ଭୁବନେଶ୍ୱର,୧୪/୦୯: ସରକାରୀ ନୀତି ନିୟମର ତଣ୍ଟି ଚିପି ଦେଲେ । ପରିବେଶ ଆଇନକୁ ଅଳିଆ ଗଦାକୁ ଫିଙ୍ଗିଲେ । ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କୌଣସି ପଦକ୍ଷେପ ନେଲେନି । ଶିଳ୍ପସଂସ୍ଥାଗୁଡ଼ିକର ଏଭଳି ମନମାନିର ଫଳ ହେଲା ୬୫ ହଜାରରୁ ଅଧିକ ଲୋକ ଫୁସଫୁସ୍, ବୃକକ୍ ଓ ସିଲିକୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଲେ । ଅଶାନ୍ତିରେ କଲବଲ ହେଲା ପରିବାର । ଶିଳ୍ପ ନିଶାରେ ଚୁର୍ ସରକାର ସବୁ ଦେଖି ନଦେଖିବା ଅଭିନୟ କଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ଦେଖାଇଲା ଅହେତୁକ ଅନୁକମ୍ପା । ନିଜ ଇଚ୍ଛାରେ ଶିଳ୍ପଗୁଡ଼ିକ ଲୋକଙ୍କ ଜୀବନ ସହ ଖେଳ ଖେଳି ଚାଲିଲେ ।
ଖଣିଜ ଓ ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପସଂସ୍ଥାଗୁଡ଼ିକର ଏ ମଣିଷମାରଣ ନୀତି ସିଏଜିଙ୍କ ସ୍କାନରରେ ଧରାପଡ଼ିଛି । ଶିଳ୍ପସଂସ୍ଥା ପ୍ରତି ସରକାରଙ୍କ ଏଭଳି ନରମ ଆଭିମୁଖ୍ୟ ସିଏଜିଙ୍କୁ ଚକିତ କରି ଦେଇଛି । ଖିଲାପକାରୀ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି ସିଏଜି । ଭାତହାଣ୍ଡିରୁ ଗୋଟିଏ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅଡିଟ୍ ହିଁ ଦର୍ଶାଉଛି ଆମ ରାଜ୍ୟରେ ଶିଳ୍ପାନୁଷ୍ଠାନଗୁଡ଼ିକ ଶିଳ୍ପ ଆଇନକୁ କେତେ ମାନୁଛନ୍ତି? ପରିବେଶ ପ୍ରତି କେତେ ସମ୍ବେଦନଶୀଳ ।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ସୁନ୍ଦରଗଡ଼ରେ ଇସ୍ପାତ, ସିମେଣ୍ଟ, ସେରାମିକ୍ ଗ୍ଲାସ୍, ଆଲୁମିନିୟମ ଶିଳ୍ପ ରହିଛି । ମାତ୍ର ଏହି ଶିଳ୍ପସଂସ୍ଥାଗୁଡ଼ିକ ପରିବେଶ ପ୍ରତି ଆଖି ବୁଜି ଦେଇଛନ୍ତି । ଜିଲ୍ଲାରେ ୪୪ ଖଣି, ୩୭୬ ଶିଳ୍ପ କାରଖାନା ରହିଛି । ଏଗୁଡ଼ିକ ହିଁ ପ୍ରଦୂଷଣର ପ୍ରମୁଖ ସ୍ରୋତ ପାଲଟିଛନ୍ତି । ରୋଗ ବାଣ୍ଟୁଛନ୍ତି । ପରିବେଶ ସଂରକ୍ଷଣ, ବାୟୁ ପ୍ରଦୂଷଣ ପ୍ରତିରୋଧ, ଜଳ ପ୍ରଦୂଷଣ ନିୟନ୍ତ୍ରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମଗୁଡ଼ିକର ଖୋଲା ଉଲ୍ଲଂଘନ ହୋଇଛି ।
ଏହାର ପ୍ରଭାବରେ ବାୟୁ ଓ ଜଳ ଗୁଣବତ୍ତା ଅତି ନିମ୍ନମାନର ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା । ବାୟୁରେ ସାନ୍ଦ୍ରତା ଅଧିକ ରହିବାରୁ ଏହାର ପ୍ରଭାବରେ ୨୦୧୯-୨୦ ବର୍ଷରେ ଜିଲ୍ଲାରୁ ୨୪୪୦ ଜଣ ଫୁସଫୁସ୍ ରୋଗୀ ଚିହ୍ନଟ ହୋଇଥିଲେ । ସେହିବର୍ଷ ସାରା ରାଜ୍ୟରେ କିନ୍ତୁ ଚିହ୍ନଟ ହୋଇଥିଲେ ୧୩୦୧ ରୋଗୀ । ସେହିଭଳି ବାୟୁରେ ଅଧିକ ପରିମାଣର ସିଲିକା ଗୁଣ୍ଡ ରହିବାରୁ ଜିଲ୍ଲାରେ ୬୧ ହଜାର ୬୯୮ ସିଲିକୋସିସ୍ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । କେବଳ ସେତିକି ନୁହେଁ ବ୍ରାହ୍ମଣୀ ନଦୀର ଦୂଷିତ ଜଳ ବ୍ୟବହାର କରି ୧୧୦୦ ଲୋକ ବୃକକ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ।
