ଭୁବନେଶ୍ଵର, ୨୮/୦୫ : ୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ୱେ ଟୁ ଆଡ ଇଣ୍ଡିଆ ନିର୍ଦ୍ଦେଶକ ଗିରଫ। ଅଭିଯୁକ୍ତ ମୋହନ କୁମାର ପରିଡାଙ୍କୁ ଚାନ୍ଦବାଲିରୁ ଗିରଫ କଲା ଇଓଡବ୍ଲ୍ୟୁ। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଭୁବନେଶ୍ଵର କଳିଙ୍ଗନଗରର ଚିତ୍ତରଞ୍ଜନଙ୍କ ଅଭିଯୋଗ ଆଧାରରେ ମୋହନ କୁମାରଙ୍କୁ ଗିରଫ କରାଯାଇଛି।
ସୂଚନାନୁଯାୟୀ, ୱେ ଟୁ ଆଡ ଇଣ୍ଡିଆ କମ୍ପାନୀ ନିର୍ଦ୍ଦେଶକ ମୋହନ କୁମାର ପରିଡା ନିବେଶକଙ୍କୁ ଅଧିକ ରିଟର୍ଣ୍ଣ ଦେବାକୁକୁ ପ୍ରବର୍ତ୍ତାଇ ଟଙ୍କା ନେଇଥିଲେ। କମ୍ପାନୀ ବିଭିନ୍ନ ସ୍କିମ୍ ଅନ୍ତର୍ଗତ ବୋନସ୍ ଏବଂ କମିଶନ ଦେବାକୁ କହି ବହୁ ଲୋକଙ୍କୁ ମେମ୍ଵର କରିଥିଲା। ୨୦୨୩ ମସିହାରେ ଅଭିଯୋଗକାରୀ ୪୪ ଲକ୍ଷ ୬୦ ହଜାର ଜମା କରିଥିଲେ। ପ୍ରଥମେ ତାଙ୍କୁ ୧୨ ହଜାର ୬୦୦ ଟଙ୍କା ରିଟର୍ଣ୍ଣ ମିଳିଥିଲା। ହେଲେ ଏହାପରେ ତାଙ୍କୁ କୌଣସି ରିଟର୍ଣ୍ଣ ମିଳିନଥିଲା। ତେବେ ୱେ ଟୁ ଆଡ ଇଣ୍ଡିଆ କମ୍ପାନୀର ଆଉ ଜଣେ ସହଯୋଗୀ ନିର୍ଦ୍ଦେଶକ ହେଉଛନ୍ତି ତାଙ୍କ ପତ୍ନୀ ପୁଷ୍ପାଲତା ବେହୁରା। ଏହିଭଳି ଭାବେ ୱେ ଟୁ ଆଡ ଇଣ୍ଡିଆ କମ୍ପାନୀ ଓଡ଼ିଶାରେ ୨୦୦ ନିବେଶକଙ୍କ ଠାରୁ ପ୍ରାୟ ୫୦ କୋଟି ନେବା ପରେ ହଠାତ୍ କମ୍ପାନୀ ବନ୍ଦ କରିଦେଇଥିଲା।