ପ୍ରମୂଖ ଖବର
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ବସ୍ତି ଭୋଟ୍‌ ଭିଡ଼ିବାକୁ ୩ ଦଳର ପ୍ରତିଯୋଗିତା; ଶିକ୍ଷିତ, ବଡ଼ବଡ଼ିଆ ଭୋଟ ଦେବାକୁ ଅମଙ୍ଗ

ଭୁବନେଶ୍ୱର,୨୩/୦୫: ବୁଧବାର ସନ୍ଧ୍ୟାରେ ନୂଆପଲ୍ଲୀ ସୀତାପୁର ବସ୍ତି ବୁଲି ଭୋଟ୍‌ ମାଗୁଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନିକୋ ପାର୍କ ଅଞ୍ଚଳରେ ବସ୍ତି ବୁଲି ଭୋଟ୍‌ଭିକ୍ଷା  କରୁଥିଲେ । ଖାଲି ଏହି ଦୁଇ ନେତା ନୁହଁନ୍ତି, ସବୁ ନେତାଙ୍କ ଫୋକସ୍‌ ବସ୍ତି ଆଡ଼କୁ । ବସ୍ତି ଭୋଟ୍‌  ଯୁଆଡ଼େ ଯିବ, ଜିତାପଟ୍‌ ତାର ହେବ । ଗତ ସାଧାରଣ ନିର୍ବାଚନ ହେଉ କି ବିଏମ୍‌ସି ନିର୍ବାଚନର ଟ୍ରେଣ୍ଡ୍‌କୁ ଦେଖିଲେ ବସ୍ତି ଭୋଟ୍‌ ହିଁ ନିର୍ଣ୍ଣାୟକ ବୋଲି ବାରମ୍ବାର ପ୍ରମାଣିତ ହୋଇଛି । 

ଏ ସପ୍ତାହରେ ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଓ ପ୍ରିୟଦର୍ଶୀ ମିଶ୍ର ସାଲିଆ ସାହିକୁ ଅନେକ ବାର ଗଲେଣି । ସାଲିଆ ସାହିକୁ ବିଜେପିର ଷ୍ଟାର ପ୍ରଚାରକ ତଥା ସାଂସଦ ହେମାମାଳିନୀ ଆସି ସଭା କରିଛନ୍ତି । ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବି ପ୍ରଚାର କରି ଭୋଟ୍‌ ମାଗିଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବି ବସ୍ତି ଭୋଟ୍‌କୁ ଆଖେଇଛନ୍ତି । କେବଳ ସାଲିଆ ସାହି ଭୋଟର ସଂଖ୍ୟା ୩୫ହଜାରରୁ ଅଧିକ। ଏଠାରେ  ୫ଟି ୱାର୍ଡର ଭୋଟର ଅଛନ୍ତି । ୱାର୍ଡ ନଂ ୧୬, ୨୦,  ୨୧ ଓ ୨୬ ସାଲିଆ ସାହିରେ ଯାଉଛି । ୱାର୍ଡ ନଂ  ୧୫ର ଆଂଶିକ କିଛି ଅଞ୍ଚଳ ବି ସାଲିଆ ସାହିରେ  ଯାଉଛି । ଏଣୁ ନିର୍ବାଚନମଣ୍ଡଳୀର ସିଂହଭାଗ  ଭୋଟର କେବଳ ସାଲିଆ ସାହିରେ ରହୁଛନ୍ତି । ଏଥିପାଇଁ ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ସାଲିଆ ସାହିରେ ଜୋରଦାର ପ୍ରଚାର କରୁଛନ୍ତି । ଏକାମ୍ରରେ ବି ବସ୍ତି ସଂଖ୍ୟା କିଛି କମ୍‌  ନୁହେଁ । ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦୀ ବିଜେଡି ଓ  ବିଜେପି ନିର୍ବାଚନମଣ୍ଡଳୀରେ ଥିବା ୮୪ଟି  ବସ୍ତିରେ ଘନ ଘନ ବୁଲି ଭୋଟ୍‌ ମାଗୁଛନ୍ତି ।  ଏକାମ୍ରରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ  ୬୩ହଜାର । ୮୪ଟି ବସ୍ତିରେ ପ୍ରାୟ ୭୦ହଜାର  ଭୋଟର ରୁହନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀର  ମୋଟ ୨୬% ଭୋଟର ବସ୍ତିରେ ରୁହନ୍ତି । ଗତଥର  ଏଠାରେ ୪୬% ମତଦାନ ହୋଇଥିଲା । କିନ୍ତୁ  ବସ୍ତିରେ ମତଦାନ ପ୍ରାୟ ୬୫ରୁ ୭୦% ଥିଲା।  ୫୦ହଜାର ବସ୍ତିବାସିନ୍ଦା ଭୋଟ୍‌ ଦେଇଥିଲେ ।  

