ବାରଙ୍ଗ ୦୨/୦୯: ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ କଲିକତା ଆଲିପୁର ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ କଲିକତା ଅଲିପୁର ଚିଡ଼ିଆଖାନରୁ ହଳେ (ଅଣ୍ଡିରା, ମାଈ) ଜିରାଫ ରବିବାର ବିଳମ୍ବିତ ରାତିରେ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେମାନଙ୍କୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଖୁଆଡ଼ରେ ଛଡ଼ାଯାଇଛି । କର୍ମଚାରୀମାନେ ଦୁଇ ଜିରାଫ ଉପରେ ନଜର ରଖିଛନ୍ତି । ପର୍ଯ୍ୟଟକଙ୍କ ଆଢ଼ୁଆଳରେ ଦୁଇ ଜିରାଫ ଏକ ମାସ ରହିବା ପରେ ସମ୍ମୁଖ ଖୁଆଡ଼କୁ ଆସିବେ । ପ୍ରାଣୀ ଉଦ୍ୟାନର ୧୦୦ ନମ୍ବର ଖୁଆଡ଼ରେ ମାଈ ଜିରାଫ ‘ଖୁସି’ ଏକାକୀ ଜୀବନ ବିତାଉଛି । ଏବେ ପାଟନା ଜିରାଫ ଖୁସିକୁ ଦୁଇ କଲିକତି ସାଥୀ ମିଳିବେ । ଜିରାଫ ‘ଖୁସି’ ଆସିଥିବା ଦୁଇ ଜିରାଫଙ୍କ ସହିତ ଖୁସିରେ ରହିବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି ।
ଜନ୍ତୁ ଅଦଳ ବଦଳ ପ୍ରଥମ ପର୍ଯ୍ୟାୟରେ ଗତ ଅଗଷ୍ଟ ୨୬ ବିଳମ୍ବିତ ରାତିରେ ଅଲିପୁର ଚିଡ଼ିଆଖାନାରୁ ହଳେ ଚାମୁଚ ଥଣ୍ଟିଆ ବଗ, ହଳେ ମାଛରଙ୍କା ବିରାଡି, ୬ଟି ପାଣି ଗୋଧି, ୪ହଳ ଆମେରିକା ଏଣ୍ଡୁଅ ଥିଲେ । ଏହାର ପରଦିନ ଅର୍ଥାତ ୨୭ ତାରିଖରେ ଦ୍ୱତୀୟ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନରୁ କଲିକତା ଆଲିପୁର ଚିଡ଼ିଆଖାନାକୁ ହଳେ ଏସୀୟ ସିଂହ, ଗୋଟିଏ ସାଧାରଣ ନାଲି ରଙ୍ଗର ବାଘୁଣୀ, ଦୁଇଟି ମାଈ ହିମାଳୟ କଳାଭାଲୁ ଥିଲେ । ଚତୁର୍ଥ ପର୍ଯ୍ୟାୟରେ ପ୍ରାଣୀ ଉଦ୍ୟାନରୁ ୨ଟି ଜଳହସ୍ତୀ , ୪ଟି ଗୁରାଣ୍ଡି ,ଦୁଇଟି ବାରସିଙ୍ଘା ଓ ୫ଟି କୁଜି ହରିଣ ପଠାଯିବ । ଏହି ଅଦଳ ବଦଳ ପ୍ରକ୍ରିୟା କରାଯିବା ଦ୍ୱାରା ଜୀବଜନ୍ତୁ ମାନଙ୍କର ରକ୍ତ ସମ୍ପର୍କ ବଦଳିବା ସହିତ ରୋଗୀଣା ହେବା ସମସ୍ୟା ଦୂର ହୋଇପାରିବ । ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ୨୦୦୮ ମସିହାରେ କଲିକତା ଅଲିପୁର ଚିଡ଼ିଆଖାନା ସହିତ ଅଦଳ ବଦଳ ପ୍ରକ୍ରିୟାରେ ପ୍ରଥମେ ଗୋଟିଏ ଅଣ୍ଡିରା ଜିରାଫ ପ୍ରାଣୀ ଉଦ୍ୟାନକୁ ଆସୁଥିଲା । ମାତ୍ର ବାଟରେ ବିଦ୍ୟୁତ ତାର ସଂସ୍ଫସରେ ଆସି ଆଲିପୁର ଚିଡିଆଖାନାରେ ଚିକିତ୍ସାଧନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିଲା ।
ଦ୍ୱିତୀୟ ଥର ପାଇଁ ୨୦୧୨ ମସିହାରେ ପୁଣି ଜିରାଫ ଆଣିବା ପାଇଁ ପାଟନା ଚିଡ଼ିଆଖାନା ସହିତ ଅଦଳ ବଦଳ ପ୍ରକ୍ରିୟା କରାଯାଇଥିଲା । ପ୍ରାଣୀ ଉଦ୍ୟାନରୁ ହଳେ ସିମ୍ପାଞ୍ଜି କାର୍ତ୍ତିକ ଓ ସୁଭଦ୍ରା ବଦଳର ୧୦ବର୍ଷର ମାଈ ଜିରାଫ୍ ‘ଖୁସି’କୁ ଅଣାଯାଇଥିଲା । ପୁଣି ତୃତୀୟ ଥରରେ ଅଉ ଗୋଟେ ଅଣ୍ଡିରା ଜିରାଫ ଆଣିବା ପାଇଁ ପ୍ରସ୍ଥୁତି କରାଗଲା । ୨୦୧୬ ମସିହାରେ ଆଲିପୁର ସହିତ କଥା ବାର୍ତ୍ତା ହୋଇ ୪ଟି ବାଘ ବଦଳରେ ୬ବର୍ଷର ଅଣ୍ଡିରା ଜିରାଫ୍ ‘ଜୟ’କୁ ଅଣାଯାଇଥିଲା । ଜୟ ଆସିବାର ମାତ୍ର ୪ଦିନ ରହିବା ପରେ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିଲା । ସେବେ ଠାରୁ ଜିରାଫ୍ ଖୁସି ଏକାକୀ ୧୦୦ ନଂ ଖୁଆଡ଼ରେ ଜୀବନ ବିତାଉଛି ।