ନୂଆପଡ଼ା,୧୮/୧୧: ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ହୋଇପଡ଼ିଛନ୍ତି । ସେ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି । ବର୍ଷେ ହେବ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ ପାଦ ଫ୍ରାକ୍ଚର ହୋଇଥିବାରୁ ଚାଲିବାର ସମସ୍ୟା ରହିଛି । ସେହିଦିନଠାରୁ ମନ୍ତ୍ରୀ ନିୟମିତ ବ୍ୟବଧାନରେ ରାୟପୁରର ଏକ ଘରୋଇ ହସପିଟାଲରେ ପାଦର ଚିକିତ୍ସା କରାଇଆସୁଛନ୍ତି । ଗୁରୁବାର ମଧ୍ୟ ଉକ୍ତ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତର ପାଦର ସର୍ଜରୀ କରିବାକୁ ପରାମର୍ଶ ଦେଇଥିଲେ । ଏହି ସର୍ଜରୀ ପାଇଁ ମନ୍ତ୍ରୀ କିଛିଦିନର ସମୟ ମାଗି ଔଷଧ ନେଇ ଫେରି ଆସିଥିଲେ । ରାତିରେ ଖରିଆରରୋଡ଼ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିଥିଲେ ।
ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟାରେ ମନ୍ତ୍ରୀ ଶୌଚ ପାଇଁ ଯିବାବେଳେ ବାନ୍ତି କରିବା ସହ ଗୁରୁତର ହୋଇପଡ଼ିଥିଲେ ।ପରିବାର ଲୋକେ ଖରିଆରରୋଡ଼ ସହରର ଜଣେ ଡାକ୍ତରଙ୍କୁ ଡାକି ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ମନ୍ତ୍ରୀ ପୁଣି ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ଶ୍ୱାସନଳୀରେ ପାଣି ଜମା ହୋଇଥିବା ଡାକ୍ତର କହିଥିଲେ । ମଧ୍ୟାହ୍ନରେ ଶ୍ୱାସନଳୀରୁ ପାଣି କଢ଼ା ଯାଇଛି । ବର୍ତ୍ତମାନ ମନ୍ତ୍ରୀ ଢୋଲକିଆ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ମନ୍ତ୍ରୀ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ତାଙ୍କ ପୁଅ ଜୟ ଢୋଲକିଆ ସୂଚନା ଦେଇଛନ୍ତି ।