ଭୁବନେଶ୍ୱର, ୨୫।୯: ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରିଡେସନ୍ କାଉନସିଲ୍ (ନାକ୍) ଟିମ୍ । ୩ ଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍ ବିଶ୍ୱବିଦ୍ୟାଳୟର ସମସ୍ତ ଦିଗକୁ ଯାଞ୍ଚ କରି ଗ୍ରେଡ୍ ପ୍ରଦାନ କରିବେ । ଶିକ୍ଷାନୁଷ୍ଠାନର ଶୈଖିକ ପ୍ରକ୍ରିୟା, ଗବେଷଣା, ପ୍ରଶାସନ, ପରୀକ୍ଷା ପରିଚାଳନା, ସର୍ବୋକୃଷ୍ଟ ପ୍ରୟୋଗ ଓ ଅଭ୍ୟାସ ଆଦିର ମୂଲ୍ୟାୟନ କରିବେ । ଏଥିପାଇଁ ବିଶ୍ୱବିଦ୍ୟାଳୟକୁ ସୁସଜ୍ଜିତ କରାଯାଇଛି । ପରିସର ସୌନ୍ଦର୍ଯ୍ୟକରଣ ହୋଇଛି । ସମସ୍ତ କୋଠାକୁ ଚକାଚକ୍ କରାଯାଇଛି । ବିଶ୍ୱବିଦ୍ୟାଳୟର ସକାରାତ୍ମକ ଦିଗକୁ ଉପସ୍ଥାପନ କରିବା ପାଇଁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ।
ପ୍ରଥମେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାକ୍ ଟିମ୍କୁ ଭବ୍ୟ ସ୍ୱାଗତ କରାଯିବ । ଏହି ଟିମ୍ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବେ । ପରେ ଇଣ୍ଟରନାଲ୍ କ୍ୱାଲିଟି ସେଲ୍ (ଆଇକ୍ୟୁସି) ଉପସ୍ଥାପନା କରାଯିବ । ବିଭାଗରେ ପାଠପଢ଼ା, ଗବେଷଣା ଆକ୍ଟିଭିଟିର ହାର୍ଡ କପି, କ୍ଲାସରୁମ୍ର ଭିତ୍ତିଭୂମି, ଛାତ୍ରୀଙ୍କ ପ୍ରୋଫାଇଲ୍ ଦେଖିବେ । ପରୀକ୍ଷା ପରିଚାଳନା, ଅର୍ଥ କାରବାର, କାର୍ଯ୍ୟାଳୟ ସଂପର୍କିତ କାର୍ଯ୍ୟ ଆଦି ବିଷୟରେ ଆଲୋଚନା କରିବେ । ଦ୍ୱିତୀୟ ଦିନ ବିଭିନ୍ନ ବିଭାଗ, ହଷ୍ଟେଲ୍, ଗବେଷଣାଗାର, କ୍ୟାଣ୍ଟିନ୍, ଗେଷ୍ଟ ହାଉସ୍, ପ୍ରେକ୍ଷାଳୟ ଆଦି ପରିଦର୍ଶନ କରିବେ । ବିଭାଗୀୟ ମୁଖ୍ୟମାନେ ପାୱାର ପଏଣ୍ଟରେ ଡକ୍ୟୁମେଣ୍ଟ ଉପସ୍ଥାପନ କରିବେ । ପିଲାଙ୍କ ସହ ଆଲୋଚନା କରିବେ ନାକ୍ ଟିମ୍ । ତୃତୀୟ ଦିନ ପ୍ରସ୍ଥାନ ବୈଠକ ହେବ । ନାକ୍ ପରିଦର୍ଶନ ସମୟରେ ସନ୍ଧ୍ୟାରେ ଓଡ଼ିଶା ପରମ୍ପରା ଥିମ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରେ । ପୂର୍ବଥର ନାକ ଟିମ୍ ରମାଦେବୀକୁ ଏ ଗ୍ରେଡ୍ ଦେଇଥିଲେ ।