ଭୁବନେଶ୍ୱର,୧୮/୦୫: ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପେଟ୍-୨୦୨୪) । ଏନେଇ ଶନିବାରଠୁ ଆରମ୍ଭ ହେବ ଅନ୍ଲାଇନ୍ ଆବେଦନ । ଏହା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀ ସାମ୍ସ ୱେବ୍ସାଇଟରେ ଆବେଦନ କରିବେ । ଜୁଲାଇ ୩ରୁ ୧୪ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୨୮ ତାରିଖ ପୂର୍ବାହ୍ନ ୧୧ଟାରୁ ରାତି ୧୧ଟା ୪୫ ଯାଏ ଆପ୍ଲିକେଶନ ଫର୍ମ ସଂଶୋଧନ ପାଇଁ ସୁଯୋଗ ଦିଆଯିବ । ଜୁନ୍ ୨୨ରେ ହଲ୍ ଟିକେଟ୍ ତଥା ଆଡିମିଟ୍ କାର୍ଡ ଅନ୍ଲାଇନ୍ରେ ଉପଲବ୍ଧ ହେବ । ପିଲାମାନେ ଏସ୍ଏସ୍ବି ୱେବ୍ସାଇଟ୍ www.ssbodisha.ac.inରୁ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଜୁଲାଇ ୩ରୁ ୧୪ ତାରିଖ ଯାଏ ପ୍ରବେଶିକା ପରୀକ୍ଷା କରାଯିବ । ଏହି ପ୍ରବେଶିକା ପରୀକ୍ଷାକୁ ଏସ୍ଏସ୍ବି ପରିଚାଳନା କରିବ। ଜୁଲାଇ ୨୦ରେ ପ୍ରବେଶିକା ପରୀକ୍ଷା ମାର୍କ ଓକାକ୍କୁ ଏସ୍ଏସ୍ବି ହସ୍ତାନ୍ତର କରିବ । ଆବେଦନକାରୀମାନେ ଜୁଲାଇ ୧୨ରୁ ୨୦ ତାରିଖ ମଧ୍ୟରେ ନିଜର ଗ୍ରାଜୁଏସନ୍ ମାର୍କ ଅପଲୋଡ୍ କରିବେ । ବିଷୟ ଅନୁଯାୟୀ ଓ ରାଜ୍ୟସ୍ତରୀୟ ମେରିଟ୍ ଲିଷ୍ଟ ପ୍ରକାଶ ନେଇ ସାମ୍ସ ୱେବ୍ସାଇଟ୍ରେ ଉପଲବ୍ଧ ହେବ । ଏ ସମସ୍ତ ସୂଚନା ସାମ୍ସ ୱେବ୍ସାଇଟ୍ www. samsodisha.gov.in ରେ ଉପଲବ୍ଧ ରହିଛି ।
ଅନ୍ୟପଟେ ନାମଲେଖାରେ ସାମୟିକ ପରିବର୍ତ୍ତନ କରାଯାଇଛି । ୩ଟି ପର୍ଯ୍ୟାୟରେ ନାମଲେଖା ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖା ୪ ରାଉଣ୍ଡ ଚୟନ ପ୍ରକ୍ରିୟାରେ କରାଯିବ । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ନଥିବେ ସେମାନଙ୍କୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅନୁମତି ଦିଆଯିବ । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ନାମଲେଖା ପର୍ଯ୍ୟନ୍ତ ସଂରକ୍ଷଣ ସିଟ୍କୁ ପ୍ରାଧାନ୍ୟ ଦିଆଯିବ । ତୃତୀୟ ରାଉଣ୍ଡ ନାମଲେଖା ବେଳକୁ ସଂରକ୍ଷଣ ସିଟ୍ ଚୟନ ହୋଇଥିବା ପିଲା ନାମ ନଲେଖାଇଲେ ସେହି ସିଟ୍ରେ ଅନ୍ୟ ପିଲାଙ୍କୁ ସୁଯୋଗ ଦିଆଯିବ । ଚତୁର୍ଥ ପର୍ଯ୍ୟାୟ ହେଉଛି ସ୍ପଟ୍ ନାମଲେଖା ।
ଆବେଦନକାରୀ ଯୁକ୍ତ ୩ ସ୍ତରରେ ଇଲେକ୍ଟିଭ୍ ପେପରର ବିଷୟରେ ପିଜି ନାମଲେଖା ପାଇଁ ଆବେଦନ କରିପାରିବେ । ମାତ୍ର ଏଥିପାଇଁ ଆବେଦନକାରୀ ସର୍ବନିମ୍ନ ୨୪ କ୍ରେଡିଟ୍ ଉକ୍ତ ଇଲେକ୍ଟିଭ୍ ବିଷୟରେ ରଖିଥିବ। ଚଳିତବର୍ଷ ନାମଲେଖା ଆବେଦନ ସମୟରେ ଆବେଦନକାରୀ ସାମ୍ସ ପୋର୍ଟାଲ୍ରେ ଆବାସିକ୍ ପ୍ରମାଣପତ୍ର, ଆୟ ଓ ଜାତିଗତ ପ୍ରମାଣପତ୍ର ଅପଲୋଡ୍ କରିବା ବାଧ୍ୟତାମୂଳକ । ଯଦି ଆବେଦନକାରୀ ଫର୍ମ ପକେଇବା ସମୟରେ ଏହି ଡକ୍ୟୁମେଣ୍ଟ ଅପଲୋଡ୍ କରି ନପାରନ୍ତି ତେବେ ଗ୍ରାଜୁଏସନ୍ ମାର୍କ ପ୍ରମାଣପତ୍ର ଅପଲୋଡ୍ ସମୟରେ ଅପଲୋଡ୍ କରିପାରିବେ ।