ଜଗତସିଂହପୁର,୧୩/୦୮: କିଛି ଭିଡିଓକୁ ଢାଲ କରାଯାଇ ଜଣେ ନାବାଳକ ଛାତ୍ରଙ୍କୁ ବ୍ଲାକ୍ମେଲ୍ କରାଯାଇଛି । ପରେ ପର୍ଯ୍ୟାୟକ୍ରମେ ତାଙ୍କଠାରୁ ଟଙ୍କା ଭିଡ଼ି ନିଆଯିବା ସହିତ ଥାର୍ଡ ଡିଗ୍ରୀ ଦିଆଯାଇଛି । ପ୍ରାୟ ୮ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଲୁଟିବା ପରେ କଥାଟା ପଦାକୁ ବାହାରିଛି । ଘଟଣାଟି ସମ୍ବେଦନଶୀଳ ହୋଇଥିବାରୁ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ଗତକାଲି ମାମଲା ରୁଜୁ ସହ ତନାଘନା କରାଯାଇଛି । ମଧୁବନ ଅଞ୍ଚଳର ଉକ୍ତ ଘଟଣା ଏବେ ବେଶ ଆଲୋଡ଼ନ ସୃଷ୍ଟି କରିଛି ।
ଗତବର୍ଷ ମଧୁବନ ଅଞ୍ଚଳର ଜଣେ ନାବାଳକ ଛାତ୍ର ପାରାଦୀପର ଏକ ପ୍ରତିଷ୍ଠିତ ସ୍କୁଲ୍ରେ ୧୦ମରେ ନାମ ଲେଖାଇଥିଲେ । ପାଠ ପଢ଼ା ସମୟରେ ସଂପୃକ୍ତ ଛାତ୍ର ନିଜର କିଛି ସାଙ୍ଗଙ୍କ ସହ ନିକଟସ୍ଥ ଏକ ପଡ଼ିଆକୁ ଖେଳିବାକୁ ଯାଇଥାନ୍ତି । ଗତ ବର୍ଷ ମାର୍ଚ୍ଚ ମାସରେ ଖେଳକୁଦ ସମୟରେ ଜଣେ ବନ୍ଧୁଙ୍କ ସହ ଏହି ଛାତ୍ରଙ୍କ କଳିଗୋଳ ଲାଗିଥିଲା ।
ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସମୟର ଭିଡିଓ ଉତ୍ତୋଳିତ କରି ଦେଇଥିଲେ କେହି ଜଣେ ଅଜଣା ପିଲା । ଉକ୍ତ ଭିଡିଓକୁ ନାବାଳକଙ୍କ ପରିବାରବର୍ଗଙ୍କୁ ପଠାଇ ଦେବାର ଧମକ ଦେଇ ଛାତ୍ରଙ୍କୁ ବ୍ଲାକ୍ମେଲ୍ ଆରମ୍ଭ କରିଥିଲେ । ତତ୍ସହିତ ସ୍କୁଲ୍ ନାମରେ ୧୦ ହଜାର ଟଙ୍କା ଘରୁ ଆଣିବାକୁ ସେଇ ଅଜଣା ପିଲା ଜଣକ ଚାପ ପକାଇଥିଲେ । ଅଶ୍ଲୀଳ ଭାଷାର ଭିଡିଓ ପ୍ରଘଟ ଭୟରେ ସଂପୃକ୍ତ ଛାତ୍ର ଘରେ ମିଛ କଥା କହି ନିଜ ମା’ଙ୍କଠାରୁ ୩ ହଜାର ଟଙ୍କା ଆଣି ସେଇ ଅଜଣା ପିଲାକୁ ଧରାଇଥିଲେ । ପ୍ରଥମ ଚାଲ୍ରେ ସଫଳ ପରେ ଅଜଣା ପିଲା ଜଣଙ୍କ ବିଭିନ୍ନ ସମୟରେ ନାବାଳକ ଛାତ୍ରଙ୍କୁ ମାର୍ଧର୍ କରୁଥିଲେ । ଉଲଗ୍ନ କରି ଗୁପ୍ତାଙ୍ଗରେ ଚେଙ୍କ ଦେଉଥିଲେ । ଆଉ ସେଇ ସମୟର ଭିଡିଓ ଉଠାଇ ଭାଇରାଲ୍ କରିବାର ନାଲିଆଖି ଦେଖାଇଥିଲେ । ଏସବୁ ଭିଡିଓକୁ ଆୟୁଧ କରି ଛାତ୍ରଙ୍କ ପାଖରୁ ପର୍ଯ୍ୟାୟକ୍ରମେ ସ୍କୁଲ୍ ନାମରେ ବିଭିନ୍ନ ଆଳରେ ୮ ଲକ୍ଷ ୨ ହଜାର ଟଙ୍କା ଭିଡ଼ି ନେଇଥିଲେ । ବଦଳରେ ନକଲି ରସିଦ୍ ଧରାଇ ଦେଉଥିଲା ।
