇଜଣ ମହିଳା ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ- ଜୁଲିଆନ୍ ଆସେଞ୍ଜଙ୍କର ଯୌନରୋଗ ଅଛି କି ନାହିଁ, ଡାକ୍ତରୀ ପରୀକ୍ଷା କରାଯାଉ । କାରଣ ସେମାନେ ସାଥିରେ ଶୋଇବା ପାଇଁ ସମ୍ମତି ଦେଇଥିଲେ । ଅଗଷ୍ଟ ୨୦ ତାରିଖରେ ପୋଲିସ ଆସେଞ୍ଜଙ୍କୁ ଜେରା କରିଥିଲେ ଏବଂ ସେପ୍ଟେମ୍ବର ୧ ତାରିଖରେ ଦୁର୍ଷ୍କମ ଓ ଉତ୍ପୀଡ଼ନ ମିଥ୍ୟା ଅଭିଯୋଗରେ ତଦନ୍ତ ଆରମ୍ଭ ହେଲା । ନଭେମ୍ବର ୧ ତାରିଖରେ ପୋଲିସର ଅନୁମତି ନେଇ ଆସେଞ୍ଜ ସ୍ୱେଡେନରୁ ଇଂଲଣ୍ଡ ଆସିଗଲେ ଏବଂ ସେହି ମାସ ୨୦ ତାରିଖରେ ଇଣ୍ଟରପୋଲ ତରଫରୁ ତାଙ୍କୁ ଆରେଷ୍ଟ କରିବା ପାଇଁ ୱାରେଣ୍ଟ ବାହାରିଲା । ଡିସେମ୍ବର ୮ ତାରିଖରେ ପୋଲିସ ତାଙ୍କୁ ଆରେଷ୍ଟ କଲା ଏବଂ ୮ଦିନ ଜେଲରେ ରହିବା ପରେ ସେହି ମାସ ୧୬ ତାରିଖରେ ୨,୪୦,୦୦୦ ପାଉଣ୍ଡ ବିନିମୟରେ ଜାମିନ ମିଳିଲା । ୨୦୧୧ ମସିହା ଫେବ୍ରୁଆରୀ ୧୧ ତାରିଖରେ ଇଂଲଣ୍ଡର ଅଦାଲତ ତାଙ୍କୁ ସ୍ୱେଡେନ ପ୍ରତ୍ୟର୍ପଣ ନିମନ୍ତେ ଆଦେଶ ଦେଲେ । ଜୁଲିଆନ୍ ଆସେଞ୍ଜ ବାଧ୍ୟହୋଇ ୨୦୧୨ ମସିହାରେ ଇକ୍ୱେଡର ଦୂତାବାସରେ ରାଜନୈତିକ ଶରଣ ପଶିଲେ ଏବଂ ୨୦୧୯ ମସିହାରେ ନୂତନ ରାଷ୍ଟ୍ରପତି ଲେନିନ୍ ମରେନୋ ଶରଣାର୍ଥୀ ମାନ୍ୟତା ପ୍ରତ୍ୟାହାର କରିନେବା ପରେ ଇଂଲଣ୍ଡ ପୋଲିସ ଦ୍ୱାରା ଆରେଷ୍ଟ ହୋଇ ବେଲମର୍ଶ ବନ୍ଦୀଶାଳାରେ ଜୀବନ ବିତାଇଥିଲେ ।
ୱିକିଲିକ୍ସ ହେଉଛି ମୁକ୍ତ, ଅପ୍ରତିବନ୍ଧିତ ଗଣମାଧ୍ୟମର ପ୍ରତିଶବ୍ଦ ଏବଂ ଜୁଲିଆନ୍ ଆସେଞ୍ଜ ତାହାର ଉଜ୍ଜଳ ପ୍ରତିରୂପ । ତାଙ୍କ ଜୀବନ ସତେଅବା ନ୍ୟାୟିକ ଭ୍ରଷ୍ଟାଚାରର ଦୁଃଖଦ ଆଖ୍ୟାନ, ସରକାରୀ ଗୋପନୀୟତା ଓ ଭ୍ରଷ୍ଟାଚାର କିପରି ସତ୍ୟକୁ ବାଟବଣା କରି ଆଇନର ଶାସନକୁ ଦିଗହରା କରିଥାଏ, ତାହାର ଉନ୍ମୁକ୍ତ ବିବରଣୀ । ଆମେରିକା, ସ୍ୱେଡେନ ଏବଂ ଇଂଲଣ୍ଡ ଭଳି ପରିପକ୍ୱ ଗଣତନ୍ତ୍ର ଦ୍ୱାରା ଜୁଲିଆନ୍ ଆସେଞ୍ଜଙ୍କ ଉପରେ ରାଜନୀତି-ପ୍ରଣୋଦିତ ମକଦ୍ଦମା, ଗଣମାଧ୍ୟମର ସ୍ୱାଧୀନତାକୁ ନ୍ୟୁନ କରିବା ସହିତ ଆଇନର ଶାସନ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଜୁଲିଆନ୍ ଆସେଞ୍ଜଙ୍କୁ ଜୀବନରୁ ନିପାତ କରିଦେବା ପାଇଁ ଶକ୍ତିଶାଳୀ ରାଷ୍ଟ୍ରମାନେ ଆଇନ ଏବଂ ନ୍ୟାୟିକ ପ୍ରକିୟାକୁ ଯେପରି ଉଲ୍ଲଙ୍ଘନ କରିଛନ୍ତି, ଯେତେ କଠୋର ଶବ୍ଦରେ ତାହା ନିନ୍ଦା କଲେ ମଧ୍ୟ ଯଥେଷ୍ଟ ହେବନାହିଁ । ଏବେ ଜୁଲିଆନ ଆସେଞ୍ଜ ୱାକିଲିକ୍ସକୁ ପୁନର୍ବାର ସକ୍ରିୟ କରିବେ କି ନାହିଁ, ତାହା ବଡ଼ କଥା ନୁହେଁ । ଗୋଟିଏ ଦଶନ୍ଧି ମଧ୍ୟରେ ଗଣମାଧ୍ୟମର କାର୍ଯ୍ୟଧାରାକୁ ସେ ଯେଉଁ ନୂତନ ମୋଡ଼ ଦେଇଛନ୍ତି, ତାହା ସବୁକାଳ ପାଇଁ ଦୃଷ୍ଟାନ୍ତ ହୋଇ ରହିଥିବ ।