କଟକ ୦୮/୧୨: ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡରେ ଟିଫା ମେସିନ୍ ବୁଲିବ । ଏହାକୁ ତଦାରଖ କରିବା ପାଇଁ କର୍ମଚାରୀଙ୍କୁ ବି ନିୟୋଜିତ କରାଗଲା । ଫଗିଂ କରି ମଶା ମାରିବାକୁ ୨୦ ଦିନ ପାଇଁ ଅର୍ଡର୍ ହେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଦିଏଟିଏ ପାଇଁ ବି ୱାର୍ଡବାସୀ ଦେଖିପାରିଲେ ନାହିଁ ଟିଫା ମେସିନ୍ କିମ୍ବା ମଶା ଧୂଆଁ । ଅନ୍ୟପକ୍ଷରେ ବର୍ଷକ ତଳେ ଲକ୍ଷାଧିକ ଟଙ୍କା ମୂଲ୍ୟରେ କିଣାଯାଇଥିବା ଟିଫା ମେସିନ୍ରୁ ଏବେ ୫ରୁ ଅଧିକ ଖରାପ ହୋଇଗଲାଣି । ଫଳରେ ୫୯ଟି ୱାର୍ଡ ପାଇଁ ସାହା ପାଲଟିଛି ୩୮ଟି ଟିଫା ।
ଚଳିତ ବର୍ଷ ନିମ୍ନମାନର ମଶା ତେଲ ପଡୁଥିଲାବେଳେ ଏବେ କାଗଜକଲମରେ ସୀମିତ ରହିଛି ସିଏମ୍ସିର ଫଗିଂ କାର୍ଯ୍ୟକ୍ରମ । ସିଏମ୍ସି ଅବହେଳା ପାଇଁ ଏବେ ମଶାଙ୍କ ଉତ୍ପାତର ସହରବାସୀ କଲବଲ ହେଉଛନ୍ତି । ଚଳିତ ବର୍ଷ ଶୀତ ଆରମ୍ଭରୁ ନାକେଦମ୍ କଲେଣି ମଶା । ଗତ ବର୍ଷ ତୁଳନାରେ ମଶା ଘନତ୍ୱ ଦୁଇ ଗୁଣା ରହିଛି । ଏଭଳି ସ୍ଥିତିରେ ସିଏମ୍ସି କେବଳ କାଗଜକଲମରେ ମଶା ଦମନ କରିବା ସହିତ ତେଲରୁ ନେଇ ଧୂଆଁ ସବୁଥିରେ ମନଇଚ୍ଛା ଖର୍ଚ୍ଚ ଦର୍ଶାଇ ହରିଲୁଟ୍ ଚଳାଇଛନ୍ତି । ଚଳିତ ବର୍ଷ ଲକ୍ଷାଧିକ ଟଙ୍କାର ନିମ୍ନମାନର ମଶା ତେଲ ପକାଇ ରାଜସ୍ୱକୁ ଖର୍ଚ୍ଚ କରାଯାଉଛି । ଯାହାକୁ ନେଇ ଷ୍ଟାଣ୍ଡିଂ କମିଟି ପକ୍ଷରୁ ବିରୋଧ କରାଯାଇ ଉଚ୍ଚମାନର ତେଲ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ବେଖାତିର କରି ବିନା ଟେଣ୍ଡର୍ରେ ତେଲ କିଣାଚାଲିଛି ।
ସେହିଭଳି ମଶା ବଂଶ ବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ ମଶା ଧୂଆଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲାବେଳେ ତାହା ମଧ୍ୟ ପ୍ରହସନ ପାଲଟିଛି । ଗତ ମାସ ୨୦ ରୁ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଫଗିଂ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ କେଉଁ ୱାର୍ଡରେ ଟିଫା ବୁଲିଛି ତାହା କାହାରିକୁ ଜଣାନାହିଁ । ସବୁଠୁ ବଡ କଥା ହେଉଛି ଯେ, ପୂର୍ବରୁ ସିଏମ୍ସି ସ୍ୱାସ୍ଥ୍ୟ ବିଭାଗରେ ୩୦ଟି ଟିଫା ମେସିନ୍ ଥିଲା। ସେଥିରୁ ୨ଟି ଖରାପ ହୋଇଯାଇଥିଲାବେଳେ ୨୮ରେ କାମ ଚାଲିଥିଲା ।
କାଉନ୍ସିଲ୍ର ନିଷ୍ପତ୍ତି କ୍ରମେ ଗତ କିଛି ମାସ ତଳେ ଗୋଟିକ ୧୫ରୁ ୨୦ ହଜାର ଟଙ୍କା ମୂଲ୍ୟରେ ୧୫ଟି ନୂଆ ଟିଫା ମେସିନ୍ କିଣାଯାଇଥିଲା । ଏହାଥରେ ବ୍ୟବହାର ହୋଇଥିଲାବେଳେ ବର୍ଷକ ମଧ୍ୟରେ ୫ଟି ଖରାପ ହୋଇଯାଇଥିବା ଜଣାପଡିଛି । ଫଳରେ ୫୯ଟି ୱାର୍ଡ ପାଇଁ ମାତ୍ର ୩୮ଟି ଟିଫା ମେସିନ୍ ସାହା ରହିଛି । ଏଭଳି ସ୍ଥିତିରେ ମଶା ଦମନ କିଭଳି ହେବ ତାହାକୁ ନେଇ ସହରବାସୀ ଚିନ୍ତିତ ଥିଲାବେଳେ କର୍ତ୍ତୃପକ୍ଷ ସ୍ଥିର ସାଜିଛନ୍ତି । ଏ ନେଇ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଉତ୍ତର ମିଳି ନ ଥିଲା ।