ନୂଆଦିଲ୍ଲୀ,୦୧/୦୯: କୋଲକାତାରେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ପ୍ରଦର୍ଶନ ଥମିନି। ଏହାରି ଭିତରେ ଉତ୍ତର ୨୪ ପରଗଣା ଜିଲ୍ଲାରୁ ପୁଣି ଏକ ଅସାମାଜିକତାର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିପାଇଁ ଉତ୍ତର ୨୪ ପରଗାଣାର ମାଧ୍ୟମଗ୍ରାମରେ ତମାମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତର ଘର ଏବଂ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ବିରୋଧ ପ୍ରଦର୍ଶନ କରୁଥିବା ଜନତା ଭଙ୍ଗାରୁଜା କରିଛନ୍ତି।
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ଯେତେବେଳେ ଟିଏମସି ନେତା ପୀଡିତାଙ୍କ ପରିବାରକୁ ଏହି ସମସ୍ୟାର ସମାଧାନ କରିବାକୁ ଆସିଥିଲେ, ସେତେବେଳେ କ୍ରୋଧିତ ଜନତାଙ୍କ କ୍ରୋଧ ଆହୁରି ବଢ଼ିଯାଇଥିଲା। ତମାମ ମାମଲା ଭିତରେ ପୀଡିତାଙ୍କ ବାପା କହିଛନ୍ତି, "ଅଭିଯୁକ୍ତ ହେଉଛି ଆମ ଗାଁର ବାସିନ୍ଦା। ସେ ଏମିତି କିଛି କରିପାରେ ବୋଲି ମୁଁ ବିଶ୍ବାସ ମଧ୍ୟ କରିପାରୁ ନାହିଁ।' ସେ କହିଥିଲେ ଯେ ମୋର ୯ ବର୍ଷର ଝିଅ ମୋ ଦୋକାନକୁ ଘରୁ ଆସୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ମାରପିଟ କରିଥିଲା ଏବଂ ମୁଁ ତାଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛି।"
ତେବେ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା। କହିରଖୁଛୁ ଯେ, ଶନିବାର ରାତିରେ ରୋହଣ୍ଡା ପଞ୍ଚାୟତର ରାଜବାରି ଅଞ୍ଚଳରେ ଯୌନ ଉତ୍ପୀଡ଼ନ ଘଟଣା ସାମ୍ନାକୁ ଆସିବା ମାତ୍ରେ ସ୍ଥାନୀୟ ଲୋକ ଅଭିଯୁକ୍ତଙ୍କ ଘର ଆଗରେ ବିରୋଧ ଆରମ୍ଭ କରିଥିଲେ। ଆଉ ସେତିକି ବେଳେ ଟିଏମସି ନେତାଙ୍କ ହସ୍ତକ୍ଷେପ ଜନତାଙ୍କ କ୍ରୋଧକୁ ଦ୍ବିଗୁଣିତ କରିଥିଲା। ଟିଏମ୍ସି ନେତା ଜଣଙ୍କ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଘଟଣାକୁ ନେଇ ପରିସ୍ଥିତି ଏତେ ଅସମ୍ଭାଳ ହୋଇଥିଲା ଯେ, ସ୍ଥାନୀୟ ଜନତାଙ୍କ ଉପରେ ରାପିଡ୍ ଆକ୍ସନ୍ ଫୋର୍ସ ଓ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ତେବେ ଘଟଣାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରେ ପରିବେଶ ପୂର୍ବାପେକ୍ଷା ସ୍ଥିର ରହିଛି।
ବୀରଭୁମରେ ଜଣେ ନର୍ସଙ୍କୁ ଅସଦାଚରଣ:.
ପଶ୍ଚିମବଙ୍ଗର ବୀରଭୂମରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦ୍ୱିତୀୟ ଘଟଣାରେ ବୀରଭୂମ ଜିଲ୍ଲାର ଇଲାମବଜାର ଅଞ୍ଚଳର ଏକ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ନର୍ସ କହିଛନ୍ତି ଯେ ନିୟମିତ କାମ ସମୟରେ ଜଣେ ରୋଗୀ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ଏବଂ ଯେତେବେଳେ ନର୍ସ ଜଣକ ଏହାକୁ ପ୍ରତିବାଦ କରିଥିଲେ, ରୋଗୀ ଜଣକ ନର୍ସଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ବର୍ତ୍ତମାନ ଅସଦାଚରଣର ଶିକାର ହୋଇଥିବା ନର୍ସ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୋଗୀକୁ ଗିରଫ କରିଥିଲା।