ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅତିଷ୍ଠ କରୁଛି ବେଙ୍ଗାଲୁରୁ ଜଳ ସଙ୍କଟ, ଟ୍ରାଫିକ: ଛୋଟ ସହର ଆଇଟିର ନୂଆ ସମ୍ଭାବନା

ନୂଆଦିଲ୍ଲୀ,୧୯/୦୩: ଦେଶର ସିଲିକନ ଭ୍ୟାଲି ଭାବେ ବେଙ୍ଗାଲୁରୁ ଜଣାଶୁଣା । ଏଠାରେ ରହିଛି ୨୯୫ ବିଲିୟନ ଡଲାରର ଆଇଟି ଶିଳ୍ପ । ତେବେ ଜଳ ସଙ୍କଟ ଏବଂ ଟ୍ରାଫିକ ସମସ୍ୟା ଏହି ସହର ପାଇଁ ଆହ୍ୱାନ ଭାବେ ଛିଡା ହୋଇଛି । ଦ୍ରୁତ ସହରୀକରଣ ଏବଂ ଜନସଂଖ୍ୟା ବୃଦ୍ଧି  ଏବେ ମେଟ୍ରୋ ସହର ପାଇଁ ବଡ ସମସ୍ୟା ଛିଡା  କରିଛି । ଗୁଗଲ, ମାଇକ୍ରୋସଫ୍ଟ, ଜେପି ମୋର୍ଗାନ  ଏବଂ ଇଣ୍ଟେଲ ଭଳି କମ୍ପାନି ସେମାନଙ୍କ ଭାରତ  ୟୁନିଟର ମୁଖ୍ୟ କାର୍ଯ୍ୟାଳୟ ଏଠାରେ ସ୍ଥାପନ କରିଛନ୍ତି । ତେବେ ବଢ଼ୁଥିବା ଆହ୍ୱାନକୁ ଦେଖି  ଏବେ କମ୍ପାନି ଟିୟର-୨ ସହରକୁ ନିଜ ପରିଚାଳନା  ସିଫ୍ଟ ପାଇଁ ପ୍ରାଥମିକତା ଦେଉଥିବା ଦେଖାଯାଉଛି । 

ବଡ ସହର ତୁଳନାରେ ଅପେକ୍ଷାକୃତ କମ୍‌  ଖର୍ଚ୍ଚ, କୁଶଳୀ ଶ୍ରମ ଶକ୍ତି ଏବଂ ଉନ୍ନତ ଭିତ୍ତିଭୂମି ଥିବା  ସହରଗୁଡିକୁ ଆସୁଛନ୍ତି ଆଇଟି କମ୍ପାନି । ମୋଟାମୋଟି  ଭାବେ କହିବାକୁ ଗଲେ ନୂଆ ବେଙ୍ଗାଲୁରୁ ସନ୍ଧାନରେ  ଆଇଟି ସଂସ୍ଥା । ବେଙ୍ଗାଲୁରୁରେ ଏବେ ୩୫୦୦ରୁ  ଉଦ୍ଧ୍ୱର୍ ଆଇଟି କମ୍ପାନି ରହିଛି । ସେଠାରେ ଷ୍ଟାର୍ଟଅପ୍‌  ଗୁଡିକର କାର୍ଯ୍ୟାଳୟ ମଧ୍ୟ ରହିଛି । ତେବେ ଜଳ  ସଙ୍କଟ ୪ ଦଶନ୍ଧିର ସବୁଠାରୁ ଉତ୍କଟ ହୋଇଛି । 

