ଗୋଛାପଡା, ୬/୧୨ : ନିଆଁ ପୋଉଁଥିବା ବେଳେ ପୋଡ଼ି ହୋଇ ୯ ବର୍ଷର ଶିଶୁକନ୍ୟା ମୃତ। ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନିପଦର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଖବର ପାଇ ଫିରିଙ୍ଗିଆ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ମିଙ୍ଗୁନିପଦରର କୃଷ୍ଣ କହଁରଙ୍କ ଝିଅ ଲକ୍ଷ୍ମୀପ୍ରିୟା ଘରେ କେହି ନଥିବା ସମୟରେ ଚୁଲି ମୁଣ୍ଡରେ ବସି ନିଆଁ ପୋଉଁଥିଲେ। ଏହି ସମୟରେ ଅସାବଧାନତା ବଶତଃ ନାବାଳିକାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା। ଫଳରେ ସେ ବେହୋସ ହୋଇ ପଡିଯାଇଥିଲେ। ରୋଷେଇ ଘରୁ ଧୂଆଁ ବାହାରୁଥିବା ଦେଖି ମା-ବାପା ସେଠାକୁ ଧାଇଁଯାଇ ଝିଅ ପୋଡି ଯାଇଥିବା ଦେଖିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଛି।
ଖବର ପାଇ ଫିରିଙ୍ଗିଆ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଫିରିଙ୍ଗିଆ ଥାନାରେ ଏନେଇ ୧୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ କହିଛନ୍ତି।