ବସ୍ତି ଭୋଟରଙ୍କ ମନଜିଣି ବାଜି ମାରି ନେଇଥିଲେ  ବିଜେଡି ଭେଟେରାନ୍‌ ଅଶୋକ ପଣ୍ଡା । ବିଜେପି  ପ୍ରାର୍ଥୀ ବାବୁ ସିଂ ପରାଜିତ ହେଲେ । ଗତଥର  ଭଳି ଏଥର ବସ୍ତି ଭୋଟ୍‌ ହାତେଇବାକୁ ପୁଣି  ଛକାପଞ୍ଝାରେ ମାତିଛନ୍ତି ଅଶୋକ ଓ ବାବୁ ।  କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତ୍ତି ମଧ୍ୟ ବସ୍ତି ଭୋଟ  ଭିଡ଼ିବାକୁ ରାତିଦିନ ଏକ କରିଛନ୍ତି । ମଧ୍ୟ ନିର୍ବାଚନମଣ୍ଡଳୀରେ ମୋଟ ଭୋଟର  ସଂଖ୍ୟା ୨ଲକ୍ଷ ୩୦ହଜାର । ଏଠାରେ ଛୋଟ ଓ ବଡ଼ ମିଶାଇ ୧୪୮ଟି ବସ୍ତି ଥିବାବେଳେ ମୋଟ ୪୮ହଜାର ବସ୍ତି ଭୋଟର ଅଛନ୍ତି । ଗତଥର  ପ୍ରାୟ ୭୦% ବସ୍ତିବାସିନ୍ଦା ଭୋଟ୍‌ ଦେଇଥିଲେ । ପ୍ରାୟ ୩୪ହଜାର ବସ୍ତି ଭୋଟର ମତଦାନ  କରିଥିଲେ । ଅନନ୍ତ ଓ ଜଗାଙ୍କ ଭିତରେ  କଡ଼ା ଟକ୍କର ହୋଇଥିଲା। କିଛି ସ୍ଥାନରେ ଜଗା  ବସ୍ତିଭୋଟରଙ୍କୁ ନିଜ ଆଡ଼କୁ ଟାଣି ନେଇଥିଲେ ।  ତେବେ ଅଳ୍ପ ବ୍ୟବଧାନରେ ବୁନୁ ଜିତିଥିଲେ ।  ବିଜେଡି ବିଜୟ ପଛରେ ବସ୍ତି ଭୋଟ ନେଇଥିଲା  ପ୍ରମୁଖ ଭୂମିକା । ଏଥର ନିଜ ବିଜୟକୁ ପୁଣି  ଦୋହରାଇବାକୁ ବିଜେଡି ପ୍ରାର୍ଥୀ ଅନନ୍ତ ଯେତିକି  କସରତ କରୁଛନ୍ତି, ବିଜେପି ପ୍ରାର୍ଥୀ ଜଗା ବିଜେତା  ହେବାକୁ ବସ୍ତିରେ ପ୍ରଚାରକୁ ତେଜୀୟାନ୍‌  କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଜେନା ମଧ୍ୟ  ବସ୍ତିରେ ଘୂରି ବୁଲୁଛନ୍ତି । ଭୁବନେଶ୍ୱର ଉତ୍ତର ଆସନରେ ଏଥର  ଅଛନ୍ତି ୨ ଲକ୍ଷ ୮୫ ହଜାର ଭୋଟର ।

