ନୂଆଦିଲ୍ଲୀ,୦୪/୦୯: ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ସମ୍ମିଳନୀରେ ୨୦ ପ୍ରମୁଖ ଦେଶକୁ ମିଶାଇ ମୋଟ ୪୦ ଦେଶର ପ୍ରତିନିଧି ସାମିଲ ହେବେ । ଏଥିପାଇଁ ଦିଲ୍ଲୀ ସଜେଇ ହୋଇ ଅତିଥିଙ୍କ ବାଟ ଚାହିଁଛି । ପ୍ରଗତି ମଇଦାନର ଭାରତ ମଣ୍ଡପମ୍ରେ ଏହି ଐତିହାସିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଆମେରିକା ଓ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ସମେତ ବ୍ରିଟେନ୍ ଓ ଜାପାନର ପ୍ରଧାନମନ୍ତ୍ରୀ ବି ସାମିଲ ହେବେ । ବିଦେଶୀ ଅତିଥିମାନଙ୍କର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଖଞ୍ଜିଛି ଭାରତ ।
ଭାରତୀୟ ବାୟୁସେନା ଆକାଶ ମାର୍ଗରୁ ଜି-୨୦ ସମ୍ମିଳନୀକୁ ସୁରକ୍ଷା ଯୋଗାଇବାକୁ ପ୍ରସ୍ତୁତି ଚଳାଇଛି । ଏଥିପାଇଁ ଏହା ମନିଟରିଂ ଏୟାରକ୍ରାଫ୍ଟ ‘ନେତ୍ର’କୁ ମୁତୟନ କରିବାକୁ ଯାଉଛି । ବାୟୁସେନାର ଏହି ବିମାନ ୨୦୧୯ ଫେବ୍ରୁଆରୀରେ ବାଲାକୋଟ ଏୟାରଷ୍ଟ୍ରଇକ୍ ବେଳେ ବେଶ୍ ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନ ଉପରେ ନଜର ରଖିବା ପାଇଁ ଏହାକୁ ମୁତୟନ କରାଯାଇଥିଲା । ଏହାବ୍ୟତୀତ ଦିଲ୍ଲୀର ବିମାନ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ମିସାଇଲ୍ ବି ମୁତୟନ କରାଯିବ । ସେନାର ହେଲିକପ୍ଟର ନିୟମିତ ବ୍ୟବଧାନରେ ଏୟାର ପାଟ୍ରୋଲିଂ କରିବ । ଏଥିରେ ଏନ୍ଏସ୍ଜି କମାଣ୍ଡୋ ରହିବେ । ସମ୍ମିଳନୀ ସ୍ଥଳର ଆଖପାଖ ଅଞ୍ଚଳରେ ବଡ଼ ତଥା ସୁଉଚ୍ଚ କୋଠାଗୁଡ଼ିକ ଉପରେ ସେନା ଓ ଏନ୍ଏସ୍ଜି ସ୍ନାଇପର୍କୁ ପ୍ରସ୍ତୁତ ରଖାଯିବ । ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ମୁତୟନ କରାଯିବ । ଅର୍ଥାତ ଜି-୨୦ ସମ୍ମିଳନୀ ବେଳେ ଦିଲ୍ଲୀ ଆକାଶରେ ଗୁଡ଼ି ବି ଉଡ଼ିବ ନାହିଁ ।
ସେତିକି ନୁହେଁ, ଜି-୨୦ ସମ୍ମିଳନୀର ସୁରକ୍ଷା ପାଇଁ ଦିଲ୍ଲୀରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ କ୍ୟାମେରା ବି ଲଗାଯିବ । ସାମାନ୍ୟତମ ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଲେ, କ୍ୟାମେରାଗୁଡ଼ିକ ତୁରନ୍ତ ସୁରକ୍ଷା ଅଧିକାରୀଙ୍କୁ ସତର୍କ କରାଇ ମେସେଜ ପ୍ରେରଣ କରିବେ । ଯେଉଁ ହୋଟେଲରେ ବିଦେଶୀ ଅତିଥିମାନେ ରହିବେ, ସେଠାରେ ଆଣ୍ଟି-ଡ୍ରୋନ୍ ବ୍ୟବସ୍ଥା ଏବଂ ବୁଲେଟ୍ ପ୍ରୁଫ୍ କାଚ ଲଗାଯିବ । ସେହିଭଳି ଆଇଟି ବିଶେଷଜ୍ଞ ଟିମ୍ ସମ୍ମିଳନୀ ବେଳେ ସୋସିଆଲ୍ ମିଡିଆ ପୋଷ୍ଟ, ଟ୍ରେଣ୍ଡ୍ସ ଉପରେ ଅହରହ ନଜର ରଖିବେ ।
