ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସ୍ୱପ୍ନ ସାକାର କଲେ ଦିବ୍ୟାଙ୍ଗ, ହ୍ବିଲ୍‌ଚେୟାରରେ ବୁଲିଲେ ୫୯ଟି ଦେଶ

ନୂଆଦିଲ୍ଲୀ, ୫।୧୨: ହ୍ବିଲ୍‌ଚେୟାର ସହିତ କାମ କରିବା ସାଧାରଣତଃ କଷ୍ଟକର ହୋଇଥାଏ । କିଛି ଲୋକ ଏଭଳି ପରିସ୍ଥିତରେ ନିଜକୁ ଦୁର୍ଭାଗ୍ୟ ଭାବୁଥିବା ବେଳେ ଆଉ କିଛି ବାସ୍ତବତାକୁ ଆପଣାଇ ଜୀବନକୁ ଉପଭୋଗ କରିଥାନ୍ତି । ଠିକ୍ ସେହିପରି ଜଣେ ମହିଳା ହେଲେ ପଞ୍ଜାବ ଲୁଧିଆନାର ପରବିନ୍ଦର ଚାୱଲା । ଯିଏ ହ୍ବିଲ୍‌ଚେୟାର ସହିତ ନିଜ ଜୀବନକୁ ଅତ୍ୟନ୍ତ ସରଳ କରିଦେଇଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ସେ ଗତ ୫ ବର୍ଷ ମଧ୍ୟରେ କାହାର ବିନା ସହାୟତାରେ ହ୍ବିଲ୍‌ଚେୟାରରେ ସ୍ବିଜରଲାଣ୍ଡ, କାନାଡ଼ା, ଅଷ୍ଟ୍ରେଲିଆ ଓ ଚାଇନା ଭଳି ୫୯ ଦେଶ ବୁଲି ସାରିଲେଣି । 

ମୁମ୍ବାଇରେ ବାସ କରନ୍ତି ୫୨ ବର୍ଷୀୟା ପରବିନ୍ଦର ଚାୱଲା । ଖେଳିବା ତାଙ୍କର ଖୁବ୍ ପସନ୍ଦ । ଛୋଟବେଳୁ ଥିଲେ ସ୍ପୋର୍ଟ୍ସ ଚାମ୍ପିଅନ୍ । ସାଇକେଲିଂ, ସୁଇମିଂ ଭଳି ଅନେକ ଖେଳରେ ସମସ୍ତଙ୍କଠାରୁ ସେ ଆଗୁଆ ରହୁଥିଲେ । କିନ୍ତୁ, ହଠାତ୍ ଦିନେ ହାତଗୋଡ଼ ଅକାମି ହୋଇପଡ଼ିଥିଲା । ୧୦ମ ଶ୍ରେଣୀରେ ପଢ଼ୁଥିବାବେଳେ ହାତ ମୁଠା ଖୋଲିବାରେ ତାଙ୍କୁ ଅସୁବିଧା ହୋଇଥିଲା । ୨୧ ବର୍ଷ ବୟସରେ କଲେଜରେ ପାଠ ପଢ଼ିବା ସମୟରେ ସେ ରୁମେଟାଇଡ୍ ଆର୍ଥ୍ରାଇଟିସ୍‌ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଲେ । 

ଦିନେ ତାଙ୍କ ସ୍ୱାସ୍ଥ୍ୟ ଏତେ ବିଗିଡ଼ିଯାଇଥିଲା ଯେ, ସେ ଶଯ୍ୟଶାୟୀ ହୋଇପଡ଼ିଥିଲେ । ଏପରିକି କଡ଼ ଲେଉଟିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ଥିଲା । କିନ୍ତୁ, ଭଗବାନଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଥିଲା । କଠିନ ପରିସ୍ଥିତିରେ ତାଙ୍କ ମା’ ତାଙ୍କୁ ସହଯୋଗ କରିଥିଲେ ଏବଂ ତାଙ୍କୁ ପ୍ରୋତ୍ସାହନ ମଧ୍ୟ ଦେଉଥିଲେ । ପରେ ସେ ଏହି ରୋଗ ପାଇଁ ଆୟୁର୍ବେଦିକ ଚିକିତ୍ସା କରାଇଥିଲେ । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ସେ ହ୍ୱିଲଚେୟାରର ସାହାଯ୍ୟ ନେଲେ । ଏତେ କଷ୍ଟ ଭୋଗିବା ପରେ ବି ସେ ଭାଙ୍ଗି ପଡ଼ିନଥିଲେ । ମୁମ୍ବାଇରେ ନିଜ ପାଇଁ ଚାକିରି ଖୋଜିବା ଆରମ୍ଭ କଲେ । ପ୍ରାୟ ୬ ବର୍ଷ ଧରି ସେ ସେଠାରେ କାମ କଲେ । ବିଦେଶ ଭ୍ରମଣ କରିବା ତାଙ୍କ ସ୍ୱପ୍ନ ଥିଲା । ତେଣୁ ସାଙ୍ଗମାନଙ୍କ ସହ ପ୍ରତିଦିନ କିଛି ସ୍ଥାନ ଭ୍ରମଣ କରୁଥିଲେ । ହେଲେ ସାଙ୍ଗମାନେ ଚାଲିକି ଯିବାବେଳେ ତାଙ୍କୁ ହ୍ବିଲ୍‌ଚେୟାରରେ ଯିବା ଟିକେ କଷ୍ଟକର ହୋଇଥିଲା । 

ପରେ ତାଙ୍କ ସ୍ୱାମୀ ଓ ସମ୍ପର୍କୀୟ ତାଙ୍କୁ ଏକ ଅଟୋମେଟିକ୍ ହ୍ୱିଲ୍ ଚେୟାର ଉପହାର ଦେଇଥିଲେ । ସେବେଠୁ ହିଁ ନିଜ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ଧାର୍ଯ୍ୟ କଲେ ସେ । ସେଥିପାଇଁ ଏକୁଟିଆ ବିଦେଶ ଭ୍ରମଣ କରିବାକୁ ନିଷ୍ପତ୍ତି ନେଲେ । ବାଲିଠାରୁ ତାଙ୍କ ପ୍ରଥମ ଏକାକୀ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଆଉ ପଛକୁ ଫେରି ନଥିଲେ ପରବିନ୍ଦର । ଭ୍ରମଣ ସମୟରେ ସବୁଠାରୁ କମ୍‌ ଦାମ୍‌ ବିଶିଷ୍ଟ ଜିନିଷକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ । ବିଭିନ୍ନ ସ୍ଥାନ ବୁଲିବା ସହ ପାରାଗ୍ଲାଇଡିଂ, ସୁଇମିଂ ଭଳି ଅନେକ ଜିନିଷର ମଜା ମଧ୍ୟ ନେଉଥିଲେ । ନିଜ ବାସ୍ତବତାକୁ ଗ୍ରହଣ କରି ଜୀବନକୁ ଉପଭୋଗ କରିବା ଉଚିତ୍ ବୋଲି ପରବିନ୍ଦର କହନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.