ନୂଆଦିଲ୍ଲୀ, ୧୮।୯: ଭାରତୀୟ ବାୟୁସେନାର ସ୍କ୍ୱାଡ୍ରନ ଲିଡର ମୋହନା ସିଂହ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ଯୁଦ୍ଧବିମାନ ତେଜସର ପ୍ରଥମ ମହିଳା ଫାଇଟର ପାଇଲଟ ହୋଇଛନ୍ତି । ଏଥିସହ ସେ ଏଲିଟ୍ ୧୮ ଫ୍ଲାଇ ବୁଲେଟ ସ୍କ୍ୱାଡ୍ରନରେ ସାମିଲ ହୋଇଛନ୍ତି । ନିକଟରେ ଯୋଧପୁରରେ ଅନୁଷ୍ଠିତ ତରଙ୍ଗ ଶକ୍ତି ଯୁଦ୍ଧାଭ୍ୟାସରେ ସେ ଯୋଗଦେଇ ୩ ସେନାର ଉପମୁଖ୍ୟଙ୍କ ସହ ବିମାନ ଉଡାଇଥିଲେ । ବର୍ତ୍ତମାନ ମୋହନା ମିଗ୍-୨୧ ଯୁଦ୍ଧବିମାନର ପାଇଲଟ୍ ଭାବେ କାର୍ଯ୍ୟ କରୁଛନ୍ତି ।
ନିକଟରେ ଏଲ୍ସିଏ ସ୍କ୍ୱାଡ୍ରନରେ ସେ ସାମିଲ ହୋଇଥିବା ବେଳେ ତାଙ୍କୁ ପାକିସ୍ତାନ ସୀମାକୁ ଲାଗିଥିବା ଗୁଜରାଟର ନାଳିୟା ବାୟୁସେନା ଘାଟିରେ ମୁତୟନ କରାଯାଇଛି । ମୋହନାଙ୍କ ଏହି ଉପଲବ୍ଧି ଭାରତୀୟ ବାୟୁସେନାରେ ମହିଳାମାନଙ୍କ ଲାଗି ନୂଆ ଦ୍ୱାରା ଖୋଲିଦେଇଛି । ମୋହନା ୮ ବର୍ଷ ପୂର୍ବେ ଫାଇଟର ଷ୍ଟ୍ରିମ୍ରେ ସାମିଲ ହୋଇଥିଲେ । ସେ ଅବନୀ ଚତୁର୍ବେଦୀ ଓ ଭାବନା କାନ୍ତଙ୍କ ସହିତ ଫାଇଟର ଷ୍ଟ୍ରିମ୍ରେ ଆସିଥିଲେ । ଏହି ୩ ମହିଳା ପାଇଲଟ ପ୍ରାରମ୍ଭରୁ ବିଭିନ୍ନ ଯୁଦ୍ଧବିମାନ ଉଡାଇଥିଲେ । ବର୍ତ୍ତମାନ ସୁଖୋଇ-୩୦ ଏମ୍କେଆଇ ଏବଂ ତେଜସର ନିୟମିତ ଫ୍ଲିଟ୍ରେ ସାମିଲ ଅଛନ୍ତି । ଭାରତୀୟ ବାୟୁସେନା ବିଶ୍ୱର ଚତୁର୍ଥ ସର୍ବାଧିକ ଶକ୍ତିଶାଳୀ ବାହିନୀ । ଏଥିରେ ବର୍ତ୍ତମାନ ୨୦ ଜଣ ମହିଳା ଫାଇଟର ପାଇଲଟ ଅଛନ୍ତି ।
୨୦୧୬ରେ ଭାରତୀୟ ବାୟୁସେନା ମହିଳାଙ୍କ ପାଇଁ ଫାଇଟର ପାଇଲଟ ଷ୍ଟ୍ରିମ୍ ଖୋଲିଥିଲା । ଏଥିସହ ବାୟୁସେନା ତାର ସମସ୍ତ ଷ୍ଟ୍ରିମ୍ରେ ମହିଳାଙ୍କୁ ଆଗକୁ ଆସିବା ଲାଗି ସୁଯୋଗ ସୃଷ୍ଟି କରିଥିଲା । ଗତବର୍ଷ ଡିସେମ୍ବର ୨ରେ ବାୟୁସେନା ତାର ଅଣ ଅଫିସର କ୍ୟାଡରରେ ୧୫୩ ଜଣ ଅଗ୍ନିବୀର ବାୟୁ (ମହିଳା)ଙ୍କୁ ସାମିଲ କରିଥିଲା । କର୍ଣ୍ଣାଟକର ବେଲଗାଭିସ୍ଥିତ ଏୟାରମେନ ଟ୍ରେନିଂ ସ୍କୁଲରେ ସେମାନେ ତାଲିମ୍ ନେଇଥିଲେ । ଏଥିସହ ୨୨୮୦ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ବାୟୁସେନାରେ ସାମିଲ କରାଯାଇଥିଲା । ବାୟୁସେନା ତାର ଏଲିଟ କମାଣ୍ଡୋ ଗ୍ରୁପ ଗରୁଡରେ ମଧ୍ୟ ମହିଳାଙ୍କୁ ସାମିଲ ହେବା ଲାଗି ସୁଯୋଗ ଦେଇଛି ।