ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ରେକର୍ଡ, ମୟୂରଭଞ୍ଜ ଲୋକସଭାରେ ସର୍ବାଧିକ ୭୩.୮୧%

ଭୁବନେଶ୍ୱର, ୦୨/୦୬: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ସରିବା ସହିତ ଭୋଟ୍‌ ହାର ୭୧ ପ୍ରତିଶତ ରହିଛି । ବିଳମ୍ବିତ ରାତି ସୁଦ୍ଧା ନିର୍ବାଚନ କମିଶନଙ୍କ ୱେବସାଇଟ୍‌ର ସୂଚନା ଅନୁସାରେ ମୟୂରଭଞ୍ଜ ଲୋକସଭାରେ ସର୍ବାଧିକ ୭୩.୮୧ ପ୍ରତିଶତ ମତଦାନ ହୋଇଛି । ସେହିପରି ଜଗତସିଂହପୁରରେ ୭୩%, ବାଲେଶ୍ୱର ଲୋକସଭାରେ ୭୦.୪୧, ଭଦ୍ରକରେ ୭୦.୩୪, କେନ୍ଦ୍ରାପଡ଼ାରେ ୬୮.୬୪ ଓ ଯାଜପୁରରେ ୬୭.୯୧% ମତଦାନ ହୋଇଛି ।

ବିଧାନସଭା ଆସନଗୁଡିକ ମଧ୍ୟରୁ ବାଙ୍ଗିରିପୋଷି ଆସନରେ ସର୍ବାଧିକ ୭୭.୫୨% ମତଦାନ ହାର ରହିଛି । ନିମାପଡ଼ାରେ ୭୬.୫୦, ଯଶିପୁରରେ ୭୫.୪୫, ଜଗତସିଂହପୁରରେ ୭୫.୧୨, ମୋରଡ଼ାରେ ୭୫.୦୨, ସାଲେପୁରରେ ୭୫, ଚାନ୍ଦବାଲିରେ ୭୩.୮୪ ଓ ଭଣ୍ଡାରିପୋଖରୀରେ ୭୨.୬୩ ପ୍ରତିଶତ  ମତଦାନ ହାର ଥିବା ସୂଚନା ମିଳିଛି । 

ରାଜ୍ୟର ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା । ତେବେ ମତଦାନ ଆରମ୍ଭ ହେବା ପୂର୍ବରୁ ମକ୍‌ ପୋଲ୍‌ ସମୟରେ ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଦେଖା ଦେଇଥିଲା ।

ସେହିପରି କର୍ତ୍ତବ୍ୟରେ ଅବହେଳା ଯୋଗୁ ନିଆଳି ନିର୍ବାଚନମଣ୍ଡଳୀ ୭୫ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଧିକାରୀ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାଶଙ୍କୁ ନିଲମ୍ୱିତ କରାଯାଇଛି ।  ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ତାଙ୍କୁ ନିଲମ୍ବନ କରିଛନ୍ତି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସାଲେପୁର ମାଳଶାସନରେ ବୁଥ୍‌ ଭିତରେ ପନିକିରେ ଆକ୍ରମଣ ଯୋଗୁଁ ବିଜେପି ପ୍ରାର୍ଥୀଙ୍କ ଏଜେଣ୍ଟ ଗୁରୁତର ଆହତ ହୋଇଛନ୍ତି । ନିଆଳି ଜଲାରପୁରରେ ହାତାହାତି ଯୋଗୁଁ ଜଣେ ବିଜେଡି କର୍ମୀ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ସେହିପରି ମାହାଙ୍ଗା ପଣସପୁର, କୁଣ୍ଡି ଓ ହଳଦିଆଠାରେ ମତଦାନ ସମୟରେ ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ନୀଳକଣ୍ଠପୁର ପଞ୍ଚାୟତର ୩୫ ନମ୍ୱର ବୁଥ୍‌ରେ ବିଜେପି ଜୋନ୍‌ ସଭାପତିଙ୍କୁ ଛୁରାମାଡ଼ ହୋଇଛି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନମଣ୍ଡଳୀର ତାଳପଦା, ବାମନବିନ୍ଧା ଓ ଦୋବଲ ପଞ୍ଚାୟତର ବିଭିନ୍ନ ବୁଥରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତାଳପଦାରେ ଚେୟାର୍‌ ଫିଙ୍ଗାଫିଙ୍ଗି ଓ ହାତାହାତି ହୋଇଥିବା ବେଳେ ଚାନ୍ଦବାଲି ଓ ଭଣ୍ଡାରପୋଖରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।   