ଗତଥର ୨ ଲକ୍ଷ ୯୮ ହଜାର ଭୋଟରଙ୍କ ମଧ୍ୟରୁ ୪୫% ନିଜ  ଭୋଟ ଅଧିକାର ସାବ୍ୟସ୍ତ କରିଥିଲେ । ଏଠାରେ ୨୦୦ରୁ ଅଧିକ ବସ୍ତି ରହିଛି । ବସ୍ତି ଭୋଟର ସଂଖ୍ୟା ପ୍ରାୟ ୯୦ହଜାର । ଏଠାରେ ୭୦% ରୁ ଅଧିକ ବସ୍ତି ଭୋଟର ମତଦାନ କରିଥିଲେ । ପ୍ରାୟ ୬୩ହଜାର ବସ୍ତି ଭୋଟର ବୁଥ୍‌କୁ ଆସି ଭୋଟ୍‌ ଦେଇଥିଲେ । ୨୦୧୯ରେ ବିଜେଡି  ପ୍ରାର୍ଥୀ ସୁଶାନ୍ତ ରାଉତ ବସ୍ତିରେ କମାଲ କଲେ । ୨୫ ହଜାର ଭୋଟ ବ୍ୟବଧାନରେ ସେ ବିଜେପିକୁ ପଛରେ ପକାଇଥିଲେ । ଏଥର ବି  ସୁଶାନ୍ତ ବସ୍ତିକୁ ଫୋକସ୍‌ କରୁଛନ୍ତି । ସେ ଶତ ପ୍ରତିଶତ ନିଶ୍ଚିତ  ବସ୍ତି ଭୋଟ ଯେଉଁପଟକୁ ଢ଼ଳିବ,ସେ ଜିତିବ । 

ବସ୍ତିର ସର୍ବାଙ୍ଗୀନ ବିକାଶ ପାଇଁ ସେ ପଦକ୍ଷେପ ନେବେ ବୋଲି ଦେଉଛନ୍ତି ନିର୍ଭର  ପ୍ରତିଶ୍ରୁତି। ସେପଟେ ବସ୍ତି ଭୋଟରଙ୍କୁ ପଦ୍ମ ସପକ୍ଷରେ ଆଣିବାକୁ  ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଜୋରଦାର ଉଦ୍ୟମ କରୁଛନ୍ତି । ସେ  ବିଧାୟକ ହେଲେ ବସ୍ତିର ଚିତ୍ର ବଦଳାଇଦେବେ ବୋଲି ପ୍ରତିଶ୍ରୁତି  ଦେଉଛନ୍ତି । ସାଲିଆ ସାହି ଦେଇ ଯାଇଥିବା ସମାନ୍ତରାଳ ରାସ୍ତାକୁ  ନେଇ ଅନେକ ବସ୍ତିବାସିନ୍ଦା ଘର ଭାଙ୍ଗିଛି । ଏଥିପାଇଁ ବସ୍ତିବାସିନ୍ଦାଙ୍କ  ଭିତରେ ଆକ୍ରୋଶ ଅଛି । ସେପଟେ ଜାଗା ମିଶନରେ ଘର ପାଇବା  ଯୋଗୁ ଅନେକ ବସ୍ତିବାସିନ୍ଦା ଖୁସି ବି ଅଛନ୍ତି । ଏଣୁ ବସ୍ତିବାସିନ୍ଦା  କେଉଁ ଆଡ଼କୁ ଢଳିବେ, ତାହା ସେମାନଙ୍କ ମୁଡ୍‌ ଉପରେ ନିର୍ଭର  କରୁଛି । କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ଭୋଟଭିକ୍ଷାରେ କହୁଛନ୍ତି  କଂଗ୍ରେସ ହିଁ ବସ୍ତି ବାସିନ୍ଦାଙ୍କ ସୁଖଦୁଃଖର ସାଥୀ । ରାଜଧାନୀର ୩ ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁବେଳେ  ବସ୍ତି ଭୋଟରଙ୍କ ଦବଦବା । 

