ପୁରୀ, ୧୫/୦୫ : ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ବୁଧବାର ବଡ଼ ଦେଉଳରେ ପାଳନ ହେବ ‘ନୀଳାଦ୍ରି ମହୋଦୟାଷ୍ଟମୀ’ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ଗଣାଯାଏ । ଯଜ୍ଞ ମଣ୍ଡପରୁ ଆସି ଚତୁର୍ଦ୍ଧାମୂର୍ତ୍ତି ଏହି ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ଏଣୁ ଏହାକୁ ମହୋତ୍ସବ ଭାବେ ପାଳନ କରାଯିବା ସହ ଠାକୁରଙ୍କୁ ସୁବାସିତ ଜଳରେ ଅଭିଷେକ କରାଯାଏ । ୧୦୮ କୁମ୍ଭ ଜଳରେ ଦାରୁବ୍ରହ୍ମଙ୍କ ଜଳାଭିଷେକ ହେବ । ଏଣୁ ସପ୍ତମୀ ରାତିରୁ ୧୦୮ ଜଳ କୁମ୍ଭ ଅଧିବାସ ହୋଇରହିଛି ।
ବଡ଼ଦେଉଳ ପରମ୍ପରାରେ ଏହା ହେଉଛି ତ୍ରୟୋଦଶ ଯାତ୍ରା ତଥା ନୀଳାଦ୍ରି ମହୋତ୍ସବ । ଏହି ବିଶେଷ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିବ । ଜଳ ବିଜେ ସମୟ ପୂର୍ବାହ୍ଣ ସାଢ଼େ ୧୧ଟା ରହିଛି । ଅଷ୍ଟମୀରେ ସକାଳ ଧୂପ ଓ ଆଲଟ ଲାଗି ସରିଲେ ଭିତର ଗମ୍ଭୀରାରେ ପାଣି ପଡ଼ିବ । ପରେ ଅଧିବାସ ଜଳକୁ ସେବକମାନେ ଘଣ୍ଟ ଛତା ଓ କାହାଳୀର ପଟୁଆରରେ ନେଇ ରତ୍ନ ସିଂହାସନ ନିକଟରେ ବିଜେ କରିବେ । ପରେ ଜଳପୂଜା ଓ ଜଳ ଲାଗି ବିଧି ସମ୍ପନ୍ନ ହେବ । ଅପରାହ୍ଣ ସାଢ଼େ ୩ଟାରେ ଦ୍ୱାଦଶ ଯାତ୍ରା ବନ୍ଦାପନା ନୀତି ଅନୁଷ୍ଠିତ ହେବ । ସ୍କନ୍ଦ ପୁରାଣ ଅନୁସାରେ ବୈଶାଖ ମାସ ପୁଷ୍ୟାଯୋଗଯୁକ୍ତ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସ୍ୱୟଂ ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ଏଣୁ ଉକ୍ତ ତିଥିରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବିଧି ହୋଇଥାଏ । କୁହାଯାଏ ଏହିଦିନ ଦାନ, ତପସ୍ୟା ଓ ହୋମାଦି କାର୍ଯ୍ୟ କଲେ ଅଶେଷ ଫଳ ମିଳେ । ଏହାକୁ ଶ୍ରୀମନ୍ଦିରର ବାର୍ଷିକୋତ୍ସବ ଭାବେ ମଧ୍ୟ ଗଣନା କରାଯାଏ ।