ଭୁବନେଶ୍ୱର,୦୯/୦୯: ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଦିଆଯିବ ମାଗଣା କୋଚିଂ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଏକାଡେମିକ୍ ସପୋର୍ଟ ପ୍ରୋଗ୍ରାମ’ । ପିଲାଙ୍କୁ ଅନ୍ଲାଇନ ମାଧ୍ୟମରେ ପଢ଼ାଯିବ । ନିଟ୍ ଓ ଜେଇଇ ମେନ୍ କୋଚିଂ ପରି ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ସମେତ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସୁଯୋଗ ଦିଆଯିବ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏହାକୁ ଲାଗୁ କରାଯିବ । ଯୁକ୍ତ ୨ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ସ୍ମାର୍ଟ କ୍ଲାସ୍ରୁମ୍କୁ ପ୍ରସ୍ତୁତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି ।
ସୂଚନାଯୋଗ୍ୟ, ନିଟ୍-ୟୁଜି ଓ ଜେଇଇ ମାଗଣା କୋଚିଂ କାର୍ଯ୍ୟକ୍ରମ ସଫଳ ହେବା ପରେ ନିର୍ଦ୍ଦେଶାଳୟ ପକ୍ଷରୁ ଏହା ହେଉଛି ଦ୍ୱିତୀୟ ପଦକ୍ଷେପ । ନିଟ୍-ୟୁଜି, ଜେଇଇ କୋଚିଂ କେବଳ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ୍ସପର୍ଟ ଚୟନ ଶେଷ ପରେ ୧୨ ତାରିଖରୁ ଦିଗ୍ଦର୍ଶନ କ୍ଲାସ ଆରମ୍ଭ ହେବ । ଏଥିରେ ପିଲାଙ୍କୁ କୋଚିଂର ଆଭିମୁଖ୍ୟ, ପାଠ୍ୟକ୍ରମ ଆଦି ବିଷୟରେ ଅବଗତ କରାଯିବ । ୧୭ରୁ ପାଠ୍ୟକ୍ରମ ଅନୁଯାୟୀ ପାଠପଢ଼ା ଆରମ୍ଭ ହେବ । ପ୍ରତି ସପ୍ତାହରେ ୪ ଦିନ ଏହି କୋଚିଂ ପ୍ରଦାନ କରାଯିବ । ଅପରାହ୍ନ ୨ଟାରୁ ସାଢ଼େ ୩ଟା ଯାଏ ଅନ୍ଲାଇନ କ୍ଲାସ ହେବ । ଇଂରାଜୀ, ପରିମାଣିକ ଦକ୍ଷତା, ସାଧାରଣ ଜ୍ଞାନ, ରିଜିଓନିଂ ବିଷୟ ପଢ଼ାଯିବ । ମୋବାଇଲ୍ ଫୋନ୍ ମାଧ୍ୟମରେ ଓଏମ୍ଆର୍ ଆଧାରରେ ପରୀକ୍ଷା କରାଯିବ । ଏହାର ଫିଡବ୍ୟାକ୍ ମଧ୍ୟ ନିଆଯିବ । ବିଶେଷଜ୍ଞମାନେ ଭର୍ଚୁଆଲ୍ ମାଧ୍ୟମରେ ପାଠ ପଢ଼ାଇବେ । କଲେଜର ପିଲାମାନେ ସ୍ମାର୍ଟ କ୍ଲାସ୍ ରୁମ୍ରେ ଲାଗିଥିବା ଡିଜିଟାଲ୍ ସ୍କ୍ରିନ୍ରେ ପାଠ ପଢ଼ିବେ । କ୍ଲାସ ଆରମ୍ଭ ଆଗରୁ ଭର୍ଚୁଆଲ୍ ମିଟିଂର ଲିଙ୍କ୍ ଆସିବ । ଏହି ଲିଙ୍କରେ କଲେଜର ଜଣେ ଅଧ୍ୟାପକ ଲଗ୍ଇନ୍ କରିବେ । ଏହାପରେ କ୍ଲାସ ଚାଲିବ । ଏହି କ୍ଲାସକୁ ଉକ୍ତ ଅଧ୍ୟାପକ ପରିଚାଳନା କରିବେ । ପ୍ରତିଦିନ କ୍ଲାସ ଭଳି ପିଲାମାନଙ୍କ ମଧ୍ୟ ଉପସ୍ଥାନ ନିଆଯିବ।
