ନୂଆଦିଲ୍ଲୀ: ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ବାଂଲାଦେଶରେ ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ମହମ୍ମଦ ୟୁନୁସ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମହମ୍ମଦ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମହମ୍ମଦ ୟୁନୁସଙ୍କୁ ଅଭିନନ୍ଦନ ଜଣାଇବା ସହିତ ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।
ମହମ୍ମଦ ୟୁନୁସଙ୍କୁ ଅଭିନନ୍ଦନ ଜଣାଇ ପିଏମ ମୋଦୀ କହିଛନ୍ତି ଯେ, ପ୍ରଫେସର ମହମ୍ମଦ ୟୁନୁସଙ୍କୁ ତାଙ୍କର ନୂତନ ଦାୟିତ୍ବ ଗ୍ରହଣ କରିଥିବାରୁ ମୋର ଶୁଭେଚ୍ଛା । ଆମେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ନିରାପତ୍ତା ସୁନିଶ୍ଚିତ କରୁଥିବା ବେଳେ ସ୍ୱାଭାବିକତାକୁ ଶୀଘ୍ର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ଆମର ଉଭୟ ଦେଶର ଆକାଂକ୍ଷାକୁ ପୂରଣ କରିବା ପାଇଁ ବାଂଲାଦେଶ ସହିତ କାର୍ଯ୍ୟ କରିବାକୁ ଭାରତ ପ୍ରତିବଦ୍ଧ।
My best wishes to Professor Muhammad Yunus on the assumption of his new responsibilities. We hope for an early return to normalcy, ensuring the safety and protection of Hindus and all other minority communities. India remains committed to working with Bangladesh to fulfill the…
— Narendra Modi (@narendramodi) August 8, 2024
ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ ଗୁରୁବାର ଦିନ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ନେବା ପୂର୍ବରୁ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ଲୋକଙ୍କ ସୁରକ୍ଷାକୁ ସରକାର ନିଶ୍ଚିତ କରିବେ । ବାଂଲାଦେଶର ପୁନଃ ନିର୍ମାଣରେ ସାହାଯ୍ୟ କରିବାକୁ ୟୁନୁସ୍ ବାଂଲାଦେଶର ଯୁବକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ୟୁନୁସ୍ ଦେଶର ଯୁବକମାନଙ୍କୁ କହିଛନ୍ତି ଯେ ଆମକୁ ଏହି ସ୍ୱାଧୀନତାର ସୁରକ୍ଷା କରିବାକୁ ପଡିବ ।