ଭୁବନେଶ୍ଵର, ୦୪/୦୯ : ହକି ଛାଡ଼ି କଂଗ୍ରେସରେ ମିଶିଲେ ପ୍ରବୋଧ ତିର୍କୀ। ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ଖେଳ ଓ ଚାକିରିରୁ ଅବସର ନେବା ପରେ ହାତ ଧରିଛନ୍ତି ପ୍ରବୋଧ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ସେ ଯୋଗ ଦେଇଛନ୍ତି। ଏହି ସମୟରେ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ଲୁଲକିଡିହି ଗାଁର ପ୍ରବୋଧ ତିର୍କୀ ଦେଶ ପାଇଁ ଅନେକ ନାଁ କରିଛନ୍ତି । ବର୍ତ୍ତମାନ ଅଞ୍ଚଳର ବିକାଶ କରିବା ପାଇଁ ଚାହୁଁଛନ୍ତି ପ୍ରବୋଧ । ଆଗାମୀ ଦିନରେ ସୁଯୋଗ ମିଳିଲେ କଂଗ୍ରେସ ଦଳ ପକ୍ଷରୁ ତଲସରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ଛିଡା ହେବେ ବୋଲି ପ୍ରବୋଧ କହିଛନ୍ତି । ଏହାସହ ଏକାମ୍ର ନିର୍ବାଚନମଣ୍ଡଳୀର ପ୍ରଶାନ୍ତ କୁମାର ଚମ୍ପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସରେ ମିଶିବା ପରେ ପ୍ରବୋଧ ତିର୍କୀ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ମୋତେ ଅନୁପ୍ରାଣିତ କରିଛି । ଲୋକ ସେବା ପାଇଁ କଂଗ୍ରେସକୁ ଆସିଛି । ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ।
ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅକ୍ଟୋବର ୬ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରବୋଧ ତିର୍କୀ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରହିଥିଲେ । ସେ କ୍ୟାପଟେନ୍ ଥିବା ସମୟରେ ୨୦୦୭ ମସିହାରେ ଚେନ୍ନାଇ ଠାରେ ହୋଇଥିବା ଏସିଆ କପ୍ ଟ୍ରଫି ଜିତିଥିଲେ । ସେ ନିଜ କ୍ୟାରିୟରରେ ୧୬୧ଟି ଆନ୍ତର୍ଜାତୀୟ ଖେଳ ଖେଳିଛନ୍ତି । ସେ ୨୦୦୧ରେ ଏକଲବ୍ୟ ପୁରସ୍କାର ପାଇଥିବା ବେଳେ ୨୦୦୯ ମସିହାରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ସ୍ପୋଟ୍ସ ଆୱାର୍ଡ ପାଇଥିଲେ । ଚଳିତ ବର୍ଷ ଜୁଲାଇ ୩୧ ତାରିଖରେ ସେ ଚାକିରିରୁ ଅବସର ନେଇଥିଲେ । ତଲସରାକୁ କଂଗ୍ରେସର ଗଡ କୁହାଯାଏ । କିନ୍ତୁ ଗତ ନିର୍ବାଚନରେ ବିଜେପି ହାତେଇ ନେଇଥିଲା ଏହି ଆସନ ।