ଚିଠିରେ ଉଲ୍ଲେଖ ରହିଛି, ୨୦୨୧- ୨୨, ୨୦୨୨-୨୩ ଯୁକ୍ତ ୨ ବାର୍ଷିକ ପରୀକ୍ଷାର ରେଜଲ୍ଟକୁ ନେଇ ବିଶ୍ଲେଷଣ କରାଯାଇଛି । ଏଥିରୁ ଜଣାପଡ଼ିଛି ହାତଗଣତି ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀମାନେ ଗଣିତ ଓ ଇଂରାଜୀରେ ଭଲ ପ୍ରଦର୍ଶନ କରୁଛନ୍ତି । ମାତ୍ର ଅନ୍ୟ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀମାନେ ଦୁର୍ବଳ ଅଛନ୍ତି । କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତ ହେବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେପରି ଆଇପିମାଟ୍, ଜିପିମାଟ୍, ସିୟୁଇଟି, କ୍ଲାଟ୍, ନିଫ୍ଟ, ଏନ୍ଆଇଡି-ଡିଏଟି, ଏଫ୍ଡିଡିଆଇଏଆଇଏସ୍ଟି, ଏଆଇଇଇଡି,ଏନ୍ଏଟିଏ, ଏନ୍ସିଏଚ୍ଏମ୍ସିଟି, ସ୍ମାର୍ଟ, ଆଇଆଇଏଟି, ସାଟ୍, ଏସ୍ଏମ୍ଏପି ଭଳି ପ୍ରବେଶିକା ପରୀକ୍ଷାରେ ପିଲାମାନେ ସଫଳ ହେବେ ସେ ନେଇ ଏପରି ପ୍ରୟାସ ଆରମ୍ଭ ହୋଇଛି ।
ଏଥିରେ ସ୍ୱତନ୍ତ୍ର ଭାବେ ଗଣିତ, ଇଂରାଜୀ, ସାଧାରଣ ଜ୍ଞାନ, ଲଜିକାଲ୍ ରିଜିଓନିଂ, କମନ୍ ଆପ୍ଟିଚ୍ୟୁଡ୍ ଭଳି ପାଠ୍ୟକ୍ରମ ପଢ଼ାଯିବ। ନିର୍ଦ୍ଦେଶାଳୟ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି, ଚଳିତ ବର୍ଷ ଯୁକ୍ତ ୨ ନାମଲେଖା ସମୟରେ ୮୨ ହଜାର ୭୦୦ ପିଲା ଅନ୍ଲାଇନ୍ କ୍ଲାସ୍ ପାଇଁ ନିଜର ଚଏସ୍ ଦେଇଛନ୍ତି । ଚଳିତବର୍ଷ ଆରମ୍ଭ ହେବାକୁ ଯାଉଥିବା ଏହି ଏକାଡେମିକ୍ ସପୋର୍ଟ କାର୍ଯ୍ୟକ୍ରମରେ ଉଭୟ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସୁଯୋଗ ଦିଆଯିବ । ନିର୍ଦ୍ଦେଶକ ରଘୁରାମ ଆୟାର କହିଛନ୍ତି, ପିଲାଙ୍କୁ ପାଠପଢ଼ା ସହ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଦକ୍ଷ କରିବାକୁ ଏପରି ପଦକ୍ଷେପ ସରକାର ନେଇଛନ୍ତି । ଅନ୍ଲାଇନ ମାଧ୍ୟମରେ ଏକ୍ସପର୍ଟ ମାନେ ପାଠ ପଢ଼ାଇବେ।