ଜି-୨୦ ସମ୍ମିଳନୀ ପାଇଁ ଆସୁଥିବା ବିଶ୍ୱ ନେତାମାନଙ୍କୁ ଚାନ୍ଦିନୀ ଚୌକର ସ୍ୱତନ୍ତ୍ର ଖାଦ୍ୟ ଓ ମିଲେଟ୍ ବ୍ୟତୀତ ଷ୍ଟ୍ରିଟ୍ ଫୁଡ୍ ବି ପରଷାଯିବ । ଜି-୨୦ ଇଣ୍ଡିଆର ସ୍ୱତନ୍ତ୍ର ସଚିବ ମୁକ୍ତେଶ ପରଦେଶୀଙ୍କ ମୁତାବକ ଶିଖର ସମ୍ମିଳନୀ ନିମନ୍ତେ ୧୦ ହଜାରରୁ ଅଧିକ ଲୋକଙ୍କ ଦିଲ୍ଲୀ ଆଗମନ ହେବା ଆଶା ରହିଛି । ଏଥିଲାଗି ବିଭିନ୍ନ ହୋଟେଲ୍ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜି-୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଲେଫ୍ଟ ହ୍ୟାଣ୍ଡ୍ ଡ୍ରାଇଭ୍ କାର୍’ ମଗାଯାଇଛି । ଏହି ଗାଡ଼ିଗୁଡ଼ିକ ବୁଲେଟ୍ ପ୍ରୁଫ୍ ହେବ ଏବଂ ଏଗୁଡ଼ିକର ବ୍ୟବହାର ବିଦେଶୀ ଅତିଥିମାନଙ୍କୁ ନେବାଆଣିବାରେ କରାଯିବ । ସିଆର୍ପିଏଫ୍ର ୪୫୦ ଯବାନଙ୍କୁ ଏହି କାର୍ଗୁଡ଼ିକୁ ଚଳାଇବା ପାଇଁ ତାଲିମ ଦିଆଯାଇଛି । କେନ୍ଦ୍ର ସରକାର ୪୧ ବିଦେଶୀ ଅତିଥିଙ୍କ ନିମନ୍ତେ ୬୦ରୁ ଅଧିକ ଲେଫ୍ଟ ହ୍ୟାଣ୍ଡ କାର୍ କ୍ରୟ କରିଛନ୍ତି କିମ୍ବା ଭଡ଼ାରେ ଆଣିଛନ୍ତି । ଏଥିରେ ଅନେକ ସୌଖୀନ ଗାଡ଼ି ସାମିଲ ରହିଛି ।
ଭାରତରେ ‘ରାଇଟ୍ ହ୍ୟାଣ୍ଡ୍ ଡ୍ରାଇଭ୍’ ଗାଡ଼ି ଚଳାଇବା ପାଇଁ ପ୍ରୋଟୋକଲ୍ ରହିଛି । ଏଥିରେ ଷ୍ଟିୟରିଂ ଗାଡ଼ିର ଡାହାଣପଟେ ରହିଥାଏ । ଆମେରିକା ସମେତ ଅନେକ ଦେଶରେ ଲେଫ୍ଟ ହ୍ୟାଣ୍ଡ୍ ଡ୍ରାଇଭ୍ କାର୍ ଓ ଗାଡ଼ି ଚଳାଯାଉଛି । ଏଥିରେ ଷ୍ଟିୟରିଂ ବାମପଟେ ରହିଥାଏ । ଜି-୨୦ ସମ୍ମିଳନୀର ଅତିଥିମାନଙ୍କୁ ସୁରକ୍ଷା ଯୋଗାଇବା ସକାଶେ ମୋଟ ୯୦୦ ସିଆର୍ପିଏଫ୍ ଯବାନ ମୁତୟନ କରାଯିବ । ଏମାନଙ୍କ ମଧ୍ୟରୁ କିଛି ଯବାନ ପୂର୍ବରୁ ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ବା ଏସ୍ପିଜି ଏବଂ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡରେ କାମ କରିଛନ୍ତି । ବିଦେଶୀ ଅତିଥିଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷା ଦେବା ଲାଗି ସଶସ୍ତ୍ର ସୀମା ବଳର କମାଣ୍ଡଙ୍କୁ ମୁତୟନ କରାଯିବ । ଆଇଟିବିପି, ସିଆଇଏସ୍ଏଫ୍ ଏବଂ ଏନ୍ଏସ୍ଜିର ବ୍ଲାକ୍ କ୍ୟାଟ୍ କମାଣ୍ଡୋଙ୍କୁ ରୁଟ୍ ଏବଂ ସଭା ସ୍ଥଳର ଦାୟିତ୍ୱ ଦିଆଯାଇଛି । ଏମାନେ ଏହି କାର୍ଯ୍ୟ ପାଇଁ ଦିଲ୍ଲୀ ପୁଲିସ ସହ ସମନ୍ୱୟ ରଖିବେ ।