ପରିବେଶ ପ୍ରତି ଆଖି ବୁଜିଦେଇ ଶିଳ୍ପସଂସ୍ଥା ରୋଗ ବାଣ୍ଟୁଛି । ସରକାର କିନ୍ତୁ ଶିଳ୍ପ ପ୍ରେମରେ ବାଇଆ । ସିଏଜିଙ୍କ ପରିବେଶ ଅଡିଟ୍ ରିପୋର୍ଟ ସରକାର ଅବଗତ ହେବା ପରେ ମଧ୍ୟ ଶିଳ୍ପସଂସ୍ଥା ପାଇଁ ଓକିଲାତି କରୁଛନ୍ତି । ଏକ ଶିଳ୍ପସଂସ୍ଥା ପ୍ରଦୂଷଣ ବୋର୍ଡର ଅନୁମତି ନନେଇ ରାଜଗାଙ୍ଗପୁର ମ୍ୟୁନିସପାଲିଟି ମୁଖ୍ୟ ରାସ୍ତା ଦେଇ ଖଣିଠାରୁ ପ୍ଲାଣ୍ଟ ଯାଏ କନଭେୟର ବେଲ୍ଟରେ ଖଣିଜ ପଦାର୍ଥ ପରିବହନ କରୁଥିଲା । ତେବେ ସରକାର କିନ୍ତୁ ଏହି ଶିଳ୍ପ ପାଇଁ ଅନୁକୂଳ ମତ ରଖିଛନ୍ତି । ଦୂଷିତ କୋଇଲା, ଚୂନପଥର ଓ ବିପଦଜନକ ରାସାୟନିକ ପଦାର୍ଥରୁ ନିର୍ଗତ ବାୟୁ ପ୍ରଦୂଷଣରୁ ଶ୍ୱାସ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମାତ୍ର ସରକାର ନିଦାବିଷ୍ଣୁ ।
କେବଳ ଶିଳ୍ପ ନୁହଁ ଖଣିଗୁଡ଼ିକ ମଧ୍ୟ କୌଣସି ପରିବେଶ ମାନକକୁ ଧ୍ୟାନ ଦେଉନାହାନ୍ତି । ବହୁ ଶିଳ୍ପସଂସ୍ଥା ବ୍ରାହ୍ମଣୀ, କୋଏଲ ନଦୀକୁ ବର୍ଜ୍ୟଜଳ ସିଧାସଳଖ ଛାଡ଼ୁଛନ୍ତି । ପାଣି ଦୂଷିତ ହେଉଛି । ଏହାକୁ ବ୍ୟବହାର କରି ଲୋକ ରୋଗରେ ପଡ଼ୁଛନ୍ତି । ବର୍ଷ ବର୍ଷ ଧରି ଏହା ଜାରି ରହିଥିଲା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପ୍ରତି ଆଖି ବୁଜି ଦେଇଛି । ଜିଲ୍ଲରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ମିଳିନି । ରାଉରକେଲା ମ୍ୟୁନିସିପାଲଟିରେ କଠିନ ବର୍ଜ୍ୟବସ୍ତୁ ସହ ଅଣ-ପୃଥକୀକୃତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ମିଶାଇ ଅଣବୈଜ୍ଞାନିକ ପ୍ରଣାଳୀରେ ନଷ୍ଟ କରାଯାଉଥିଲା । ଏହା ପରିବେଶ ପ୍ରତି ଅଧିକ ବିପଦ ସୃଷ୍ଟି କରିଥିବା ଅଡିଟ୍ ବେଳେ ଜଣାପଡ଼ିଛି ।
ନିୟମ କହୁଛି, ପ୍ରତି ୬ ମାସରେ ଥରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଶିଳ୍ପସଂସ୍ଥାଗୁଡ଼ିକୁ ପରିଦର୍ଶନ କରିବେ । ପ୍ରତି ମାସରେ ନିଶ୍ଚିତ କରିବେ ନମୂନା ପରୀକ୍ଷା । ମାତ୍ର ଏଥିପ୍ରତି ଆଦୌ ଧ୍ୟାନ ଦିଆଯାଇନି । ଅଡିଟ୍ ବେଳେ ଜଣାପଡ଼ିଛି ଶିଳ୍ପ ୟୁନିଟ୍ଗୁଡ଼ିକର ୧୦୦୮ ନମୂନା ପରୀକ୍ଷା ଆବଶ୍ୟକ ଥିଲା ବେଳେ ମାତ୍ର ୭୫ଟି ହୋଇଥିଲା । ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ସରକାରୀ କଳ ଆନ୍ତରିକତା ଦେଖାଇ ନାହାନ୍ତି । ଏହାର କୁଫଳ ଲୋକ ଭୋଗିଛନ୍ତି । ରୋଗରେ କଲବଲ ହୋଇଛନ୍ତି । ସୁନ୍ଦରଗଡ଼ ଶିଳ୍ପାୟନର ଏ ପରିବେଶ ଅଡିଟ୍ରୁ ସାରା ରାଜ୍ୟର ଶିଳ୍ପାଞ୍ଚଳର ସ୍ଥିତି ଜଳଜଳ । ସରକାର ଶିଳ୍ପାୟନକୁ ଆଗକୁ ନିଅନ୍ତୁ । ମାତ୍ର ପରିବେଶ ନିୟମକୁ ମଧ୍ୟ କଡ଼ାକଡ଼ି ପାଳନ କରିବାକୁ ସିଏଜି ସୁପାରିଶ କରିଛନ୍ତି ।