ଅପରପକ୍ଷେ, ଭୋଟ ଦେବାକୁ ଯାଇଥିବା ଜଣେ ବୃଦ୍ଧଙ୍କ ମତଦାନ କେନ୍ଦ୍ରରେ ହିଁ ପରଲୋକ ହୋଇଥିଲା । ମୃତ ବୃଦ୍ଧ ହେଉଛନ୍ତି ସେଖ୍‌ ଜସିର(୮୫) । ଜସିରଙ୍କ ଘର ଜଗତ୍‌ସିଂହପୁର ଜିଲ୍ଲା ନାଗପୁର ପଞ୍ଚାୟତ ବାଇଶିମୂଳ ଗାଁରେ ହୋଇଥିବାବେଳେ ସେ କାଳିଓ ପଞ୍ଚାୟତର ଓଗପୁର ମୌଜାରେ ରହୁଛନ୍ତି । ସକାଳେ ସେ ତାଙ୍କ ପୁଅ ସେଖ୍‌ ତୋହିଦଙ୍କ ସହିତ ମତଦାନ ପାଇଁ ବୁଥ୍‌କୁ ଯାଇଥିଲେ । ସେଠାରେ ସେ କେନ୍ଦ୍ରରେ ନିୟୋଜିତ କର୍ମଚାରୀଙ୍କୁ ପରିଚୟ ପତ୍ର ଦେଖାଇ ଭୋଟ ଦେବାକୁ ପ୍ରସ୍ତୁତ ହେଉଥିଲେ । ଦସ୍ତଖତ କରିବା ପରେ ଭୋଟ କାଳି ବି ଲଗା ଯାଇ ସାରିଥିଲା । ଭୋଟ ଦେବାକୁ ଯାଉଥିବାବେଳେ ହଠାତ୍‌ ସେହିଠାରେ ଟଳି ପଡ଼ିଥିଲେ ଜସିର୍‌ । 

ଶେଷ ପର୍ଯ୍ୟାୟର ଏହି ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ମୋଟ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ତାଲା ପଡିଛି । ୪ ତାରିଖରେ ଗଣତି ପରେ ସ୍ଥିତି ସ୍ପଷ୍ଟ ହେବ । ୬ ଲୋକସଭା ପାଇଁ ୬୬ ଜଣ ପ୍ରାର୍ଥୀ ଥିବା ବେଳେ ୪୨ବିଧାନସଭା ଆସନରେ ଲଢୁଛନ୍ତି ୩୯୪ ଜଣ ପ୍ରାର୍ଥୀ । ମୋଟ୍‌ ୧୦ ହଜାର ୮୮୨ବୁଥ୍‌ରୁ କେବଳ ୧୪ଶହ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ୨୧ ପ୍ରତିଶତ ବୁଥ ସମ୍ୱେଦନଶୀଳ ଥିଲା । ଚଳିତ ପର୍ଯ୍ୟାୟରେ ମଇଦାନରେ ଥିବା ହେଭିୱେଟ୍‌ ନେତାଙ୍କ ମଧ୍ୟରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ସୁଦାମ ମାର୍ଣ୍ଡି, ମନମୋହନ ସାମଲ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ନିରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ ପ୍ରମୁଖ ଲଢୁଛନ୍ତି ।

ଶନିବାର ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ମତଦାନ ସରିବା ସହିତ ଚଳିତ ନିର୍ବାଚନର ଭୋଟିଂ ପ୍ରକ୍ରିୟା ସରିଛି । ଅପେକ୍ଷା କେବଳ ଗଣତିକୁ । ଗଣତି ପରେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀକୁ ମିଳିବ ନୂଆ ନେତା । ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ’ ୧୩ତାରିଖରେ ହୋଇଥିଲା । ସେଥିରେ କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭାରେ ଭୋଟ୍‌ ପଡିଥିଲା । ଏହି ପର୍ଯ୍ୟାୟରେ ୩ଟି ଆସନରେ ମତଦାନ ହାର ବୃଦ୍ଧି ପାଇଥିବା ବେଳେ କେବଳ ବ୍ରହ୍ମପୁର ଆସନରେ ସାମାନ୍ୟ କମିଥିଲା । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ମତଦାନ ହାର ୭୭.୯୦% ଥିବା ବେଳେ କୋରାପୁଟରେ ୭୭.୫୩%ରହିଥିଲା । ବ୍ରହ୍ମପୁର ଆସନରେ ୬୫.୪୧% ଥିବା ବେଳେ ନବରଙ୍ଗପୁର ଆସନରେ  ୮୨.୧୬% ଥିଲା । ତେବେ ପ୍ରଥମ ପର୍ଯ୍ୟାୟ ମତଦାନରେ ୨୦୧୯ ତୁଳନାରେ ୨ ପ୍ରତିଶତ ଭୋଟ ହାର ବଢିଥିଲା । 

ମେ’ ୨୦ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭାରେ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ମତଦାନ ହାର ୭୩.୫% ରହିଥିଲା । ୫ ଲୋକସଭା ମଧ୍ୟରୁ ବରଗଡ଼ରେ ସର୍ବାଧିକ ୭୯.୭୮% ମତଦାନ ହାର ରହିଥିଲା । ଆସିକାରେ ୬୨.୬୭% ପ୍ରତିଶତ ମତଦାନ ହାର ଥିବାବେଳେ ବଲାଙ୍ଗୀରରେ ଚଳିତ ଥର ୭୭.୫୨, କନ୍ଧମାଳରେ ୭୪, ସୁନ୍ଦରଗଡ଼ରେ ୭୧.୫୩% ଥିଲା । ୨୫ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ୭୪.୪୫ ପ୍ରତିଶତ ମତଦାନ ହାର ଥିବା ବେଳେ ସମ୍ବଲପୁରରେ ୭୯.୫୦ ପ୍ରତିଶତ ମତଦାନ ହୋଇଥିଲା । କେନ୍ଦୁଝରରେ ୭୮.୯୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୦୧, ପୁରୀରେ ୭୫.୪୩, କଟକରେ ୭୧.୨୦ ଓ ଭୁବନେଶ୍ୱରରେ ୬୪.୪୯% ମତଦାନ ରେକର୍ଡ ହୋଇଥିଲା ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.