ମାଲକାନଗିରି/ଏମଭି ୭୯, ୩/୮ : କୁହାଯାଏ କାହାକୁ ଯଦି କିଛି ରୋଗ ଆସେ ତେବେ ତାଙ୍କ ପରିବାର ଉପରେ ଦୁଃଖର ବାଦଲ ଛାଇ ଯାଏ । କିଛି ବଡ ଧରଣର ରୋଗରେ ଯଦି ପରିବାର କେହି ସଦସ୍ୟ ଆକ୍ରାନ୍ତ ହୁଅନ୍ତି ତେବେ ତାଙ୍କ ପରିବାର ଉପରେ ପଡିଯାଏ ଚିନ୍ତାର ବୋଝ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଏମଭି ୭୯ ଅଞ୍ଚଳରେ । ଏମଭି ୭୯ ଗ୍ରାମର ସଞ୍ଚୟ କୁଣ୍ଡୁ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକଙ୍କ ଉପରେ ଘୋଟି ଯାଇଛି କଳା ବାଦଲ। ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ।ସଞ୍ଜୟଙ୍କ ଚିକିତ୍ସା ପାଇଁ ସହାୟତା ଲାଗି ଘର ଘର ବୁଲି ଗୁହାରି କରୁଛନ୍ତି ପତ୍ନୀ।
ମାଲକାନଗିରି ଜିଲ୍ଲା ଏମଭି ୭୯ ଗ୍ରାମରେ ସଞ୍ଜୟ ନିଜର ସ୍ତ୍ରୀ, ଗୋଟିଏ ପୁଅ, ଦୁଇଟି ଝିଅ ସହ ରହି ଆସୁଛନ୍ତି। ଦୀର୍ଘ ୧ ବର୍ଷ ତଳେ ସଞ୍ଜୟଙ୍କୁ କର୍କଟ ହୋଇଥିବା ସେ ଜାଣିବାକୁ ପାଇଥିଲେ । ମୁହଁରେ କର୍କଟ ହୋଇଥିବାରୁ ଅପରେସନ କରିବାକୁ ପଡିଥିଲା। ବ୍ୟୟ ବହୁଳ ଅପରେସନ ପରେ ସେ ଭଲ ହେବେ ବୋଲି ଆଶା ରଖି ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରିଥିଲେ । ହେଲେ ତାଙ୍କ ରୋଗ ଭଲ ହେବା ବଦଳରେ ଅଧିକରୁ ଅଧିକ ବଢୁଥିବାରୁ ବର୍ତ୍ତମାନ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପଟେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜୁଥିବାରୁ ପରିବାର ଲୋକ ଚିନ୍ତାରେ ପଡିଯାଇଛନ୍ତି। ଚିକିତ୍ସା ପାଇଁ ତ ଟଙ୍କା ଅଣ୍ଟୁନାହିଁ ପେଟ ପାଇଁ କେଉଁଠୁ ବଳିବ । ତେଣୁ ଅନେକ ସମୟରେ ଉପାସରେ ଶୋଇ ପଡନ୍ତି ପୁରା ପରିବାର ବୋଲି କୋହ ଭରା କଣ୍ଠରେ ସଞ୍ଜୟ ପ୍ରକାଶ କରିଛନ୍ତି । ସଞ୍ଜୟଙ୍କୁ ସହଯୋଗର ହାତ ବଢାଇବାକୁ ପରିବାର ଲୋକେ ସରକାର ଓ ପ୍ରଶାସନକୁ ଗୁହାରି କରିଛନ୍ତି।