ପୁରୀ,୨୧/୦୫: ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ କଡ଼ା ସୁରକ୍ଷା ବଳୟରେ ଥିଲା ବଡ଼ଦାଣ୍ଡ । ମେଡିକାଲ୍ ଛକରୁ ମରିଚିକୋଟ୍ ଛକ ମଧ୍ୟରେ ଥିବା ୪ଟି ସେକ୍ଟର୍ କରି ପୁଲିସ ଜଗିଥିଲା । ହେଲେ ଏହା ଭିତରେ ବିଜେପି କର୍ମୀଙ୍କୁ ଲୁଟିଲେ ଲୁଟେରା । ୧୦ରୁ ଅଧିକ ମୋବାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଜଣେ ଅଣଓଡ଼ିଆ ନାବାଳକକୁ କାବୁ କରି ତା’ଠାରୁ ୪ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିଲା । ପୁଲିସ ଏହି ନାବାଳକକୁ ନେଇ ଛାଡ଼ି ଦେଇଛି ।
ବିଭିନ୍ନ ଗୀତର ତାଳେ ତାଳେ କର୍ମୀମାନେ ହାତ ଟେକି ନାଚିଥିଲେ । ବାସ୍ ଏହି ମଉକାକୁ ହାତଛଡ଼ା କରି ନଥିଲେ ଲୁଟେରା । ଭିଡ଼ ଭିତରେ ପଶି ପକେଟରୁ ମୋବାଇଲ୍ ଫୋନ୍ ଚୋରି କରିଥିଲେ । ଏପରିକି ଫଟୋ ଓ ସେଲ୍ଫି ନେବା ବେଳେ ବି କୌଶଳକ୍ରମେ ମୋବାଇଲ୍ ଛଡ଼ାଇ ନେଇଥିଲେ ଲୁଟେରା ।
ପୂର୍ବାହ୍ନ ୯ଟା ସମୟରେ ଭିଆଇପି ରୋଡ୍ର ନିରଞ୍ଜନ କୁମାର ରାଉତଙ୍କ ମୋବାଇଲ୍ ଲୁଟ୍ ହୋଇଥିଲା । ଏନେଇ ସେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଅନ୍ଲାଇନ୍ ଯୋଗେ ଟ୍ରାକ୍ କରି ଡାକ୍ତରଖାନା ଛକ ସ୍ଥିତ ପଞ୍ଜାବ ନ୍ୟାସିନାଲ୍ ବ୍ୟାଙ୍କ୍ ପାଖକୁ ଆସିଥିଲେ।
ବ୍ୟାଙ୍କ୍ ଜେନେରେଟର୍ ତଳେ ଥିବା ପରିତ୍ୟକ୍ତ ସ୍ଥାନରେ ନିରଞ୍ଜନଙ୍କ ଫୋନ୍ ସହ ଆଉ ଏକ ମୋବାଇଲ୍ ମଧ୍ୟ ପଡ଼ିଥିଲା । ବଳଗଣ୍ଡିର ସଞ୍ଜୟ ହରିଚନ୍ଦନଙ୍କ ପକେଟ୍ରୁ ମୋବାଇଲ୍ ଚୋରି କରିବା ବେଳେ ସେ ଜଣେ ନାବାଳକକୁ କାବୁ କରିଥିଲେ । ଆଉ ୨ଟି ମୋବାଇଲ୍ ତାଠାରୁ ମିଳିଥିଲା । ପରିବାର ସହ ରହି ସେ ବେଲୁନ୍ ବେପାର କରୁଥିବା କହିଥିଲା । ନାବାଳକକୁ ତା’ ପରିବାର ଜିମାରେ ଛାଡ଼ିଥିଲା ପୁଲିସ । କିଛି ଅଣଓଡ଼ିଆ ତାଳବଣିଆଠାରେ ରହି ସହରରେ ଲୁଟ୍ପାଟ୍ କରୁଥିବାର ପ୍ରମାଣ ପାଇଥିଲା ଟାଉନ୍ ଥାନା ପୁଲିସ । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଲୁଟେରାଙ୍କୁ ଗିରଫ କରାଯାଇଥିଲା ।