ପ୍ରମୂଖ ଖବର

ପଦ୍ମକେଶରପୁରରେ ବୋମା ମାଡ଼ ମାମଲା: ଫେରାର ୩ ସାହୁକାର ଗିରଫ

ଚନ୍ଦ୍ରଶେଖରପୁର,୨୨/୦୮: ସୁଧ କାରବାର ପାଇଁ ପଦ୍ମକେଶରପୁର ଗାଁରେ ବୋମା ମାଡ଼ ମାମଲାରେ ଫେରାର  ଥିବା ଆଉ ୩ ସାହୁକାରଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା  ପୁଲିସ  । ସେମାନେ ହେଲେ ଗାଁ ତଳସାହିର ସୌଦାମିନୀ  ଦାସ(୪୨), କାବେରୀ ଦାସ(୪୫) ଓ ସୁରଥ ଦାସ(୩୮) । ଏହି ଅଭିଯୁକ୍ତମାନେ ସୁଧ କାରବାରରେ ଲିପ୍ତ ଥିଲେ । ହାତ  ଉଧାରି ନାଁରେ ଏମାନେ ଲୋକଙ୍କଠୁ ମାସିକ ୨୦ ପ୍ରତିଶତ  ସୁଧ ନେଇ ଶୋଷଣ କରୁଥିଲେ । ଯେଉଁମାନେ ସୁଧ ଦେଇ  ନପାରୁଥିଲେ ସେମାନଙ୍କ ଘର ଓ ଜମିକୁ ଜୋର ଜବରଦସ୍ତ ନିଜ  ନାମରେ କରି ନେଉଥିଲେ । ଏମାନଙ୍କ ମଧ୍ୟରୁ ସୌଦାମିନୀ  ହେଉଛନ୍ତି ବଡ଼ ସାହୁକାର । ଆଜି ଗିରଫ ପରେ ପୁଲିସ  ସୌଦାମିନୀଙ୍କୁ ଧରି ଗାଁ’ରେ ବୁଲାଇଥିଲା । କାହାକୁ କେତେ ଟଙ୍କା  ଦେଇ ସୁଧ ଆଦାୟ କରିଛନ୍ତି ତାହାର ତଥ୍ୟ ହାସଲ କରିଥିଲା ।    

ସୂଚନା ଅନୁଯାୟୀ ପଦ୍ମକେଶରପୁର ଗାଁରେ ଦୀର୍ଘ  ବର୍ଷ ଧରି ସୁଧ କାରବାର ଚାଲି ଆସୁଛି । ସାହୁକାରମାନେ  ଗ୍ରାମବାସୀଙ୍କୁ ଶୋଷଣ କରି ଆସୁଛନ୍ତି । ଦେଇଥିବା ମୂଳ ଟଙ୍କାଠୁ  ୧୦ ଗୁଣା ଅଧିକ ଟଙ୍କା ଭିଡ଼ି ନେଉଛନ୍ତି ସାହୁକାର । କେହି କେହି  ଟଙ୍କା ଦେଇ ନପାରି ନିଜ ଘର ଓ ଜମି ବି ସାହୁକାର ହାତକୁ  ଟେକି ଦେଇଛନ୍ତି । ଯେଉଁମାନେ ଟଙ୍କା ଦେଇ ପାରୁନାହାଁନ୍ତି  ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ସାହୁକାର ।  ଏହାକୁ ନେଇ ଗତ ଜୁଲାଇ ୬ ତାରିଖରେ ପୂର୍ବ ଗଣ୍ଡଗୋଳର  ନିଆଁ କୁହୁଳି ଥିଲା । ଗାଁର ଉପରସାହି ଓ ତଳ ସାହି ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା । ଉଭୟ ଗୋଷ୍ଠୀ ସୁତୁଲି ବୋମା,  ପଥର, ବୋତଲ ଫିଙ୍ଗାଫିଙ୍ଗି ହୋଇଥିଲେ । ଏଥିରେ ପ୍ରାୟ ୧୦  ଜଣ ଆହତ ହୋଇଥିଲେ । ମଞ୍ଚେଶ୍ୱର ଥାନା ପୁଲିସ ଫୋର୍ସ  ସହ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗାଁରେ ଫ୍ଲାଗମାର୍ଚ୍ଚ  କରି ଶାନ୍ତିରେ ରହିବାକୁ ନିବେଦନ କରିଥିଲେ । ସେବେଠୁ  ପୁଲିସ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି ।  ଫେରାର ଅନ୍ୟମାନଙ୍କୁ ପୁଲିସ ଖୋଜାଖୋଜି କରୁଛି । ଏ  ଘଟଣା ପୂର୍ବରୁ ପ୍ରଥମ ନୁହେଁ, ଗତବର୍ଷ ଅଗଷ୍ଟ ମାସରେ  ସୁଧ କାରବାରକୁ ନେଇ ଗାଁରେ ଗଣ୍ଡଗୋଳ ହୋଇଥିଲା।  ପୁଲିସ ଏହି ଘଟଣାରେ ୧୩୨ ଜଣ ଗ୍ରାମବାସୀଙ୍କୁ ଗିରଫ  କରି କୋର୍ଟଚାଲାଣ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.