ବଢ଼ୁଥିବା ଟ୍ରାଫିକ ଜାମ ଯୋଗୁ ଆଇଟି  କମ୍ପାନିଗୁଡିକ ଦେଶର ଅଭିବୃଦ୍ଧିଶୀଳ  ସହରଗୁଡିକରେ ନିଜ ଉପସ୍ଥିତି ବଢ଼ାଇବା ସହ  ବିକଳ୍ପ ସନ୍ଧାନ କରିବାକୁ ବାଧ୍ୟ କରୁଛି । ଗୁଗଲ,  ମାଇକ୍ରୋସଫ୍ଟ, ଜେପି ମୋର୍ଗାନ, ଏଏନ୍‌ଜେଡ,  ସିସ୍କୋ, ଇଣ୍ଟେଲ, ଆଇବିଏମ୍‌, ଆକସେନ୍‌ଞ୍ଚର, ଗୋଲ୍ଡମ୍ୟାନ ସ୍ୟାଚ, ଡେଲ ଭଳି କମ୍ପାନି ଏହି  ତାଲିକାରେ ରହିଛନ୍ତି । ବେଙ୍ଗାଲୁରୁର ସ୍ଥିତି  ସୁଧାରିବା ଲାଗି ଜଳ ସମସ୍ୟାର ସ୍ଥାୟୀ ସମାଧାନ,  ଭିତ୍ତିଭୂମି ଏବଂ ପରିବହନ ଭଳି କ୍ଷେତ୍ରକୁ  ଗୁରୁତ୍ୱ ଦେବାକୁ ବଜାର ବିଶେଷଜ୍ଞ କହିଛନ୍ତି । 

ଏଭଳି ସ୍ଥିତିରେ ଅହମ୍ମଦାବାଦ, ଜୟପୁର,  ମହୀଶୂର, ମଦୁରାଇ, ଭୁବନେଶ୍ୱର, ନାଗପୁର ଭଳି  ଟିୟର-୨ ସହରଗୁଡିକ ସମ୍ଭାବ୍ୟ ଆଇଟି ଡେଷ୍ଟିନେସନ  ଭାବେ ଉଭା ହେଉଛନ୍ତି । ଶ୍ରମଶକ୍ତି, ଭିତ୍ତିଭୂମି ଏବଂ  ସରକାରଙ୍କ ସହଯୋଗ କ୍ଷେତ୍ରରେ ଏହି ସହରଗୁଡିକ  ଢ଼େର ଆଗରେ ରହିଛନ୍ତି । ଏହି ସହରଗୁଡିକ ଆଇଟି  କମ୍ପାନିଙ୍କୁ ଆକୃଷ୍ଟ କରିବାରେ ମଧ୍ୟ ନିଜ ଉଦ୍ୟମ  ଜାରି ରଖିଛନ୍ତି । ନାସକମ୍‌-ଡେଲଏଟ ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ମୁତାବକ,  ଅଭିବୃଦ୍ଧିଶୀଳ ସହରଗୁଡିକରେ ଦକ୍ଷ ମାନବ  ସମ୍ବଳ ପାଇବାକୁ ୨୫ରୁ ୩୦% କମ୍‌ ଖର୍ଚ୍ଚ ହେଉଛି । 

ଦେଶର ପ୍ରମୁଖ ଆଇଟି ହବ୍‌ ଗୁଡିକରୁ ଏବେ  ନଜର ହଟାଇ ଛୋଟ ସହର ମୁହାଁ ପ୍ରମୁଖ ଆଇଟି  ସଂସ୍ଥା । ବେଙ୍ଗାଲୁରୁ ବାଦ ଦିଲ୍ଲୀ-ଏନ୍‌ସିଆର୍‌,  ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, ମୁମ୍ବାଇ  ଏବଂ ପୁନେ ଅନ୍ୟତମ ପ୍ରମୁଖ ଆଇଟି ହବ୍‌ ଭାବେ  ଜଣାଶୁଣା । ତେବେ ଏହି ହବ୍‌ ଗୁଡିକ ମଧ୍ୟ ବିଭିନ୍ନ  କାରଣ ପାଇଁ ପ୍ରାୟ ପରିପକ୍ୱ ସ୍ଥିତିକୁ ଆସିଗଲେଣି ।  ଫଳରେ ଏହି ସହରଗୁଡିକରେ ମଧ୍ୟ ଆଇଟି କ୍ଷେତ୍ର  ଅଭିବୃଦ୍ଧି ପୂର୍ବଭଳି ହେଉନ ଥିବା ବିଶେଷଜ୍ଞ କହୁଛନ୍ତି । 

