ଭୋଗରାଇ,୨୨/୦୯: ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ସାମାନ୍ୟ କମିବା ପରେ ବଢିଛି ଦୁର୍ଦ୍ଦଶା । ପାଣି ଘେରରେ ଭୋଗରାଇର ୫୦ ରୁ ଅଧିକ ଗାଁ । ଏବେ ବି ରାସ୍ତା ଉପରେ ବହୁଛି ୪ ଫୁଟର ପାଣି । ରନ୍ଧାଖାଦ୍ୟ ପହଞ୍ଚି ନଥିବା ହେତୁ ଲୋକଙ୍କଠାରେ ଦେଖିବାକୁ ମିଳିଛି ଅସନ୍ତୋଷ ।ଏହା ସହ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବାକୁ ବନ୍ୟାବିପନ୍ନମାନେ ଦାବି ରଖିଛନ୍ତି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବିଗତ ଦିନରେ ଭୋଗରାଇ ଅଞ୍ଚଳରେ ଲାଗି ରହିଥିଲା ବର୍ଷା । ଦେଖିବାକୁ ମିଳିଥିଲା ବନ୍ୟାସ୍ଥିତି । ତଳିଆ ଅଞ୍ଚଳରେ ପାଣି ପଶିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ତେବେ ବର୍ତ୍ତମାନ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ସାମାନ୍ୟ କମିଛି । ହେଲେ ଆଜି ବି ପାଣି ଘେରରେ ରହିଛି ଭାଗରାଇର ୫୦ ରୁ ଅଧିକ ଗାଁ । ଶନିବାର ପ୍ରାୟ ସମସ୍ତ ଜଳମଗ୍ନ ଗାଁକୁ ଶୁଖିଲା ଖାଦ୍ୟ ପହଞ୍ଚିଥିବା ବେଳେ ରନ୍ଧା ଖାଦ୍ୟ ଏ ପର୍ଯ୍ୟନ୍ତ କାହିଁକି ପହଞ୍ଚି ନାହିଁ, ତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବନ୍ୟାଜଳ ନିଷ୍କାସନର ଠିକ ଭାବରେ ବ୍ୟବସ୍ଥା ନଥିବାରୁ ତଳିଆ ଅଞ୍ଚଳରେ ଏବେ ବି ରାସ୍ତା ଉପରେ ବହୁଛି ୪ ଫୁଟର ପାଣି । ପ୍ରଶାସନ ପକ୍ଷରୁ ଠିକ ଭାବରେ ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଗଲେ, ଗାଁ ଗୁଡିକରୁ ଅତି ଶୀଘ୍ର ପାଣି ଶୁଖିବ ବୋଲି କୁହାଯାଉଛି । ବନ୍ୟାରୁ ମୁକ୍ତି ପାଇବା ପାଇଁ ୨୦୦୯ ରୁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପ୍ରସ୍ତାବରେ ମୋହର ଲାଗିଥିଲା । ଏହା ସତ୍ତ୍ୱେ ୨୦୧୨/୨୦୧୩ ବଜେଟ ପାସ ହୋଇଥିଲେବି ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନି । ତେଣୁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବାକୁ ବନ୍ୟାବିପନ୍ନମାନେ ଦାବି କରିଛନ୍ତି ।