ଭୁବନେଶ୍ୱର,୦୬/୮: ଆସନ୍ତା ୧୪ ତାରିଖରୁ ୧୦ ଦଫା ଦାବିରେ ରାଜ୍ୟର ସମସ୍ତ ନର୍ସିଂ ଅଫିସର ୭ ଦିନ କଳା ପଟି ପରିଧାନ କରିବେ। ୨୧ରୁ ରୋଗୀ ସେବାରେ ବାଧା ନଦେଇ ଆନ୍ଦୋଳନ କରାଯିବ । ଏହାପରେ ରାଜ୍ୟ ସରକାର ଦାବି ପୂରଣ ଦିଗରେ ପଦକ୍ଷେପ ନ ନେଲେ, ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଚେତାବନୀ ଦେଇଛି ।
ସଂଘ ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବରିଷ୍ଠ ନର୍ସିଂ ଅଫିସରଙ୍କ ୨୦୧୩ ପୂର୍ବରୁ ଛଅ ବର୍ଷ ଚୁକ୍ତିଭିତ୍ତିକ ଚାକିରି ସୀମାକୁ ମୂଳ ଚାକିରିରେ ମିଶାଇବା, ନର୍ସିଂ ଅଫିସରଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି କରି ଉପଯୁକ୍ତ ପଦବି ଦେବା, ଡ୍ରେସ୍କୋଡ୍ ପରିବର୍ତ୍ତନ ଆଦି ଦାବି ରହିଛି ସଂଘ । ୪୦ ବର୍ଷ ପୂର୍ବରୁ ତିଆରି ହୋଇଥିବା ସଂଘର ପୁରୁଣା ସମ୍ବିଧାନରେ ଥିବା କିଛି ନିୟମ ସଂଶୋଧନ କରାଯିବ । ଆସନ୍ତା ନଭେମ୍ବରରେ ନିୟମ ଅନୁମୋଦନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।