ଗତ ମାସରେ ମଧ୍ୟ ୫୩ ହଜାର ଓ ସ୍କାନର ଜରିଆରେ ୨୩ ହଜାର ଟଙ୍କା ସେଇ ଅଜଣା ବ୍ଲାକମେଲର ଜଣକ ନେଇଛି । ଗତ ୩ ତାରିଖରେ ମଧୁବନ ଭୀମଭୋଇ କଲୋନୀ ଅଞ୍ଚଳର ଜଣେ ପିଲା ସଂପୃକ୍ତ ଛାତ୍ରଙ୍କ ବାପାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତାଙ୍କ ପୁଅ ୫ ହଜାର ଟଙ୍କା କରଜ ଆକାରରେ ନେଇଥିବାରୁ ଫେରସ୍ତ ମାଗିଥିଲେ । ପୁଅ କରଜ କରିଥିବା ଜାଣି ବାପାଙ୍କ ମନରେ ସନ୍ଦେହ ବଢ଼ିଥିଲା । ପଚରାଉଚରା ପରେ ଛାତ୍ର ଜଣକ ସମସ୍ତ ଘଟଣା ବାପାଙ୍କ ଆଗରେ ବର୍ଣ୍ଣନା କରିଥିଲେ ।
ସଂପ୍ରତି ଉଲଗ୍ନ ଭିଡିଓ ସହ ମାଡ଼ ମରାଯିବାର ଫଟୋ ଛାତ୍ରଙ୍କ ବାପାଙ୍କ ହାତରେ ଲାଗିଛି ଏବଂ ନାବାଳକ ଛାତ୍ର ପ୍ରତି ଏଭଳି ଅତ୍ୟାଚାର କରିଥିବା ପିଲା ମଧୁବନ ଭୂୟାଁଛକ ଅଞ୍ଚଳର ବୋଲି ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଛି । ଥାନାକୁ କଥା ଆସିବା ପୂର୍ବରୁ କିନ୍ତୁ ଭୂୟାଁଛକ ଅଞ୍ଚଳର ସଂପୃକ୍ତ ପିଲା ଅନ୍ୟ ଜଣଙ୍କ ଫୋନ୍ରେ ନାବାଳକଙ୍କୁ କାର୍ ଚଢ଼ାଇ ମାରିଦେବାର ଧମକ ଦେଇଛି । ଧମକକୁ ନେଇ ସଂପୃକ୍ତ ନାବାଳକ ଛାତ୍ରଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଛି । ଏଣେ ଭୟଭୀତ କରାଯିବା ସହ ନକଲି ରସିଦ୍ ଦେଇ ବଡ଼ଧରଣର ଠକେଇ କରାଯାଇଥିବାରୁ ପୀଡ଼ିତ ଛାତ୍ରଙ୍କ ବାପା ଗତକାଲି ପାରାଦୀପ ଆଦର୍ଶ ଥାନାର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଥାନାଧିକାରୀ ସୂଚିତ୍ରବିର୍ଯ୍ୟ ଦାସ କହିଛନ୍ତି, ଏ ସଂକ୍ରାନ୍ତରେ ମାମଲା ରୁଜୁ ସହ ପ୍ରାଥମିକ ତଦନ୍ତ କରାଯାଇଛି । ଯେଉଁ ପିଲା ନାମରେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି ସେ ବର୍ତ୍ତମାନ ବାହାରେ ଡିପ୍ଲୋମା ପଢୁଛନ୍ତି । ତଥାପି ସେହି ଛାତ୍ରଙ୍କ ବାପାଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଖୁବ୍ ଶୀଘ୍ର ସଂପୃକ୍ତ ଡିପ୍ଲୋମା ଛାତ୍ର ପାରାଦୀପରେ ପହଞ୍ଚିବେ । ପଚରାଉଚରା ପରେ ହିଁ ପ୍ରକୃତ ସତ୍ୟ ଫିଟିବ ।