ଭୁବନେଶ୍ୱର ୩୧/୦୮: ଆଉ ମାତ୍ର କିଛି ଦିନର ଅପେକ୍ଷା । ଭୁବନେଶ୍ୱରର ନୂଆ ନ୍ୟାୟିକ ସୌଧ ଲୋକାର୍ପିତ ହେବ । ପୂର୍ବରୁ ଯେଉଁଠି ପୁରୁଣା ଓ ଭଙ୍ଗା ଦଦରା କୋଠା ଥିଲା । ସେଠି ଝଲସୁଛି ସୁଦୃଶ୍ୟ ସୌଧ । ସମ୍ପୂର୍ଣ୍ଣ ଭାବେ ଶୀତତାପ ନିୟନ୍ତ୍ରିତ ସୌଧରେ ପୂର୍ବ ଅପେକ୍ଷା ଅଧିକ ସୁବିଧା ଓ ସୁରୁଖୁରୁରେ ନ୍ୟାୟିକ ବ୍ୟବସ୍ଥା ପରିଚାଳନା ହେବ । ଏହାଛଡ଼ା ଲୁଇସ ରୋଡରେ ଟ୍ରାଫିକ ଜାମ୍ କମିବ । ବିଚାରପତି, ଆଇନଜୀବୀ, ଅଦାଲତ କର୍ମଚାରୀ ଓ ମହକିଲଙ୍କୁ ଗାଡି ପାର୍କିଂ ଝିନ୍ଝଟରୁ ମୁକ୍ତି ମିଳିବ ।
ଅତ୍ୟାଧୁନିକ ଇଞ୍ଜିନିୟରି ଜ୍ଞାନକୌଶଳରେ ନିର୍ମିତ ଏହି ସୌଧରେ ୪ଟି କରିଡର ରହିଛି । ମୁଖ୍ୟ ନ୍ୟାୟିକ ସୌଧର ଭିତର କାମ ପ୍ରାୟତଃ ସରିଗଲାଣି । ସେଥିରେ ୫୫ଟି ଅଦାଲତ ପ୍ରକୋଷ୍ଠ ରହିବ । ଏହାଛଡ଼ା ୫ ମହଲା ବିଶିଷ୍ଠ କୋଠାରେ ରେକର୍ଡ ରୁମ୍, ପାଠାଗାର ଓ ସମ୍ମିଳନୀ କକ୍ଷ ଖୋଲାଯିବ । ବର୍ତ୍ତମାନ ସୌଧ ସାମ୍ନାରେ ୱାଟର ଫାଉଣ୍ଟେନ ଓ ଲନ୍ ନିର୍ମାଣ ଚାଲିଛି । ଉକ୍ତ କୋଠାର ବେସ୍ମେଣ୍ଟରେ ବିଚାରପତିଙ୍କ ସହ କର୍ମଚାରୀମାନେ ଗାଡି ପାର୍କିଂ କରିପାରିବେ । ଏହାଛଡ଼ା ବେସମେଣ୍ଟରେ ରେକର୍ଡ ରୁମ୍ ନିର୍ମାଣ କରାଯାଇଛି । ସେଥିରେ ୪୦୦ରୁ ୫୦୦ ବଡ଼ ଆଲମିରାରେ ନଥିପତ୍ର ଗଚ୍ଛିତ ରହିବ । ଏହା ନିକଟରେ ଏକ ପାର୍କିଂସ୍ଥଳ ନିର୍ମାଣ ହେଉଛି । ସେଥିରେ ଆଇନଜୀବୀ, ମହକିଲ, ମୋହରିର ଓ ଅନ୍ୟ କର୍ମଚାରୀମାନେ ୪୫୦ଟି କାର୍ ଓ ୨ ହଜାର ବାଇକ୍ ରଖିପାରିବେ । ୨ ମହଲା ବିଶିଷ୍ଟ ପାର୍କିଂସ୍ଥାନର ନିର୍ମାଣ ପ୍ରାୟତଃ ସରି ଆସିଲାଣି ।
ପୁରୁଣା ଆଇନ୍ଜୀବୀ ସଂଘ କାର୍ଯ୍ୟାଳୟ ଓ ପାଠାଗାର ସ୍ଥଳରେ ଏକ ୪ ତାଲା କୋଠା ନିର୍ମାଣ ସରିଛି । ଏହାର ତଳ ମହଲାରେ ଏସ୍ବିଆଇ ବ୍ୟାଙ୍କ, ପୋଷ୍ଟ ଅଫିସ, ମୋହରିର୍ଖାନା, ନୋଟାରୀମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରି ରହିବ । ତଳ ମହଲାରେ କ୍ୟାଣ୍ଟିନର ବ୍ୟବସ୍ଥା ମଧ୍ୟ ଅଛି। ପ୍ରଥମ ମହଲାରେ ଓ ଦ୍ୱିତୀୟ ଆଇନଜୀବୀମାନଙ୍କ ବସିବା ପାଇଁ ୨ଟି ବଡ଼ ହଲ ରହିଛି । ସେଥିରେ ପ୍ରାୟ ୨୦୦୦ ଆଇନଜୀବୀ ବସିପାରିବେ । ପ୍ରଥମ ମହଲାରେ ଆଇନଜୀବୀ ସଂଘ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଦ୍ୱିତୀୟ ମହଲାରେ ପାଠାଗାର ରହିବ । ତୃତୀୟ ମହଲାରେ ବିରାଟ ସମ୍ମିଳନୀ କକ୍ଷ ନିର୍ମାଣ ସରିଛି । ଏହି କୋଠା ଭିତରେ ସାଜସଜ୍ଜା କାମ ଚାଲିଛି । ସେଥିପାଇଁ ନ୍ୟାୟିକ ସୌଧ ଲୋକାର୍ପଣରେ ବିଳମ୍ବ ହେଉଥିବା ସୂଚନା ମିଳିଛି । ଜୁନ୍ ୨୫ ତାରିଖରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଚାନକ ନିର୍ମାଣଧୀନ ସୌଧର ସ୍ଥିତି ଅନୁଧ୍ୟାନ କରିଥିଲେ । ଯଥାଶୀଘ୍ର ନିର୍ମାଣ ସାରିବାକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜୁଲାଇ ୩୦ରେ ଉଚ୍ଚ ନ୍ୟାୟଳୟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଚରଣ ସିଂହ ମଧ୍ୟ ସୌଧ ପରିଦର୍ଶନ କରିଥିଲେ ।
ସୂଚନା ଥାଉ କି, ୨୦୧୨ରେ ନ୍ୟାୟିକ ସୌଧର ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା । ୨୦୧୭-୧୮ରେ ମାପଚୁପ ହୋଇଥିଲା । ପୁରୁଣା କୋଠାକୁ ଭଙ୍ଗାଯାଇଥିଲା । ସୌଧ ପାଇଁ ପ୍ରଥମେ ୯୮ କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇଥିଲା । ୨୦୨୦ରେ ପାର୍କିଂସ୍ଥଳ ପାଇଁ ୭୦ କୋଟି ଅତିରିକ୍ତ ବଜେଟ୍ ହୋଇଥିଲା । ୨୦୨୨ ଫେବ୍ରୁଆରୀରେ ‘ବି’ ବ୍ଲକ୍ର କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୌଧ ନିର୍ମାଣ ଦିଗରେ ଖର୍ଚ୍ଚ ୨୦୦ କୋଟି ଟପିଗଲାଣି ବୋଲି ସୂଚନା ମିଳିଛି ।