ନୂଆଦିଲ୍ଲୀ,୦୬/୦୨: ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ସହିତ ଶାନ୍ତି ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସନାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସଂଗଠନର ଉପ ବୈଦେଶିକ ମନ୍ତ୍ରୀ ହୁସେନ୍ ଅଲ-ଇଜି ୟେମେନରେ ଆମେରିକା ଏବଂ ବ୍ରିଟେନକୁ ସମର୍ଥନ କରୁ ନ ଥିବାରୁ ସାଉଦି ଆରବକୁ ବିଶେଷ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ସାଉଦି ଆରବ ସହ ଶାନ୍ତି ଆଲୋଚନା କରିବାକୁ ଆଗ୍ରହୀ। ହୁତି ବିଦ୍ରୋହୀ ଏବଂ ସାଉଦି ଆରବ ମଧ୍ୟରେ ଶତ୍ରୁତା ବର୍ଷ ବର୍ଷ ଧରି ରହି ଆସିଛି। ୟେମେନର ଏହି ସଂଗଠନ ସାଉଦିର ଟାର୍ଗେଟ ହୋଇ ରହିଛି। ହୁତି ଇରାନରୁ ସମର୍ଥନ ପାଉଥିବା ବେଳେ ଇରାନ ସାଉଦି ଆରବକୁ ଏହାର ଶତ୍ରୁ ଭାବରେ ବିବେଚନା କରିଆସିଛି।
ଜଣେ ଅଧିକାରୀ କହିଛନ୍ତି ଯେ, ୧୨ ଜାନୁଆରୀରୁ ଆମେରିକା ଏବଂ ବ୍ରିଟେନ ୟେମେନରେ ୩୦୦ ରୁ ଅଧିକ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଆମ ଉପରେ ଆକ୍ରମଣ କରୁଛି ଏବଂ ଆମେ ଏହାର ପ୍ରତି ଜବାବ ଦେବୁ। ଯଦି କେହି ଆମ ଦେଶ ଉପରେ ଆକ୍ରମଣ କରନ୍ତି ତେବେ ଆମେ ଚୁପ୍ ରହିବୁ ନାହିଁ ଏବଂ ଗାଜା ଓ ପାଲେଷ୍ଟାଇନ ପ୍ରତି ଆମର ଆଭିମୁଖ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଗତ ବର୍ଷ ନଭେମ୍ବରରୁ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଆମେରିକା ସମେତ ଅନେକ ୟୁରୋପୀୟ ଦେଶର ଜାହାଜକୁ ଟାର୍ଗେଟ କରିଆସୁଛନ୍ତି। ଅଲ-ଇଜି କହିଛନ୍ତି ଯେ ପାଲେଷ୍ଟାଇନକୁ ସମର୍ଥନ କରି ଦେଶ ଅଭିମୁଖେ ଯାଉଥିବା ହୁତିମାନେ କେବଳ ଇସ୍ରାଏଲ୍ ସହ ଜଡିତ ଜାହାଜକୁ ଟାର୍ଗେଟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ୟେମେନର ହୁତି ବିଦ୍ରୋହୀମାନେ ଶିଆ ମୁସଲମାନମାନଙ୍କର ଏକ ସଂଗଠନ, ଯିଏକି ଜାଇଦିର ସମର୍ଥକ ଅଟନ୍ତି। ସେମାନେ ନିଜକୁ ହାମାସ ଏବଂ ଲେବାନାନର ହିଜବୁଲ୍ଲାହ ଭଳି ସଶସ୍ତ୍ର ଗୋଷ୍ଠୀ ସହିତ ଇସ୍ରାଏଲ୍, ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ବିରୁଦ୍ଧରେ ଇରାନର ନେତୃତ୍ୱାଧୀନ ପ୍ରତିରୋଧ ଗୋଷ୍ଠୀ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ଗୋଷ୍ଠୀ ୧୯୯୦ ଦଶକରେ ଉଭା ହୋଇଥିଲା ଏବଂ ଏହି ଆନ୍ଦୋଳନର ଦିବଂଗତ ପ୍ରତିଷ୍ଠାତା ହୁସେନ୍ ଅଲ-ହୁତିଙ୍କ ନାମରେ ନାମିତ ହୋଇଥିଲା। ସମ୍ପ୍ରତି ଏହାର ନେତା ହେଉଛନ୍ତି ହୁସେନ୍ ଅଲ-ହୁତିଙ୍କ ଭାଇ ଅବଦୁଲ ମଲିକ ଅଲ-ହୁତି।