୨୦୩୧ ସୁଦ୍ଧା ବେଙ୍ଗାଲୁରୁ ଜନସଂଖ୍ୟା ୨ କୋଟି  ଟପିବ ବୋଲି ଆକଳନ କରାଯାଇଛି । ଏହା ସହ  ସମ୍ବଳ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।  ସମସ୍ୟା ସୁଧାର ଲାଗି ଭିତ୍ତିଭୂମି, ପରିବହନ  ଏବଂ ଜଳ ଯୋଗାଣ ଭଳି ମୌଳିକ ଦିଗକୁ ଧ୍ୟାନ  ରଖିବାକୁ ହେବ । ଏ କ୍ଷେତ୍ରରେ ବୃହତ୍ତ ପରିମାଣର  ନିବେଶ ମଧ୍ୟ ଜରୁରୀ । ଏଭଳି ସ୍ଥିତିରେ ଆଇଟି  କ୍ଷେତ୍ରରେ ନିଜର ପତିଆରା ଜାରି ରଖିବା ଲାଗି  ବେଙ୍ଗାଲୁରୁ ଜୋର ଦାର ଉଦ୍ୟମ ଜାରି ରଖିଛି।

ଭୁବନେଶ୍ୱର ନୂଆ ଆଇଟି ହବ୍‌ 

ପରିବର୍ତ୍ତିତ ସ୍ଥିତିରେ ଭୁବନେଶ୍ୱର ଦେଶର  ନୂଆ ଆଇଟି ହବ୍‌ ଭାବେ ଉଭା ହୋଇଛି ।  ୨୦୧୯ ପରଠୁ ଓଡ଼ିଶା ୫୦ରୁ ଉଦ୍ଧ୍ୱର୍ ଆଇଟି ସଂସ୍ଥାଙ୍କୁ ଆକୃଷ୍ଟ କରିପାରିଛି । ଯୁବବର୍ଗଙ୍କ ପାଇଁ  ଏହି ସବୁ କମ୍ପାନି ୩୦ ହଜାର କର୍ମନିଯୁକ୍ତି ସୃଷ୍ଟି  କରିବାକୁ ସକ୍ଷମ ହୋଇଛନ୍ତି ।  ରାଜ୍ୟର ଅଭିବୃଦ୍ଧିରେ ଆଇଟି କ୍ଷେତ୍ର ଏକ  ପ୍ରମୁଖ ଯୋଗଦାନକାରୀ ଭାବେ ଉଭା ହୋଇଛି ।  ଆକସେନଞ୍ଚର, ଆଇବିଏମ୍‌, କଗ୍ନିଜାଣ୍ଟ,  ପିଡବ୍ଲ୍ୟୁସି, ଡେଲଏଟ, ସିନୋପ୍‌ସିସ  ଏବଂ ଇୱାଇ ଭଳି କମ୍ପାନି ପ୍ରମୁଖ କମ୍ପାନି  ନିଜର ଉପସ୍ଥିତି ବଢ଼ାଇଛନ୍ତି । ସେହିଭଳି  ଟିସିଏସ୍‌, ଇନଫୋସିସ, ୱିପ୍ରୋ ଭଳି କମ୍ପାନି  ମଧ୍ୟ ନିଜର ୟୁନିଟ ସ୍ଥାପନ କରିଛନ୍ତି ।  ବିଶ୍ୱ ସ୍ତରୀୟ କମ୍ପାନିଙ୍କୁ ଆକୃଷ୍ଟ କରିବାକୁ  ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.