ରାଜଧାନୀର ଶିକ୍ଷିତ, ବୁଦ୍ଧିଜୀବୀ ଓ  ସଂପନ୍ନ ଗୋଷ୍ଠୀ ବିଶେଷ ଭାବେ ମତଦାନ କେନ୍ଦ୍ରକୁ ଯାଉନାହାନ୍ତି ।  ଭୋଟ ଦେଉ ନାହାନ୍ତି । ତେଣୁ ବସ୍ତିରେ ବାସ କରୁଥିବା ଭୋଟରଙ୍କ  ଭୋଟ ଦଖଲ କରିବାକୁ ଲଢ଼େଇ ପୂରା ଆରପାର୍‌ । ନାମାଙ୍କନରେ ଶକ୍ତି ପ୍ରଦର୍ଶନରୁ ଆରମ୍ଭ କରି ପ୍ରଚାର ଅଭିଯାନରେ ବସ୍ତି ବାସିନ୍ଦାଙ୍କୁ  ଏକାଠି କରୁଛନ୍ତି ଦଳୀୟ ପ୍ରାର୍ଥୀ । ଲୋଭର ଜାଲ ଫିଙ୍ଗୁଛନ୍ତି । ଅନ୍ୟ ଅଞ୍ଚଳର ଭୋଟରମାନେ ମତଦାନ ପାଇଁ କୁନ୍ଥକୁନ୍ଥ ହେଉଥିବାରୁ  ପ୍ରାର୍ଥୀମାନେ ବସ୍ତିକୁ ପୂରା ଫୋକସ୍‌ କରୁଛନ୍ତି । କଳେ, ବଳେ  କୌଶଳେ ବସ୍ତି ବାସିନ୍ଦାଙ୍କ ଭୋଟକୁ ନିଜ ସପକ୍ଷରେ ନେବାକୁ  ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । ବସ୍ତି ଭୋଟରଙ୍କୁ ଏବେ ଆକାଶଛୁଆଁ ପ୍ରତିଶ୍ରୁତି ମିଳୁଛି ।  ପକ୍କା ଘର, ଜମି ପଟ୍ଟା, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପିଇବା ପାଣି, ଚକାଚକ୍‌ ପେଭର ବ୍ଲକ୍‌ ରାସ୍ତା, ସରକାରୀ ଭତ୍ତା ଯୋଗାଇବାକୁ ପ୍ରାର୍ଥୀ  ରାଣ ନିୟମ ଖାଉଛନ୍ତି । ବସ୍ତି ପାଖ ଚା' ଦୋକାନ ଖଟିରେ ପ୍ରାର୍ଥୀ  ବସି ଆଲୋଚନା କରୁଛନ୍ତି । 

ବସ୍ତିବାସିନ୍ଦାଙ୍କୁ କୁଣ୍ଢେଇ ଧରି ତାଙ୍କ  ସୁଖଦୁଃଖର ସାଥୀ ହେବେ ବୋଲି କହି ବୁଲୁଛନ୍ତି । ଭୁବନେଶ୍ୱରର  ୩ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ବସ୍ତିକୁ ଖେଦିଲେଣି ।  ଜାଗା ମିଶନ ଓ ବିକାଶମୂଳକ ଯୋଜନାକୁ ଧରି ବିଜେଡି ପ୍ରାର୍ଥୀମାନେ  ବସ୍ତି ନେତାଙ୍କୁ ନିଜ ସପକ୍ଷକୁ ଟାଣିବାକୁ ଉଦ୍ୟମ କରୁଛନ୍ତି । ଆଉ  ଯାହା ସମସ୍ୟା ଅଛି ତା’କୁ ଆଗାମୀ ଦିନରେ ସମାଧାନ କରିବାକୁ  ପ୍ରତିଶ୍ରୁତି ଦେଉଛନ୍ତି । ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ସରକାର  ଓ ବିଏମ୍‌ସିର ବିଫଳତାକୁ ଧରି ବସ୍ତି ବୁଲୁଛନ୍ତି । ଏ ସରକାର  କେବଳ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ବସ୍ତି ଲୋକଙ୍କ ଉନ୍ନତି ପାଇଁ କିଛି  କରିନାହାନ୍ତି । ଜାଗା ମିଶନ ଓ ଏଲଆରସି ନାଁରେ ମିଛ ପଟ୍ଟା ବାଣ୍ଟୁଛନ୍ତି ।  ବସ୍ତିବାସିନ୍ଦାଙ୍କୁ ଧୋକା ଦେଇଛନ୍ତି । ଆଜିସୁଦ୍ଧା ସବୁଠି ପିଇବା  ପାଣି ମିଳିପାରୁନି ବୋଲି କହି ବସ୍ତିବାସିନ୍ଦାଙ୍କ ଆକ୍ରୋଶକୁ ଆହୁରି  ତେଜୁଛନ୍ତି । ତିନି ଦଳ ଜାଣିଛନ୍ତି ରାଜଧାନୀର ଏହି ୩ ଆସନରେ  ମତଦାନ ହାର ଆଖିଦୃଶିଆ ହେବନି । ବସ୍ତି ଭୋଟରଙ୍କୁ ବାଦ୍‌ ଦେଲେ  ଚିରାଚରିତ ଭାବେ ଅନ୍ୟ ବର୍ଗର ଭୋଟର ବୁଥ୍‌କୁ କମ୍‌ ଆସିବେ ।  ବସ୍ତି ଭୋଟର ହିଁ ଭାଗ୍ୟବିଧାତା ସାଜିବେ । ସେମାନଙ୍କୁ ନିଜ ଆଡ଼କୁ  ଟାଣିବାକୁ ସବୁ ଦଳ ଭିତରେ ଏବେ ଅଘୋଷିତ ପ୍ରତିଯାଗିତା ଚାଲିଛି

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.