ପ୍ରମୂଖ ଖବର

ମୁକୁନ୍ଦ ପ୍ରସାଦ ହତ୍ୟା ଘଟଣା : ବିଭିନ୍ନ ଛକରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ, ପୋଡ଼ାସାହି ଓ ବଜାର ଜନଶୂନ୍ୟ

ଖୋର୍ଦ୍ଧା, ୨୬/୮ : ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟସ୍ଥ ଚାଚେରା ଶବରସାହି ନର୍ସରୀ ସମ୍ମୁଖରେ ଏମ ଡି ସାଜିଦ୍ ନାମକ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିବା ଘଟଣା। ଉଭୟ ଗୋଷ୍ଠିଙ୍କ ଅଭିଯୋଗ ଅନୁସାରେ ଶିଳ୍ପାଞ୍ଚଳ ଥାନାରେ ୪ଟି ମାମଲା ରୁଜୁ ହୋଇଛି। ମୁକୁନ୍ଦ ପ୍ରସାଦ ଗ୍ରାମର ବିଭିନ୍ନ ଛକରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉପଜିଲ୍ଲାପାଳ, ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗିରଫ ଭୟରେ ମୁକୁନ୍ଦ ପ୍ରସାଦ ମୁସଲମାନ ଓ ପୋଡାସାହି ପୁରୁଷ ଶୂନ୍ୟ ହୋଇଯାଇଛି। ବଜାର ଜନଶୂନ୍ୟ ହୋଇପଡିଛି। ତେବେ ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଆଜି ସ୍ଥିତିରେ ସୁଧାର ଆସିଥିବା ଏସପି କହିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।  

ପ୍ରକାଶ ଥାଉକି, ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟସ୍ଥ ଚାଚେରା ଶବରସାହି ନର୍ସରୀ ସମ୍ମୁଖରେ ମୁକୁନ୍ଦପ୍ରସାଦ ଗ୍ରାମର ଏମ.ଡ଼ି ସାଜିଦ୍‌(୩୦ ବର୍ଷ)ଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା। ୪ ଜଣ ଯୁବକ ତାଙ୍କର ମୁଣ୍ଡ, ବାମ ପାପୁଲି, ବେକ ଓ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ମୁକୁନ୍ଦପ୍ରସାଦ ଛକ ୫୭ନଂ ଜାତୀୟ ରାଜପଥରେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ସ୍ଥିତି ବିଗିଡ଼ିବା ଆଶଙ୍କାରେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଉଚ୍ଚସ୍ତରୀୟ ପୁଲିସ ଅଧିକାରୀମାନେ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା । 

ଖବର ଅନୁଯାୟୀ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଗ୍ରାମର ଏମ୍‌.ଡି ସାଜିଦ୍‌ ମାଙ୍କଡ଼ା ପଥର ଓ ମୋରମ ବେପାର କରନ୍ତି । ସ୍ଥାନୀୟ ଅଞ୍ଚଳରେ ନେତାଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି । ରବିବାର ପ୍ରାୟ ୧୨ଟାରେ ତାଙ୍କୁ କେତେକ ଯୁବକ ମାଙ୍କଡ଼ା ପଥର ପକାଇବା ଜାଗା ଦେଖାଇବା ଆଳରେ ଫୋନ୍‌ରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଅନ୍ତର୍ଗତ ଚାଚେରା ଶବରସାହି ନିକଟସ୍ଥ ଏକ ନର୍ସରୀ ନିକଟକୁ ଡାକିଥିଲେ । ଏହା ପରେ ପୂର୍ବ ଯୋଜନା ଅନୁସାରେ ତାଙ୍କୁ ଖଣ୍ଡାରେ ଅତି ନିର୍ମମ ଭାବେ ଚୋଟ ମାରିଥିଲେ । ସେମାନଙ୍କ ଖଣ୍ଡାଚୋଟରେ ସାଜିଦ୍‌ ରକ୍ତ ଜୁଡ଼ୁବୁଡ଼ ହୋଇ ଜୀବନ ବଞ୍ଚାଇବାକୁ ନିକଟରେ ଥିବା ଗ୍ୟାରେଜ ମଧ୍ୟକୁ ଚାଲିଯାଇଥିଲେ । କିନ୍ତୁ ଅଭିଯୁକ୍ତମାନେ ଗ୍ୟାରେଜ ମଧ୍ୟରେ ପଶି ତାଙ୍କ ମୁଣ୍ଡ, ବେକ, ବାମହାତ ସମେତ ଶରୀର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଏକ ଅଟୋରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଦାୟିତ୍ୱରେ ଥିବା ଡାକ୍ତର ମୃତ ଘୋଷଣା କରିଥିଲା । ଏ ଖବର ଜଣାପଡ଼ିବା ପରେ ତାଙ୍କର ଶହ ଶହ ସମର୍ଥକ ଏକାଠି ହୋଇ ଶବକୁ ଏକ ଆମ୍ବୁଲାନ୍ସରେ ମୁକୁନ୍ଦପ୍ରସାଦ ଛକ ରାସ୍ତାରେ ଉପରେ ଥୋଇ ବିକ୍ଷୋଭ କରିଥିଲେ । ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହି ସମୟରେ ଆଉ କେତେକ ଅସାମାଜିକ ଯୁବକ ମୁକୁନ୍ଦପ୍ରସାଦ ଗ୍ରାମର ପୋଡ଼ାସାହି, ଦଧିବାମନ ସାହିରେ ଲଙ୍କାକାଣ୍ଡ ଭିଆଇଥିଲେ। ସେମାନେ ଉକ୍ତ ସାହିର କେତେକ ଘରେ ପଶି ଲୋକଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହ ଦାଣ୍ଡରେ ଥୁଆ ହୋଇଥିବା ୪ରୁ ୫ ବାଇକ ଜାଳିଦେଇଥିଲେ। ସେହିପରି ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ବାଇକ ଭଙ୍ଗାରୁଜା ସହ ମନ୍ଦିର ସମ୍ମୁଖ ସିଂହ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପୁଲିସ ମହାନିର୍ଦ୍ଦେଶକ ୱାଇ. ବି ଖୁରାନିଆ, ଜିଲ୍ଲାପାଳ ଚଞ୍ଚଳ ରାଣା, କେନ୍ଦ୍ରାଞ୍ଚଳ ଆଇଜି ଆର.କେ. ଶର୍ମା, ଗୁଇନ୍ଦା ଡିଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିଆଇଜି ସଂଜୟ କୁମାର, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ହତ୍ୟାକାଣ୍ଡ ଘଟଣାର ଅନୁଧ୍ୟାନ କରିଛନ୍ତି । ହତ୍ୟାକାଣ୍ଡ ଘଟଣା ପଛର ରହସ୍ୟ ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏମିତି ହତ୍ୟା କାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.