ନୂଆଦିଲ୍ଲୀ,୧୬/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ତୃତୀୟ ପାଳିରେ ଏକ ଦେଶ-ଏକ ନିର୍ବାଚନ ନୀତି ଲାଗୁ କରିବାକୁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଯୋଜନା କରିଛନ୍ତି । ସରକାର ଆଶା କରିଛନ୍ତି ସବୁ ଦଳ ମଧ୍ୟ ଏହାକୁ ସମର୍ଥନ କରିବେ । ସମର୍ଥନ ମିଳିଲେ ଆସନ୍ତା ୨୦୨୯ରୁ ଏହାକୁ କାର୍ଯ୍ୟକାରୀ କରାଯିବ । ନିର୍ବାଚନ ସଂସ୍କାର ବିଜେପିର ବହୁ ଦିନର ଏଜେଣ୍ଡା ରହିଥିଲା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ସମୟରେ ନିର୍ବାଚନ ପ୍ରଚାର ବେଳେ ଏକ ଦେଶ-ଏକ ନିର୍ବାଚନ ନୀତି କାର୍ଯ୍ୟକାରୀ କରିବାକୁ ବିଜେପିର ପ୍ରତିଶ୍ରୁତି ଦୋହରାଇ ଆସିଛନ୍ତି ।
ଲୋକସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ ଦଳ ଚଳିତ ତୃତୀୟ ପାଳିରେ ଏକ ଦେଶ-ଏକ ନିର୍ବାଚନ ନୀତି ଲାଗୁ କରିବାକୁ ଦୃଢ଼ ଆଶାବାଦୀ ରହିଛି । ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଆସନରେ ସୀମିତ ରହିଥିଲା । ମ୍ୟାଜିକ ସଂଖ୍ୟା ୨୭୨ ଠାରୁ ବହୁ ପଛରେ ରହିଯାଇଥିଲା । ଜେଡିୟୁ ଓ ଟିଡିପି ଭଳି ସହଯୋଗୀ ଦଳର ସମର୍ଥନରେ ବିଜେପି ସରକାର ଗଠନ କରିଥିଲା। ଇତିମଧ୍ୟରେ ସରକାରକୁ ୧୦୦ ଦିନ ହୋଇଗଲାଣି । ତେଣୁ ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ମଧ୍ୟ ସହଯୋଗୀ ଦଳମାନଙ୍କ ସମର୍ଥନ ମିଳିବ ବୋଲି ବିଜେପି ଦୃଢ଼ ଆଶାବାଦୀ ରହିଛି । ସେହି କାରଣରୁ ଏକ ଦେଶ-ଏକ ନିର୍ବାଚନ ଲାଗୁ କରିବାକୁ ଅଣ୍ଟା ଭିଡିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରାଇବା ନେଇ ରିପୋର୍ଟ ଦେଇଛନ୍ତି । ତେବେ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହେବାର ୧୦୦ ଦିନ ଭିତରେ ପୌର ଓ ପଞ୍ଚାୟତ ନିର୍ବାଚନ କରାଇବାକୁ କମିଟି ସୁପାରିସ କରିଛି । କିନ୍ତୁ କେବେ ଏହା ଲାଗୁ କରାଯିବ ସେ ନେଇ କମିଟି କିଛି କହିନାହାନ୍ତି ।
ସେହିଭଳି ବିଧି ଆୟୋଗ (ଲ କମିଶନ) ମଧ୍ୟ ଆସନ୍ତା ୨୦୨୯ରୁ ଏକସମୟରେ ଲୋକସଭା, ବିଧାନସଭା, ପୌର ପରିଷଦ ଓ ପଞ୍ଚାୟତ ନିର୍ବାଚନ କରାଇବାକୁ ସରକାରଙ୍କୁ ସୁପାରିସ କରିବାର ସମ୍ଭାବନା ରହିଛି । ଯଦି ଅନାସ୍ଥା ପ୍ରସ୍ତାବ ଯୋଗୁ ସରକାର ଭାଙ୍ଗେ କିମ୍ବା ସରକାର ଗଢ଼ିବା ଲାଗି ବହୁମତ ନ ମିଳେ ସେଭଳି କ୍ଷେତ୍ରରେ ଏକତା ସରକାର ଗଠନ କରିବାକୁ କମିଶନ ପ୍ରସ୍ତାବ ଦେଇପାରନ୍ତି । ଏକ ଦେଶ-ଏକ ନିର୍ବାଚନ କାର୍ଯ୍ୟକାରୀ କରିବାକୁ ହେଲେ ଲ କମିଶନ ୧୮ଟି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ଏସବୁ ପାଇଁ ରାଜ୍ୟର ଅନୁମୋଦନ ଦରକାର ପଡିବ ନାହିଁ । କିନ୍ତୁ କେତେକ ପ୍ରସ୍ତାବକୁ ସଂସଦରେ ଗୃହୀତ କରାଇବାକୁ ପଡିବ ।
ସମଗ୍ର ଦେଶରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ କରିବାକୁ ହେଲେ ଉଭୟ ରାଜନୈତିକ ଓ ଆନୁସଙ୍ଗିକ ଆହ୍ୱାନ ମଧ୍ୟ ସୃଷ୍ଟି ହେବ । ଏଥିପାଇଁ ସମ୍ବିଧାନ ସଂଶୋଧନ ଓ ନିର୍ବାଚନ ଆଇନରେ ପରିବର୍ତ୍ତନ କରିବାକୁ ପଡିବ । ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଅନ୍ୟାନ୍ୟ ବିରୋଧୀ ଦଳ ଓ ଆଞ୍ଚଳିକ ଦଳର ସମର୍ଥନ ଆବଶ୍ୟକ ପଡିବ । ସରକାର ବିଶ୍ୱାସ କରୁଛନ୍ତି କି ଏହି ନିର୍ବାଚନ ସଂସ୍କାର ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ରାଜନୈତିକ ଇଚ୍ଛାଶକ୍ତି ରହିଛି । ତେଣୁ ବିରୋଧୀ ଦଳ ଓ ଆଞ୍ଚଳିକ ଦଳର ସମର୍ଥନ ମିଳିଯିବ । ସରକାର ଦର୍ଶାଇଛନ୍ତି କି ଏକ ଦେଶ-ଏକ ନିର୍ବାଚନ କାର୍ଯ୍ୟକାରୀ ହେଲେ ନିର୍ବାଚନ ପ୍ରକ୍ରିୟାରେ ସ୍ଥିରତା ଓ ଦୃଢ଼ତା ଆସିପାରିବ । ବାରମ୍ବାର ନିର୍ବାଚନ କରାଯିବା ଫଳରେ ଦେଶର ପ୍ରଗତିରେ ବାଧା ସୃଷ୍ଟି ହେଉଛି ।