ନୂଆଦିଲ୍ଲୀ,୩୧।୮: ଦକ୍ଷିଣ ଆଫ୍ରିକୀୟ ଦେଶ ନାମିବିୟାରେ ଭୟଙ୍କର ଦୁର୍ଭିକ୍ଷ। ଖାଦ୍ୟ ଅଭାବରେ ଛଟପଟ ହେଉଛନ୍ତି ଲୋକ। ନାମିବିୟାରେ ଗତ ୧୦୦ ବର୍ଷ ଭିତରେ ଏଭଳି କେବେ ମରୁଡି ପଡିନଥିଲା। ଦେଶର ଲୋକଙ୍କ ପାଖରେ ଖାଦ୍ୟ ଶସ୍ୟ ସବୁ ଶେଷ ହୋଇଯାଇଛି। ଏପରିକି ସରକାରୀ ଗୋଦାମରୁ ମଧ୍ୟ ଖାଦ୍ୟ ଶସ୍ୟ ସବୁ ଖାଲି ହୋଇଯାଇଛି। ଏଭଳି ସ୍ଥିତିରେ ସରକାର ହାତୀ, ଜେବ୍ରା ଓ ଘୋଡା ସହିତ ୭୦୦ ପଶୁଙ୍କୁ ମାରିବାକୁ ନିର୍ଦେଶ ଦେଇଛନ୍ତି। ଗତ ମାସ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଅଧାରୁ ଅଧିକ ଜନସଂଖ୍ୟା ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଛନ୍ତି।
ନାମିବିୟାର ପରିବେଶ ମନ୍ତ୍ରଣାଳୟ ସୋମବାର ଘୋଷଣା କରିଛି ଯେ, ୭୨୩ ପଶୁଙ୍କୁ ମାରି ତାଙ୍କ ମାଂସକୁ ଶୁଖାଇ ପ୍ରଭାବିତ ଅଞ୍ଚଳକୁ ପଠାଯିବ। ଖାଦ୍ୟ ଶସ୍ୟର ଅଭାବ କାରଣରୁ ମରୁଡି ପ୍ରଭାବିତ ଅଞ୍ଚଳରେ ରିଲିଫ୍ ପାଇଁ ମାଂସ ବାଣ୍ଟିବାକୁ ପଡୁଛି। ମନ୍ତ୍ରଣାଳୟ କହିଛି, ମୃତ ପଶୁଙ୍କ ମଧ୍ୟରେ ୩୦ ହିପୋପୋଟାମସ୍,୬୦ ମଇଁଷି,୫୦ ଇମ୍ପାଲା, ୧୦୦ ବ୍ଲୁ ଓ୍ବାଇଲଡ୍ଡରବିଷ୍ଟ,୩୦୦ ଜେବ୍ରା, ୮୩ ହାତୀ ଓ ୧୦୦ ଅନ୍ୟ ପଶୁ ରହିଛନ୍ତି।
ପ୍ରଫେଶନାଲ ଶିକାରୀ ହିଁ ସଫାରୀରେ ଯାଇ ପଶୁଙ୍କର ଶିକାର କରିବେ। ଏପର୍ଯ୍ୟନ୍ତ ୧୫୭ ପଶୁଙ୍କୁ ମରାଯାଇଛି। ଏଲନିନୋ କାରଣରୁ ମରୁଡି କାରଣରୁ ଦକ୍ଷିଣ ଆଫ୍ରିକାର ୬.୮ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୨୦୨୪ ଆରମ୍ଭରୁ ହିଁ ମରୁଡିର ପ୍ରଭାବ ଆରମ୍ଭ ହୋଇଛି। ଏହାପରେ ଫସଲ ନଷ୍ଟ ହୋଇଯାଇଛି ଓ ଧିରେ ଧିରେ ଖାଦ୍ୟ ଶସ୍ୟ ନଷ୍ଟ ହେବାରେ ଲାଗିଛି। ସଦର୍ନ ଆଫ୍ରିକାନ୍ କମ୍ୟୁନିଟି ଅନୁସାରେ, ୧୬ ଦେଶ ମରୁଡି ପ୍ରଭାବିତ ରହିଛି। ଜିମ୍ବାଓ୍ବେ, ଜାମ୍ବିୟା ଓ ମଲାଭି ପୂର୍ବରୁ ହିଁ ଖାଦ୍ୟ ସଙ୍କଟ ନେଇ ଘୋଷଣା କରିସାରିଛନ୍ତି। ସେଭଳି ବିଶେଷଜ୍ଞଙ୍କ ମତରେ ଏଲନିନୋ କାରଣରୁ ସଙ୍କଟ ଆହୁରି ବଢିପାରେ।