ଇସଲାମାବାଦ,୧୬।୯: ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ଦାମରେ ସତେ ଯେପରି ନିଆଁ ଲାଗିଛି। ଗତ କିଛି ଦିନ ହେବ ପେଟ୍ରୋଲିୟମ୍ ଉତ୍ପାଦର ମୂଲ୍ୟ ବଢିଥିଲା। ଏବେ ପୁଣିଥରେ ପାକିସ୍ତାନରେ ପେଟ୍ରୋଲ ୨୬ ଟଙ୍କା ମହଙ୍ଗା ହୋଇଯାଇଛି। ପାକିସ୍ତାନର ଅର୍ଥ ବିଭାଗ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଅନ୍ତର୍ଜାତୀୟ ବଜାରରେ ତୈଳ ଦାମ୍ ବଢୁଥିବାର ଦେଖି ପାକିସ୍ତାନ ସରକାର ପେଟ୍ରୋଲିୟମ୍ ଉତ୍ପାଦର ମୂଲ୍ୟରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି। ବୟାନରେ କୁହାଯାଇଛି ପେଟ୍ରୋଲିୟମ୍ ଉତ୍ପାଦରେ ନୂଆ ମୂଲ୍ୟ ୧୬ ସେପ୍ଟେମ୍ବରରୁ ଲାଗୁ ହେବ।
ସରକାରଙ୍କ ପକ୍ଷରୁ ଜାରି ଘୋଷଣା ଅନୁସାରେ, ୨୬ ଟଙ୍କା ୨ ପଇସା ବଢିବା ପରେ ପେଟ୍ରୋଲ ମୂଲ୍ୟ ୩୩୧ ଟଙ୍କା ୩୮ ପଇସା ପ୍ରତି ଲିଟର ହେବ। ହାଇସ୍ପିଡ୍ ଡିଜେଲ ମୂଲ୍ୟରେ ୧୭ ଟଙ୍କା ୩୪ ପଇସା ବୃଦ୍ଧି ହୋଇଛି ଓ ନୂଆ ମୂଲ୍ୟ ୩୨୯ ଟଙ୍କା ୧୮ ପଇସା ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ପାକିସ୍ତାନୀ ଟଙ୍କାରେ ହ୍ରାସ୍ ଓ ବିଶ୍ବସ୍ତରରେ ତୈଳ ମୂଲ୍ୟରେ ବୃଦ୍ଧି କାରଣରୁ ଏହି ଆଶଙ୍କା କରାଯାଉଛି ଯେ, ଏହି ଓ୍ବିକଏଣ୍ଡ ପେଟ୍ରୋଲିୟମ୍ ଉତ୍ପାଦର ମୂଲ୍ୟ ପୁଣିଥରେ ବଢିବ। ଏଭଳି ଅନୁମାନ କରାଯାଉଛି ଯେ, କିରୋସିନିର ମୂଲ୍ୟରେ ପ୍ରାୟ ୧୦ ଟଙ୍କା ପ୍ରତି ଲିଟର ବଢିପାରେ।
ଉଲ୍ଲେଖନୀୟ ଯେ, ଗତ ୩୧ ଅଗଷ୍ଟରେ କାର୍ଯ୍ୟବାହକ ସରକାର ପେଟ୍ରୋଲିୟମ୍ ଉତ୍ପାଦର ମୂଲ୍ୟରେ ଲଗାତାର ଦ୍ବିତୀୟ ଥର ବୃଦ୍ଦି ଘୋଷଣା କରିଥିଲା, ଏହାପରେ ଦେଶର ଇତିହାସରେ ପ୍ରଥମ ଥର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୩୦୦ ଟଙ୍କା ପ୍ରତି ଲିଟର ଅଧିକ ହୋଇଯାଇଛି। ୩୧ ଅଗଷ୍ଟରେ କାର୍ଯ୍ୟକାରୀ ସରକାର କ୍ଷମତାରେ ଆସିବାର ଏକ ମାସ ମଧ୍ୟ ହୋଇନଥିଲା, କିନ୍ତୁ ଏହାପରେ ଲଗାତାର ଦ୍ବିତୀୟ ଥର ମୂଲ୍ୟ ବୃଦ୍ଧି ହୋଇଥିଲ ଓ ଏହି ସମୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୩୫ ଟଙ୍କା ପ୍ରତି ଲିଟର ବଢିଥିଲା।